ଧାନ ଡାକ୍ତରକୁ ସ୍ୱାଗତ । ଏହି ନିଦାନ ଉପକରଣ ଆପଣଙ୍କୁ ନିଜ ଫସଲର ସମସ୍ୟା ବିଷୟରେ ଅବଗତ କରାଇବା ସହିତ ଏହାର ପରିଚାଳନା ପାଇଁ କାର୍ଯ୍ୟକାରୀ ହେବା ପରି ଉପଦେଶ ପ୍ରଦାନ କରିବ ।
ଧାନ ଡାକ୍ତର କ’ଣ ?
ଫସଲର ଉତ୍ତମ ପରିଚାଳନା ନ ହେବା, ସାର ପ୍ରୟୋଗରେ ଅସମାନତା ଅଥବା ପରିବେଶଗତ କାରଣ ଯୋଗୁଁ ରୋଗପୋକ ଆକ୍ରମଣ ଓ ଭୌତିକ ସଙ୍କଟ ଦ୍ୱାରା ଧାନ ଫସଲରେ ଦେଖାଯାଉଥିବା ସମସ୍ୟା ନିର୍ଣ୍ଣୟ ପାଇଁ ଏକ ମଧ୍ୟବର୍ତ୍ତୀ ଋତୁକାଳୀନ ଉପକରଣ ହେଉଛି ଧାନ ଡାକ୍ତର । ଗଛରେ ବିଭିନ୍ନ ଲକ୍ଷଣ ଦେଖି ସମସ୍ୟାର କାରଣ ନିର୍ଦ୍ଧାରଣ କରିବା ସହିତ ଏହି ସମସ୍ୟାର ପ୍ରତିକାର/ପରିଚାଳନା ନିମନ୍ତେ ଧାନ ଡାକ୍ତର କୃଷି କାର୍ଯ୍ୟ ଓ ଯାନ୍ତ୍ରିକ ଉପାୟ ବିଷୟରେ ସୁପାରିଶ ପ୍ରଦାନ କରିଥାଏ । ଧାନ ଫସଲରେ ଦେଖାଯାଉଥିବା ସମସ୍ୟା ଚିହ୍ନଟୀକରଣ ସହିତ ଏହାର ପରିଚାଳନା ପାଇଁ ଧାନ ଡାକ୍ତର ଲୋକମାନଙ୍କୁ ସହାୟତା ପ୍ରଦାନ କରିଥାଏ । ଏହି ଲୋକମାନଙ୍କ ମଧ୍ୟରେ ଗ୍ରାମାଂଚଳରେ ରହିଥିବା ବେସରକାରୀ ପରାମର୍ଶ ସେବା, ସଂପ୍ରସାରଣକର୍ମୀ, ସ୍ୱେଚ୍ଛାସେବୀ ସଂଗଠନ, ଉଦ୍ଭିଦ ରୋଗ ନିଦାନ କେନ୍ଦ୍ର, କୃଷକ ଓ କୃଷକ ସଂଗଠନ ଅନ୍ତର୍ଭୁକ୍ତ ଅଟନ୍ତି ।
ଧାନ ଫସଲରେ ଦେଖାଯାଉଥିବା ସମସ୍ୟାର ଚିହ୍ନଟ କରି ଏହାର ଉତ୍ତମ ପରିଚାଳନା ପାଇଁ ବ୍ୟବହାରକାରୀଙ୍କୁ ପରାମର୍ଶ ଦେବାରେ ଧାନ ଡାକ୍ତର ସାହାଯ୍ୟ କରିଥାଏ । ଧାନ ଫସଲର ସମସ୍ୟାକୁ ଭୁଳ୍ ଭାବେ ଚିହ୍ନଟ କରିବାରୁ ରକ୍ଷା କରି ଏବଂ ସମସ୍ୟାର ନିର୍ଭୁଲ ପରିଚାଳନା ନିମନ୍ତେ ତଥ୍ୟ ପ୍ରଦାନ କରି ଧାନ ଡାକ୍ତର ଧାନ ଫସଲର କୁପରିଚାଳନା ଜନିତ ସମସ୍ୟାକୁ ଦୂର କରିଥାଏ । ଏହା ମଧ୍ୟରେ ଭୁଲ୍ ଭାବେ ଏବଂ କମ୍ ଫଳପ୍ରଦ ଭାବେ ରୋଗପୋକ ନିୟନ୍ତ୍ରଣ ବ୍ୟବସ୍ଥା ଅନ୍ତର୍ଭୁକ୍ତ ଅଟେ (ଭୁଲ୍ ଔଷଧ ବ୍ୟବହାର ଏବଂ ଭୁଲ୍ ରୋଗଜୀବାଣୁ ମାରିବା) ।
