ଚିନାବାଦାମ ଓଡ଼ିଶା ତଥା ଆମ ଦେଶର ଏକ ପ୍ରମୁଖ ତୈଳବୀଜ ଫସଲ ଅଟେ । ଦେଶରେ ବନସ୍ପତି ତୈଳର ଅଭାବକୁ ଦୂର କରିବାରେ ଏହି ଫସଲ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ଅଧିକ ପୁଷ୍ଟିକର ମୂଲ୍ୟ ଏବଂ ବର୍ଷତମାମ ଉପଲବ୍ଧତା ହେତୁ ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ଫସଲ ଭାବରେ ବିବେଚନା କରାଯାଏ । ଚିନାବାଦାମ ମୁଖ୍ୟତଃ ବର୍ଷାଶ୍ରିତ ଜମିରେ ଏବଂ ଦୁଇଟି ଋତୁରେ ଚାଷ କରାଯାଉଥିବାରୁ ବର୍ଷକୁ ଦୁଇ ଥର (ମାର୍ଚ୍ଚ ଓ ଅକ୍ଟୋବରମାସରେ) ଏହାର ଅମଳ କରାଯାଇଥାଏ ।
କିସମ: ଖରିଫ ଓ ରବି ଋତୁରେ ଚାଷ କରାଯାଉଥିବା କେତେକ କିସମ ନିମ୍ନରେ ଦିଆଗଲା।
କିସମ | ଅବଧି (ଦିନ) | ହେକ୍ଟର ପ୍ରତି ଅମଳ (କ୍ଵିଣ୍ଟାଲ) | ବିଶେଷ ଗୁଣ |
---|---|---|---|
ଏ.କେ. ୧୨ – ୨୪ | ୧୦୫ | ୧୬.୦ | ଟୀକା ରୋଗ ପ୍ରତିରୋଧୀ |
ଟି.ଜି. ୩୭ ଏ | ୧୧୫ | ୨୦.୦ | ମରୁଡ଼ି ସହଣି କିସମ |
କିଷାନ (ଓ.ଜି. ୧୩ – ୩) | ୧୧୦ | ୧୬.୦ | ଗୋଲାପି ରଙ୍ଗର ମଞ୍ଜି |
ଫୁଲେ ପ୍ରଗତି (ଜେ.ଏଲ. – ୨୪) | ୯୫ | ୧୮.୦ | ଗୋଲାପି ରଙ୍ଗର ମଞ୍ଜି |
ଟି.ଏ.ଜି. ୨୪ | ୧୧୦ | ୨୫.୦ | ଟୀକା ରୋଗ ପ୍ରତିରୋଧୀ |
ଟି.ଜି. ୩ | ୧୧୦ | ୧୮.୦ | ମରୁଡ଼ି ସହଣି କିସମ |
ଦେବୀ (ଆଇ.ସି.ଜି.ଭି. – ୯୧୧୧୪) | ୧୦୦ | ୧୬.୦ | ଉକୁଣିଆ ପୋକ ପ୍ରତିରୋଧି |
ଟି.ଏମ.ଭି. ୨ | ୧୧୫ | ୧୬.୦ | ଉଛୁର ଟୀକା ରୋଗ ପ୍ରତିରୋଧୀ |
ଟି.ଜି. ୩୮ | ୧୧୦ | ୨୦.୦ | କାଣ୍ଡ ସଢା ରୋଗ ସହଣି |
ସ୍ମୃତି (ଓ.ଜି. ୫୨ – ୧) | ୧୧୦ | ୨୫.୦ | ବେକ ସଢା ରୋଗ ପ୍ରତିରୋଧୀ |
ଟି.ଜି. ୩୮ବି | ୯୫ | ୨୮.୦ | କଳଙ୍କି ରୋଗ, ଜଉ ପୋକ, ଓ ପତ୍ର ଶୁଡ଼ଙ୍ଗୀ ପୋକ ପ୍ରତିରୋଧି |
ଟି.ଜି. – ୫୧ | ୧୧୫ | ୧୭.୦ | ମରୁଡ଼ି ସହଣି କିସମ |
କାଦ୍ରି – ୬ | ୯୫ | ୨୦.୦ | ଗୁଚ୍ଛ କିସମ |
ଧରଣୀ (ଟି.ସି.ଜି.ଏସ. – ୧୦୪୩) | ୧୦୫ | ୩୦.୦ | ମରୁଡ଼ି ସହଣି କିସମ |
ଉପଯୁକ୍ତ ମୃତ୍ତିକା:
