ଡାଲିଜାତୀୟ ଫସଲ ହେଉଛି ଲେଗୁମ ପରିବାର ଅଧିନରେ ରହିଥିବା ଉଦ୍ଭିଦର ଖାଦ୍ୟ ଉପଯୋଗୀ ମଞ୍ଜି । ବିଭିନ୍ନ ଆକାର, ଆକୃତି ଓ ରଙ୍ଗର ଛୁଇଁ ମଧ୍ୟରେ ଡାଲି ଜାତୀୟ ଫସଲର ମଞ୍ଜି ରହିଥାଏ । ଏଗୁଡ଼ିକ ଋତୁକାଳୀନ ଫସଲ ଓ ପ୍ରତି ଛୁଇଁରେ ୧ ରୁ ୧୨ଟି ଶସ୍ୟ ରହିଥାଏ । ଦାନା ଶୁଖିଲା ପରେ ଅମଳ କରାଯାଉଥିବା ଉଦ୍ଭିଦ ଡାଲିଜାତୀୟ ଫସଲର ଅନ୍ତର୍ଭୁକ୍ତ । ସବୁଜ ଅବସ୍ଥାରେ ଅମଳ ହେଉଥିବା ପନିପରିବାଠାରୁ ଏହା ଭିନ୍ନ ଅଟେ ।
ଡାଲି ଆମ ଶରୀର ପାଇଁ ସ୍ୱାସ୍ଥ୍ୟକର, ପୁଷ୍ଟିକର ଓ ଏହାକୁ ସହଜରେ ରୋଷେଇ କରାଯାଇପାରେ । କମ୍ ସବୁଜ ଗୃହ ଗ୍ୟାସ୍ ନିର୍ଗମନ, ମୃତ୍ତିକା ସ୍ୱାସ୍ଥ୍ୟରେ ଉନ୍ନତି ଏବଂ ଅନ୍ୟ ଫସଲ ତୁଳନାରେ କମ୍ ଜଳ ଆବଶ୍ୟକ କରୁଥିବାରୁ ଡାଲିଜାତୀୟ ଫସଲ ଦୀର୍ଘସ୍ଥାୟୀ କୃଷିକୁ ପ୍ରୋତ୍ସାହିତ କରିଥାଏ । ଖାଦ୍ୟରେ ପୁଷ୍ଟିସାର ଯୋଗାଣ କ୍ଷେତ୍ରରେ ଡାଲି ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ବିଶେଷ କରି ଭାରତରେ ଧାନ ଭିତ୍ତକ ଫସଲ ବ୍ୟବସ୍ଥାରେ ଖାଦ୍ୟ ବିବିଧତା ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।
ଓଡ଼ିଶାର ପ୍ରାୟ ସମସ୍ତ ଅଞ୍ଚଳରେ ଡାଲିଜାତୀୟ ଫସଲ ଚାଷ କରାଯାଇଥାଏ । ଓଡ଼ିଶାରେ ତିନୋଟି ଋତୁରେ ନିମ୍ନ ଅବସ୍ଥାରେ ଡାଲିଜାତୀୟ ଫସଲ ଚାଷ କରାଯାଏ ।
- ଖରିଫ ଋତୁରେ ଅଣଜଳସେଚିତ ଅବସ୍ଥା
- ରବି ଋତୁରେ ମାଟିର ବତରକୁ ଉପଯୋଗ କରି
- ଗ୍ରୀଷ୍ମ ଋତୁରେ ଜଳସେଚିତ ଅବସ୍ଥା
ଓଡ଼ିଶାର ସମସ୍ତ ୩୦ଟି ଜିଲ୍ଲାରେ ପ୍ରାୟ ୧୯.୫୧ ଲକ୍ଷ ହେକ୍ଟର ଜମିରେ ଚାଷ କରାଯାଉଥିବା ଡାଲି ଜାତୀୟ ଫସଲର ହାରାହାରି ଉତ୍ପାଦକତା ହେକ୍ଟର ପ୍ରତି ୫୪୦ କି.ଗ୍ରା. ଏବଂ ବାର୍ଷିକ ଉତ୍ପାଦନ ୧୦.୫୪ ଲକ୍ଷ ଟନ୍ ଅଟେ (୨୦୧୮-୧୯) । ଦେଶରେ ଡାଲି ଜାତୀୟ ଫସଲର ହାରାହାରି ଅମଳ ହେକ୍ଟର ପ୍ରତି ୮୦୬ କି.