RKB_Odisha_Odia
RKB_Odisha_Odia
IRRI Banner

ଓଡ଼ିଶାରେ ତୈଳବୀଜ ଜାତୀୟ ଫସଲ

ଭାରତୀୟ କୃଷି ଉତ୍ପାଦନ ଏବଂ ଅର୍ଥନୀତିରେ ତୈଳବୀଜ ଜାତୀୟ ଫସଲର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ଶସ୍ୟ ଜାତୀୟ ଏବଂ ଡାଲି ଜାତୀୟ ଫସଲ ପରେ ଏହାକୁ ତୃତୀୟ ଗୁରୁତ୍ତ୍ଵପୂର୍ଣ୍ଣ ଫସଲ ଭାବେ ବିବେଚନା କରାଯାଏ। ତୈଳବୀଜ ଜାତୀୟ ଫସଲଗୁଡ଼ିକରେ ଉଚ୍ଚ ତୈଳ ଅଂଶ ସହିତ ଅନେକ ଭିଟାମିନ୍, ଖଣିଜ ତତ୍ତ୍ଵ (ମିନେରାଲ୍ସ) ଓ ଉଭୟ ସନ୍ତୁଳିତ ଏବଂ ଅସନ୍ତୁଳିତ ଫ୍ୟାଟି ଏସିଡ୍ ରହିଥାଏ । ଦୈନନ୍ଦିନ ଖାଦ୍ୟାଭ୍ୟାସର ଏକ ଅତ୍ୟାବଶ୍ୟକ ଉପାଦାନ ବ୍ୟତୀତ ଏହି ଫସଲ ଗୁଡ଼ିକୁ ଶିଳ୍ପମାନଙ୍କରେ ଲୁବ୍ରିକାଣ୍ଟ୍, ବନସ୍ପତି, ସାବୁନ୍, ଡିଟରଜେଣ୍ଟ୍, ପ୍ରସାଧନ ସାମଗ୍ରୀ ଇତ୍ୟାଦି ତିଆରିରେ ବ୍ୟବହାର କରାଯାଇଥାଏ। ଏହା ବ୍ୟତୀତ ଚିକିତ୍ସା ପ୍ରୟୋଗ, ଔଷଧ ପ୍ରସ୍ତୁତି, ପଶୁମାନଙ୍କ ଖାଦ୍ୟ ପ୍ରସ୍ତୁତି ଏବଂ ଜୈବିକ ଖତ ପ୍ରସ୍ତୁତିରେ ତୈଳବୀଜ ଜାତୀୟ ଫସଲ ଗୁଡ଼ିକୁ ମଧ୍ୟ ବ୍ୟବହାର କରାଯାଇଥାଏ । ପାଖାପାଖି ୨ ମିଲିୟନ୍ ହେକ୍ଟର୍ ଅଞ୍ଚଳରେ ଏହି ଫସଲ ଗୁଡ଼ିକର ଚାଷ ମାଧ୍ୟମରେ ହେକ୍ଟର୍ ପ୍ରତି ହାରାହାରି ୧୦୯୫ କି.ଗ୍ରା. ଅମଳ ସହ ଭାରତ, ଯୁକ୍ତ ରାଷ୍ଟ୍ର ଆମେରିକା, ଚୀନ୍ ଓ ବ୍ରାଜିଲ୍ ପଛକୁ ଚତୁର୍ଥ ଅଗ୍ରଣୀ ତୈଳବୀଜ ଉତ୍ପାଦନକାରୀ ଦେଶ ଭାବରେ ବିଶ୍ଵରେ ଏକ ଉଲ୍ଲେଖନୀୟ ସ୍ଥାନ ଅଧିକାର କରିଛି।