![Rice Doctor Rice Doctor](https://rkb-odisha.in/wp-content/uploads/2024/08/Rice-Doctor.png)
ନିମ୍ନ ଅନୁଷ୍ଠାନମାନଙ୍କୁ ସାମିଲ କରି ଏକ ଆନ୍ତର୍ଜାତୀୟ ଗୋଷ୍ଠୀ ଦ୍ୱାରା ଅନେକ ବର୍ଷର ଉଦ୍ୟମ ପରେ ଏହି ଉତ୍ପାଦର ବିକାଶ କରାଯାଇଛି।
- ଆନ୍ତର୍ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ (IRRI)
- ପ୍ରଥମରୁ ଅଷ୍ଟ୍ରେଲିଆର କୁଇନ୍ସଲାଣ୍ଡ ବିଶ୍ୱବିଦ୍ୟାଳୟରେ ଥିବା ଏବଂ ବର୍ତ୍ତମାନ ଆଇଡେଣ୍ଟିକ୍ ପ୍ରାଇଭେଟ୍ ଲିମିଟେଡ଼ରେ ରହିଥିବା ଲୁସିଡ଼୍ ଟିମ୍ ।
ଆହ୍ୱାନ
ଗ୍ରୀଷ୍ମ ମଣ୍ଡଳରେ ଚାଷ କରାଯାଉଥିବା ଧାନ ଫସଲରେ ବିଭିନ୍ନ ପ୍ରକାରର ରୋଗପୋକ ସମସ୍ୟା ଦେଖାଯାଇଥାଏ । ଉପଯୁକ୍ତ ସମୟରେ ଏହାର ନିୟନ୍ତ୍ରଣ କରାନଗଲେ ଧାନ ଅମଳ ହ୍ରାସ ପାଇବା ସହିତ କୃଷକଙ୍କ ଆୟ କମି ଯାଇଥାଏ । ଆନ୍ତର୍ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ ତରଫରୁ କରାଯାଇଥିବା ଏକ ଗବେଷଣା ଅନୁସାରେ ରୋଗପୋକ ଆକ୍ରମଣ ଯୋଗୁଁ ଧାନ ଅମଳ ହାରାହାରି ୩୭% ହ୍ରାସ ପାଇଥାଏ । ଚାଷ କରାଯାଉଥିବା ପରିବେଶ ଅନୁସାରେ ଏହି କ୍ଷତି ପରିମାଣ ୨୪% ରୁ ୪୧% ମଧ୍ୟରେ ରହିଥାଏ ।
ଧାନ ଅମଳ ହ୍ରାସ ରୋକିବା ନିମନ୍ତେ ଯଥାଶୀଘ୍ର ଠିକ୍ ଭାବେ ରୋଗପୋକ ଚିହ୍ନଟ କରାଯିବା ଗୁରୁତ୍ୱପୂର୍ଣ୍ଣ ଅଟେ । ସମସ୍ୟାର କାରଣ ନିର୍ଣ୍ଣୟ ପରେ ଫସଲର ଅମଳ ହ୍ରାସ ରୋକିବା ନିମନ୍ତେ ଉପଯୁକ୍ତ ସମୟରେ ଠିକ୍ ଭାବେ ପରିଚାଳନା ବ୍ୟବସ୍ଥା ଗ୍ରହଣ କରାଯିବା ଆବଶ୍ୟକ ।