ଗ୍ରା. ହୋଇଥିବାବେଳେ ରାଜ୍ୟରେ ଏହା ଯଥେଷ୍ଟ କମ୍ ଅଟେ । ଏଥିରୁ ଜଣାଯାଏ ଯେ ଉନ୍ନତ ବିହନ ବ୍ୟବହାର ଏବଂ ବୈଜ୍ଞାନିକ ପଦ୍ଧତିରେ ଚାଷ କରାଗଲେ ରାଜ୍ୟରେ ଡାଲି ଫସଲର ଅମଳ ବୃଦ୍ଧି ପାଇବାର ଯଥେଷ୍ଟ ସୁଯୋଗ ରହିଛି ।
- ଓଡ଼ିଶାରେ ଡାଲି ଜାତୀୟ ଫସଲର କ୍ଷେତ୍ରଫଳ ଓ ଅମଳ ଅନୁଶୀଳନ
- ଓଡ଼ିଶାରେ ଡାଲି ଜାତୀୟ ଫସଲର ବାର୍ଷିକ ଉତ୍ପାଦନ, କ୍ଷେତ୍ରଫଳ ଓ ହାରାହାରି ଅମଳ
ବର୍ଷ | କ୍ଷେତ୍ରଫଳ (ଲକ୍ଷ ହେକ୍ଟର) | ଉତ୍ପାଦନ (ଲକ୍ଷ ଟନ୍) | ଉତ୍ପାଦିକତା (କି.ଗ୍ରା./ହେକ୍ଟର) | ଜାତୀୟ ଉତ୍ପାଦିକତା (କି.ଗ୍ରା./ହେକ୍ଟର) |
---|---|---|---|---|
୨୦୧୬-୧୭ | ୧୯.୮୭ | ୯.୯୮ | ୫୦୨ | ୭୮୬ |
୨୦୧୭-୧୮ | ୨୦.୪୭ | ୧୦.୭୬ | ୫୨୬ | ୮୫୩ |
୨୦୧୮-୧୯ | ୧୯.୫୧ | ୧୦.୫୪ | ୫୪୦ | ୭୫୭ |
୨୦୧୯-୨୦ | ୨୦.୨୨ | ୧୦.୪୫ | ୫୪୪ | ୮୨୩ |
ଭାରତରେ ମୋଟ ୨୦୧୯-୨୦ | ୨୭୯.୮ | ୨୩୦.୨ | ||
ଓଡ଼ିଶା % ୨୦୧୯-୨୦ | ୭.୨୩ | ୪.୫୪ |
ଓଡ଼ିଶାରେ ଋତୁ ଅନୁସାରେ ଡାଲି ଜାତୀୟ ଫସଲର କ୍ଷେତ୍ରଫଳ, ଉତ୍ପାଦନ ଓ ଉତ୍ପାଦିକତା (୨୦୧୬-୨୦୨୦)
ଖରିଫ୍ | ରବି | |
---|---|---|
ଡାଲି ଜାତୀୟ ଫସଲର କ୍ଷେତ୍ରଫଳ | ୩୩% | ୬୭% |
ଡାଲି ଜାତୀୟ ଫସଲର ଉତ୍ପାଦନ | ୩୬% | ୬୪% |
ଉତ୍ପାଦିକତା (କି.ଗ୍ରା./ହେକ୍ଟର) | ୫୭୬ | ୫୨୮ |
ରାଜ୍ୟରେ ମୁଖ୍ୟତଃ ଚାରି ପ୍ରକାରର ଡାଲି ଜାତୀୟ ଫସଲ ଚାଷ କରାଯାଇଥାଏ
୩. କୋଳଥ (ମାକ୍ରୋଟାଇଲୋମା ୟୁନିଫ୍ଲୋରମ)
୪. ହରଡ଼ (କାଜାନସ କାଜାନ)
ଓଡ଼ିଶାରେ ବିଭିନ୍ନ ଡାଲି ଜାତୀୟ ଫସଲର ଉତ୍ପାଦନ ଓ ଉତ୍ପାଦିକତା (୨୦୧୮-୧୯)
ଫସଲର ନାମ | କ୍ଷେତ୍ରଫଳ (ଲକ୍ଷ ହେକ୍ଟର) | ଉତ୍ପାଦନ (ଲକ୍ଷ ଟନ୍) | ଓଡ଼ିଶାର ଉତ୍ପାଦିକତା (କି.ଗ୍ରା./ହେକ୍ଟର) | ଜାତୀୟ ଉତ୍ପାଦକିତା (କି.ଗ୍ରା./ହେକ୍ଟର) |