ତୈଳବୀଜ ଜାତୀୟ ଫସଲ ଉତ୍ପାଦନରେ ଓଡ଼ିଶା ଏକ ପ୍ରଗତିଶୀଳ ରାଜ୍ୟ ଅଟେ । ସମଗ୍ର ରାଜ୍ୟରେ ୭.୫ ଲକ୍ଷ ହେକ୍ଟର୍ ଚାଷ ଜମିରେ ବାର୍ଷିକ ସମୁଦାୟ ୦.୬୯ ମେଟ୍ରିକ୍ ଟନ୍ ଓ ହେକ୍ଟର୍ ପ୍ରତି ୯୨୮ କି.ଗ୍ରା. ତୈଳବୀଜ ଉତ୍ପାଦିତ ହୋଇଥାଏ। ରାଜ୍ୟର କୃଷି-ପରିବେଶରେ ଭିନ୍ନତା ଦେଖାଦେଉଥିଲେ ମଧ୍ୟ ତୈଳବୀଜ ଫସଲ ଉତ୍ପାଦନ ନିମନ୍ତେ ପ୍ରକୃଷ୍ଟ ଅଟେ । ରାଜ୍ୟରେ ଖାଇବା ତେଲ ନିମନ୍ତେ ଚିନାବାଦାମ୍, ସୋରିଷ, ସୂର୍ଯ୍ୟମୁଖୀ, ରାଶି, ଅଳସୀ, କୁସୁମୀ ଏବଂ ସୋୟାବିନ୍ ଆଦି ଚାଷ କରାଯାଉଥିବାବେଳେ ଅଣ-ଖାଦ୍ୟ ବ୍ୟବହାର ପାଇଁ ଜଡ଼ା ଓ ପେଶି ଚାଷ କରାଯାଇଥାଏ। ସମସ୍ତ ଫସଲ ମଧ୍ୟରୁ ଚିନା ବାଦାମ୍, ରାଶି ଏବଂ ସୋରିଷ ଫସଲ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ଚାଷ ହୋଇଥାଏ। ଓଡ଼ିଶାରେ ସୋରିଷ ଓ ଚିନା ବାଦାମ୍ ଫସଲ ରବି ଋତୁରେ ବହୁଳ ଭାବରେ ଚାଷ କରାଯାଉଥିବାବେଳେ ରାଶି ଓ ଅଳସୀ ଫସଲ ମୁଖ୍ୟତଃ ଖରିଫ୍ ଋତୁରେ କରାଯାଇଥାଏ। କୃଷି ଗଣନା ୨୦୧୫-୧୬ ଅନୁସାରେ ଓଡ଼ିଶାର ଗଞ୍ଜାମ୍, ମାଲକାନଗିରି, ଯାଜପୁର, କୋରାପୁଟ୍ ଓ ବରଗଡ଼ ଭଳି ଜିଲ୍ଲାମାନେ ମୋଟ ତୈଳବୀଜ ଫସଲ କ୍ଷେତ୍ରରେ ଆଗୁଆ ରହିଥିଲେ।

ରାଜ୍ୟରେ ତୈଳବୀଜ ଫସଲ ଉତ୍ପାଦନ କ୍ଷେତ୍ରରେ ରହିଥିବା ପ୍ରମୁଖ ପ୍ରତିବନ୍ଧକ:

  • ତୈଳବୀଜ ଫସଲ ଗୁଡ଼ିକ ଶକ୍ତି ସମୃଦ୍ଧ ଅଟେ। ଚାଷ ପାଇଁ ଉନ୍ନତ ପରିଚାଳନା ଅଭ୍ୟାସ ଓ ଅଧିକ ଲଗାଣର ଆବଶ୍ୟକତା ହେଉଥିଲେ ମଧ୍ୟ ୮୫ ଭାଗ ଜମି ବର୍ଷା ଆଧାରିତ ଅଟେ ଓ କମ୍ ଲଗାଣ ସହ ଅନୁପଯୁକ୍ତ ପରିଚାଳନା ପଦ୍ଧତି ମାଧ୍ୟମରେ ଚାଷ କରାଯାଇଥାଏ
  • ଶସ୍ୟଜାତୀୟ ଫସଲ ଉପରେ ଅଧିକ ଗୁରୁତ୍ତ୍ଵ ଦିଆଯାଉଥିବାରୁ ତୈଳବୀଜ ଫସଲ ଗୁଡ଼ିକ ସାଧାରଣତଃ ଅନ୍ତଃ ଫସଲ କିମ୍ବା ମିଶ୍ରିତଫସଲ ଭାବେ ଚାଷ କରାଯାଉଛି। ଏକକ ଫସଲ ଭାବେ ଚାଷ କରାଯାଉଥିବା କ୍ଷେତ୍ରରେ ଏଗୁଡ଼ିକୁ ଅଳ୍ପ ଉର୍ବରତା ଥିବା ସୀମାନ୍ତ ଓ ଉପ-ସୀମାନ୍ତ ଅଞ୍ଚଳରେ ଜମି ଗୁଡ଼ିକୁ ପଡ଼ିଆ ନପକାଇବା ପାଇଁ ଚାଷ କରାଯାଇଥାଏ। ତେବେ ଏହି ଫସଲ ଗୁଡ଼ିକ ଫୁଲ ଧରିବା ସମୟରେ, ଓହଳ ହେବା ସମୟରେ ଏବଂ ଫଳ ଧରିବା ସମୟରେ ମୌସୁମୀର ପ୍ରଭାବ ଓ ଜଳୀୟ ଅଂଶ ଅଭାବର ସମ୍ମୁଖୀନ ହୋଇଥାଏ ।
  • ବିଭିନ୍ନ ପରିସ୍ଥିତି ପାଇଁ ଗେଡ଼ା, ଅଧିକ ଅମଳକ୍ଷମ, ସ୍ୱଳ୍ପ ଲଗାଣ, ଜୈବିକ ଓ ଅଜୈବିକ ଚାପ ସହଣୀ କିସମର ଅଭାବ
  • ତୈଳବୀଜ ଜାତୀୟ ଫସଲ ଗୁଡ଼ିକ ବିଭିନ୍ନ ରୋଗ ପୋକ ଯେପରି ଜଉ ପୋକ, ପାଉଁଶିଆ ରୋଗ, କଳଙ୍କି ରୋଗ ଇତ୍ୟାଦିର ସମ୍ମୁଖୀନ ହେବା ଫଳରେ ଅମଳ କମି ଯାଇଥାଏ