ଚିନାବାଦାମ ମୁଖ୍ୟତଃ ବାଲିଆ ଦୋରସା ବା ବାଲିଆ ପଟୁ ଯୁକ୍ତ ହାଲୁକା ମାଟିରେ ଚାଷ କରାଯାଇଥାଏ। ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲା ମାନଙ୍କରେ ବନ୍ୟାଜଳ ମାଡ଼ୁଥିବା ନଦୀ ପଠା ଅଞ୍ଚଳ ବା ଉପତ୍ୟକାରେ ଏପରି ମୃତ୍ତିକା ଦେଖିବାକୁ ମିଳିଥାଏ। ଫସଲର ଉତ୍ତମ ଅଭିବୃଦ୍ଧି ଓ ଭଲ ଅମଳ ପାଇଁ ମୃତ୍ତିକାର ପି.ଏଚ. ବା ହାଇଡ୍ରୋଜେନ କ୍ଷମତା ୬.୦ ରୁ ୬.୫ ମଧ୍ୟରେ ହେବା ଆବଶ୍ୟକ। ଚିନା ବାଦାମ କ୍ଷେତ୍ରରେ ଫସଲର ଅଦଳ ବଦଳ ଚାଷ ଗୁରୁତ୍ତ୍ଵପୂର୍ଣ୍ଣ ଅଟେ କିନ୍ତୁ କପା, ଚିନା ବାଦାମ ଆଦି ପରେ ଦ୍ଵିତୀୟ ଫସଲ ହିସାବରେ ଚିନାବାଦାମ ଚାଷ କରିବା ଅନୁଚିତ। ସଠିକ ରୂପେ ଗଜା ହେବା ପାଇଁ ମୃତ୍ତିକାର ସର୍ବୋଚ୍ଚ ତାପମାତ୍ରା ୩୦ ଡିଗ୍ରୀ ସେଲସିୟସ ହେବା ଆବଶ୍ୟକ।
ଜମି ପ୍ରସ୍ତୁତି:
- ଟ୍ରାକ୍ଟର କିମ୍ବା ରୋଟାଭେଟର ଦ୍ଵାରା ଜମିକୁ ତିନି ଚାରି ଓଡ଼ ଚାଷ କରିବା ଆବଶ୍ୟକ ଏବଂ ସିଆରର ଗଭୀରତା ୧୫ ସେ.ମି. ହେବା ଆବଶ୍ୟକ
- ଶେଷ ଓଡ଼ ଚାଷ ପୂର୍ବରୁ ହେକ୍ଟର ପ୍ରତି ୫ ଟନ କମ୍ପୋଷ୍ଟ ବା ଖତକୁ ଜମିରେ ଭଲ ଭାବେ ମିଶାଇ ଦିଅନ୍ତୁ
ବିହନ ବିଶୋଧନ :
- ବୁଣିବା ପୂର୍ବରୁ ପ୍ରତି କି.ଗ୍ରା. ବିହନ ସହ ୫-୧୦ ଗ୍ରାମ ଟ୍ରାଇକୋଡର୍ମା ମିଶାଇ ବିଶୋଧନ କରନ୍ତୁ।
ବିହନ ବୁଣା ସମୟ :
ବିହନ ମାତ୍ରା ଏବଂ ବ୍ୟବଧାନ:
- କ୍ଷୁଦ୍ର ଆକାର ମଞ୍ଜି ଥିବା କିସମ ବ୍ୟବହାର କରୁଥିଲେ, ଏକର ପ୍ରତି ୫୦ – ୫୫ କି.ଗ୍ରା.
- ବଡ଼ ଆକାରର ମଞ୍ଜି ଥିବା କିସମ ବ୍ୟବହାର କରୁଥିଲେ, ଏକର ପ୍ରତି୫୫ – ୬୦ କି.ଗ୍ରା.
- ଧାଡ଼ିକୁ ଧାଡ଼ି ୨୫ ସେ.ମି. ଓ ଗଛକୁ ଗଛ ବ୍ୟବଧାନ ୧୦ ସେ.ମି. ହେବା ଉଚିତ
ଖାଦ୍ୟସାର ପରିଚାଳନା:
- ବିହନ ବୁଣିବା ପୂର୍ବରୁ ହେକ୍ଟର ପ୍ରତି ୨୦ କି.ଗ୍ରା. ଯବକ୍ଷାର, ୪୦କି.ଗ୍ରା. ଫସଫରସ ଏବଂ ୪୦କି.ଗ୍ରା. ପଟାସ ସାର ପ୍ରୟୋଗ କରନ୍ତୁ
- ଅଧିକ ଅମଳ ପାଇବା ପାଇଁ ବିହନ ବୁଣିବାର ୩ – ୫ ସପ୍ତାହ ପୂର୍ବରୁ ହେକ୍ଟର ପ୍ରତି ୫୦୦କି.ଗ୍ରା. ଚୂନ ପ୍ରୟୋଗ କରନ୍ତୁ
- ମୂଳ ସାର ସହ ବର୍ଷକୁ ଥରେ ହେକ୍ଟର ପ୍ରତି ୨୫ କି.ଗ୍ରା. ଜିଙ୍କ ବା ଦସ୍ତା ସାର ପ୍ରୟୋଗ କରନ୍ତୁ। ବୋରନ ଅଭାବ ଦେଖାଦେଲେ ବୁଣିବା ପରେ ହେକ୍ଟର ପ୍ରତି ୧୦କି.ଗ୍ରା. ହିସାବରେ ବୋରାକ୍ସ ପ୍ରୟୋଗ କରନ୍ତୁ