---|---|---|---|---|
ମୁଗ | ୮.୩୭ | ୪.୧୧ | ୪୯୧ | ୫୧୬ |
ବିରି | ୪.୮୯ | ୨.୩୮ | ୪୮୬ | ୫୪୬ |
କୋଳଥ | ୨.୦୫ | ୦.୯୨ | ୪୪୮ | ୩୯୪ |
ହରଡ଼ | ୧.୪୪ | ୧.୪୭ | ୧୦୨୨ | ୭୨୯ |
ବୁଟ | ୦.୩୧ | ୦.୨୪ | ୭୮୦ | ୧୦୪୧ |
ଝୁଡ଼ଙ୍ଗ | ୦.୬୫ | ୦.୪୮ | ୭୪୩ | ଉପଲବ୍ଧ ନାହିଁ |
ମଟର | ୦.୩୨ | ୦.୨୪ | ୭୬୮ | ୧୩୩୮ |
ମସୁର | ୦.୧୦ | ୦.୦୫ | ୫୨୮ | ୯୦୧ |
ଅନ୍ୟାନ୍ୟ | ୧.୪୦ | ୦.୬୫ | ୪୬୬ | ଉପଲବ୍ଧ ନାହିଁ |
ମୋଟ | ୧୯.୫୧ | ୧୦.୫୩ | ୫୪୦ | ୭୫୭ |
ସାମ୍ପ୍ରତିକ ଉତ୍ପାଦନ ପଦ୍ଧତିରେ ଅସୁବିଧା
ଭୌତିକ ଅସୁବିଧା
- ଡାଲି ଜାତୀୟ ଫସଲ ଚାଷ କରାଯାଉଥିବା ଜମିର ପ୍ରାୟ ଶତକଡ଼ା ୯୪ ଭାଗ ଜମି ଅଣଜଳସେଚିତ ଅଟେ (ଖରିଫରେ ୩୩% ଅଣଜଳସେଚିତ ଓ ରବି ଋତୁରେ ୬୧% ମାଟିର ବତରକୁ ଉପଯୋଗ କରି ଚାଷ କରାଯାଏ)।
- ଅନୁର୍ବର ଜମିରେ ଚାଷ କରାଯାଏ ।
- ଶୀତ ଋତୁରେ କମ୍ ବର୍ଷା ହେବା ଫଳରେ ରବି ଫସଲ ଜଳାଭାବର ସମ୍ମୁଖୀନ ହୋଇଥାଏ ।
- ଉପକୂଳବର୍ତ୍ତୀ ଅଞ୍ଚଳରେ ପାଣି ଜମି ରହିବା କାରଣରୁ ଫସଲର ଅଭିବୃଦ୍ଧି ବ୍ୟାହତ ହୋଇଥାଏ ।
- ରାଜ୍ୟରେ ମୋଟ ଚାଷ ଜମିର ପ୍ରାୟ ୭୦% ଅମ୍ଳୀୟ ହୋଇଥିବାରୁ ଫସଲ ଅମଳ ହ୍ରାସ ପାଇଥାଏ ।
- ଉପକୂଳବର୍ତ୍ତୀ ଅଞ୍ଚଳର ବ୍ୟାପକ ଜମିରେ ଲୁଣା ମାଟି ରହିଥାଏ ।
- କେନାଲ ଦ୍ୱାରା ଜଳସେଚିତ ହେଉଥିବା ଜମି କ୍ରମେ କ୍ରମେ ଡାଲି ଜାତୀୟ ଫସଲ ଚାଷ ପାଇଁ ଅନୁପଯୁକ୍ତ ହେବାରେ ଲାଗିଛି ।
- ଡାଲି ଜାତୀୟ ଫସଲ କ୍ରମେ କ୍ରମେ ଅନୁର୍ବର ଜମି ଓ ଉତ୍ପାଦନକ୍ଷମ ନଥିବା ପରିବେଶରେ ଚାଷ କରାଯାଉଛି ।
- ବର୍ଷା ଋତୁରେ ଫସଲ ପାକଳ ହେବାବେଳେ ବୃଷ୍ଟିପାତ, ରବି ଋତୁରେ ବୁଣିବାବେଳେ ଅତ୍ୟନ୍ତ ଶୀତ ପଡ଼ିବା ଏବଂ ଗ୍ରୀଷ୍ମ ଋତୁରେ ଫୁଲ ହେବାବେଳେ ଉତ୍ତାପ ବୃଦ୍ଧି (ମୁଗ ଓ ବିରି) ଯୋଗୁଁ ଅମଳ ହ୍ରାସ ପାଇଥାଏ ।