ତୈଳବୀଜଫସଲ ଉତ୍ପାଦନ ଏବଂ ଉତ୍ପାଦକତା ବୃଦ୍ଧିକିପରି କରାଯାଇପାରିବ:

  • ପଡ଼ିଆ ପଡ଼ିଥିବା ଜମିର ପରିଚାଳନା ସହ ସଅଳ କିସମ ଧାନ ଚାଷ ଉପରେ ଗୁରୁତ୍ତ୍ଵ ଦିଆଯିବା ଆବଶ୍ୟକ
  • ଉପଯୁକ୍ତ କିସମ ଚୟନ ସହ ସଠିକ୍ ଫସଲ ପରିଚାଳନା ପଦ୍ଧତି ଅବଲମ୍ବନ କରିବା ଆବଶ୍ୟକ
  • ସ୍ୱଳ୍ପ ଉଚ୍ଚତା, ସଅଳ ଅବଧି ଓ ଅଧିକ ତେଲ ଅଂଶ ଥିବା ହାଇବ୍ରୀଡ୍ କିସମର ଉତ୍ପାଦନ ଓ ପ୍ରସାର ଉପରେ ଗୁରୁତ୍ତ୍ଵ
  • ଅଧିକ ଅଞ୍ଚଳକୁ ପରିବ୍ୟାପ୍ତ ଓ ଲାଭ ବୃଦ୍ଧି ନିମନ୍ତେ ଅନ୍ତଃ ଫସଲ ଓ ଅନୁକ୍ରମିକ ଫସଲ ପ୍ରଣାଳୀର ଗ୍ରହଣୀୟତା ଉପରେ ଗୁରୁତ୍ତ୍ଵ
  • କୃଷକ ମାନଙ୍କୁ ସଚେତନ କରିବା ପାଇଁ ଓ ଚାଷ ସମ୍ବନ୍ଧୀୟ ବିଭିନ୍ନ ଜ୍ଞାନକୌଶଳର ପ୍ରସାର ପାଇଁ କ୍ଷେତ୍ର ପ୍ରଦର୍ଶନ, ପରୀକ୍ଷଣ ଏବଂ ବିଭିନ୍ନ ପ୍ରଶିକ୍ଷଣର ଆୟୋଜନ ଉପରେ ଗୁରୁତ୍ତ୍ଵ
  • ଫସଲର ଉପଯୁକ୍ତ ବୃଦ୍ଧି ପାଇଁ ସଠିକ୍ ଉପାୟରେ ଜମି ସମତୁଲ, ବିହନ ବିଶୋଧନ, ସଠିକ୍ ପରିମାଣର ଖାଦ୍ୟସାର ପ୍ରୟୋଗ, ଜଳ ପରିଚାଳନା, ଜଳ ନିଷ୍କାସନ ବ୍ୟବସ୍ଥା, ଅନାବନା ଘାସ ସହିତ ଉପଯୁକ୍ତ ସମୟରେ ରୋଗ ପୋକ ପରିଚାଳନା ଉପରେ ଗୁରୁତ୍ତ୍ଵ
  • ଅଧିକରୁ ଅଧିକ କୃଷକ ମାନଙ୍କୁ ତୈଳବୀଜ ଜାତୀୟ ଫସଲ ଚାଷ ନିମନ୍ତେ ଉତ୍ସାହିତ କରିବା ପାଇଁ ଓ ଅନ୍ୟ ବୃତ୍ତି ଆଡ଼କୁ ସ୍ଥାନାନ୍ତର ହେବାକୁ ନଦେବା ପାଇଁ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟରେ ଉଚିତ୍ ବୃଦ୍ଧି ଓ ଫସଲ ବୀମା ଗ୍ରହଣୀୟତା ଉପରେ ଗୁରୁତ୍ତ୍ଵ