- ଅଧିକ ସଂଖ୍ୟକ ଫଳ ଓ ଉନ୍ନତ ମାନର ଏବଂ ସଠିକ ରୂପେ ଫଳ ପୂରଣ ପାଇଁ ଓହଳ ବାହାରିବା ସମୟରେ ହେକ୍ଟର ପ୍ରତି ୨୦୦-୩୦୦ କି.ଗ୍ରା. ଜିପସମ ପ୍ରୟୋଗ କରନ୍ତୁ
ଅନାବନା ଘାସ ପରିଚାଳନା:
- ବୁଣିବାର ୨୫ ଦିନ ପରେ ଅତିକମରେ ଥରେ କୋଡ଼ା ଖୋସା କରି ମାଟି ଟେକି ଦିଅନ୍ତୁ। ବୁଣିବାର ୩୫ ଦିନ ପରେ ଥରେ ହାତ ବଛା କରିଦେଲେ ଘାସ ନିୟନ୍ତ୍ରଣ ହୋଇଥାଏ। ଗଜା ହେବା ପୂର୍ବ ଘାସମରା ହିସାବରେ ବୁଣିବାର ୨-୩ ଦିନ ମଧ୍ୟରେ ହେକ୍ଟର ପ୍ରତି ୨୦୦ ମି.ଲି. ଅକ୍ସିଫ୍ଲୋରଫେନ ୨୩.୫% ଇ.ସି. ପ୍ରୟୋଗ କରନ୍ତୁ।
ଜଳ ପରିଚାଳନା :
- ଭଲ ଭାବେ ଗଜା ହେବା ପାଇଁ ବିହନ ବୁଣିବା ପୂର୍ବରୁ ଓ ପରେ ଜମିରେ ଥରେ ଲେଖାଏ ପାଣି ମଡ଼ାଇବା ଉଚିତ
- ମାଟିର ବତର ବା ଅର୍ଦ୍ରତା ହିସାବରେ ପ୍ରତି ୧୦ ରୁ ୧୫ ଦିନରେ ଥରେ ଜଳ ସେଚନ କରିବା ଆବଶ୍ୟକ
- ଧାନର ଛଣ ବା କୁଟା ସାହାଯ୍ୟରେ ମାଟିକୁ ଢାଙ୍କିବା ଦ୍ଵାରା ଆର୍ଦ୍ରତା ବଜାୟ ରହିବା ସହ ଅଙ୍ଗାରକ ମଧ୍ୟ ସଂରକ୍ଷିତ ହୋଇପାରିଥାଏ
- ଫୁଲ ଧରିବା, ଓହଳ ଏବଂ ଫଳର ବିକାଶ ଭଳି ସଙ୍କଟ ଜନକ ସ୍ଥିତିରେ ଜଳ ସେଚନର ଅବଶ୍ୟକତା ରହିଥାଏ
ରୋଗ ପୋକ ପରିଚାଳନା:
- ଚିନାବାଦାମରେ ଦେଖାଯାଉଥିବା ଟୀକା ରୋଗର ନିୟନ୍ତ୍ରଣ ପାଇଁ ବିହନ ବୁଣିବାର ୪ – ୫ ସପ୍ତାହ ପରେ ୧ ଲିଟର ପାଣିରେ ୨ ଗ୍ରାମ କ୍ଳୋରୋଥାଲୋନିଲ ୭୫% ଡବ୍ଲୁ.ପି. ମିଶାଇ ସ୍ପ୍ରେ କରନ୍ତୁ
- ଧଳା ଭୃଙ୍ଗ ପୋକ ନିୟନ୍ତ୍ରଣ ପାଇଁ ଶେଷ ଓଡ଼ ଚାଷ ସମୟରେ ହେକ୍ଟର ପ୍ରତି ୪୦ କି.ଗ୍ରା. ହିସାବରେ ବେଞ୍ଜିନ ହେକ୍ସାକ୍ଲୋରାଇଡ ବା ବି.ଏଚ.ସି ୨% ପ୍ରୟୋଗ କରନ୍ତୁ।
ଅମଳ:
- ଗଛ ଗୁଡ଼ିକର ପତ୍ର ହଳଦିଆ ରଙ୍ଗର ହେଲେ ଏବଂ ୭୦ – ୮୦ ଭାଗ ଫଳ ପାକଳ ହୋଇଗଲେ ଚିନାବାଦାମ ଅମଳ ଯୋଗ୍ୟ ବୋଲି ଜଣା ପଡ଼ିଥାଏ
- ଜମିରୁ କିଛି ଗଛ ଓପାଡ଼ି ଖୋଳପା ଛଡ଼ାଇ ପାକଳ ହୋଇଛି କି ନାହିଁ ଦେଖନ୍ତୁ
- ମାଟି ଅଧିକ ଶୁଖିଯାଇଥିଲେ, ଅମଳ ପୂର୍ବରୁ ଜମିରେ ପାଣି ମଡ଼ାଇ ନିଅନ୍ତୁ। ଏହା ଦ୍ଵାରା ଗଛ ଉପାଡ଼ିବା ସହଜ ହୋଇଥାଏ