- ବୁଲା ଗାଈଗୋରୁଙ୍କ ସମସ୍ୟା ପାଇଁ ଅଧିକ ଜମିରେ ଡାଲି ଜାତୀୟ ଫସଲ ଚାଷ କରାଯାଇପାରେ ନାହିଁ ।
ବୈଷୟିକ ଅସୁବିଧା
- ବିଭିନ୍ନ ଜୈବ ଓ ଅଜୈବ ସଙ୍କଟ ଯଥା ଭୂତାଣୁ ଜନିତ ସାହେବୀ ରୋଗ ଏବଂ ଅତ୍ୟଧିକ ଶୀତ ପ୍ରତିରୋଧି ବିହନ କିସମର ଅଭାବ
- ବିଭିନ୍ନ କୃଷି ଜଳବାୟୁ ଅବସ୍ଥା ଓ ବହୁବିଧ ପ୍ରତିକୂଳ ଅବସ୍ଥାରେ ଚାଷ ହେବା ଉପଯୋଗୀ ଗୁଣାବଳୀ ଥିବା ଅଧିକ ଅମଳ ଦେଉଥିବା ବିହନ କିସମର ଅଭାବ
- ଜଳସେଚନ ଓ ଅଧିକ ସାର ପ୍ରୟୋଗ ଅନୁସାରେ ଅଧିକ ଅମଳ ଦେଇ ପାରୁଥିବା କିସମର ଅଭାବ
- ସ୍ଥାନୀୟ କିସମ ତୁଳନାରେ ଅଧିକାଂଶ ଉନ୍ନତ ବିହନରେ ଉନ୍ନତ ମାନର ଖାଦ୍ୟମୂଲ୍ୟ ଅଭାବ ହେବା
- ପରାଗରେଣୁର ଗଣ ପ୍ରବାହ ନ ହେବା ଏବଂ ଉପଯୁକ୍ତ ପୁରୁଷ ବନ୍ଧ୍ୟାକରଣ ବ୍ୟବସ୍ଥାର ଅଭାବ ଯୋଗୁଁ ସଙ୍କର କିସମର ବ୍ୟବସାୟିକ ଭିତ୍ତିରେ ଚାଷ କରାଯାଇ ନ ପାରିବା ।
- ପ୍ରତିକୂଳ ଅବସ୍ଥାରେ ଫସଲ ଅମଳରେ ସ୍ଥିରତା ନଥିବା ଯୋଗୁଁ ଚାଷ କ୍ଷେତ୍ରରେ ଉନ୍ନତ ଜ୍ଞାନକୌଶଳ ପ୍ରୟୋଗ ନ ହେବା ।
ସେବା ଜନିତ ଅସୁବିଧା
- ପ୍ରମାଣୀକୃତ / ଉନ୍ନତମାନର ବିହନର ଚାହିଦା ଓ ଯୋଗାଣ ମଧ୍ୟରେ ରହିଥିବା ବ୍ୟାପକ ପ୍ରଭେଦ ଏବଂ ନିମ୍ନ ବିହନ ପ୍ରତିବଦଳ ହାର
- ଅମଳ ବୃଦ୍ଧି ଉପରେ ଦୃଶ୍ୟମାନ ପ୍ରଭାବ ନଥିବା ଯୋଗୁଁ ଖୁବ୍ କମ୍ ପରିମାଣରେ ରାଇଜୋବିୟମ କଲଚର ବ୍ୟବହାର ହେବା ଅଥବା ଆଦୌ ବ୍ୟବହାର ନ ହେବା । ତେଣୁ ଜୀବାଣୁ କଲଚର ଉତ୍ପାଦନ ଓ ବିକ୍ରିବେଳେ ଉନ୍ନତମାନ ବଜାୟ ରଖିବା ପାଇଁ କଠୋର ପଦକ୍ଷେପ ନେବା ନିହାତି ଜରୁରୀ ।
- ସାଇତା ବ୍ୟବସ୍ଥାର ଅଭାବ ଏବଂ ନିମ୍ନମାନର ସାଇତା ଯିବା । ଅମଳ ପରବର୍ତ୍ତୀ ସମୟରେ ପ୍ରାୟ ୨୩-୩୦% ଶସ୍ୟ ନଷ୍ଟ ହୋଇଥାଏ ।