ଧାନକୁ ଚାଉଳ ନକରି ସେହି ଅବସ୍ଥାରେ (ଧାନ ଅବସ୍ଥା) ଅଧିକ ଦିନ ସାଇତା ଯାଇପାରେ । ଫଳରେ ଚାଉଳ ଉପରେ ରହିଥିବା ଆବରଣ ଯୋଗୁଁ କୀଟ ଆକ୍ରମଣରୁ ଶସ୍ୟକୁ ସୁରକ୍ଷା ମିଳିବା ସହିତ ଶସ୍ୟର ମାନ ହ୍ରାସ ପାଇ ନଥାଏ । ଗୋଟିଏ ନିରାପଦ ବା ବାୟୁରୁଦ୍ଧ ସାଇତା ବ୍ୟବସ୍ଥା ଯୋଗୁଁ ଶୁଖାଇବା ପରେ ଧାନ ପୁଣିଥରେ ଜଳୀୟ ଅଂଶ ଗ୍ରହଣ କରିପାରେ ନାହିଁ ଏବଂ କୀଟ, ମୂଷା ଓ ପକ୍ଷୀ ଆକ୍ରମଣରୁ ସୁରକ୍ଷିତ ରହିଥାଏ ।
ଧାନକୁ ଅଧିକ ଦିନ ସାଇତି ରଖା ଯାଇପାରିବ, ଯଦି:
- ଶସ୍ୟ ପାଇଁ ୧୪% ରୁ କମ୍ ଓ ବିହନ ପାଇଁ ୧୨% ରୁ କମ୍ ଜଳୀୟ ଅଂଶ ରଖାଯାଇଥିଲେ;
- ଶସ୍ୟକୁ କୀଟ, ମୂଷା ଓ ପକ୍ଷୀ ଆକ୍ରମଣରୁ ରକ୍ଷା କରାଯାଇଥିଲେ ଏବଂ
- ବୃଷ୍ଟିଜଳ ବା ବାୟୁମଣ୍ଡଳର ଜଳୀୟ ଅଂଶ ଶସ୍ୟ ମଧ୍ୟରେ ପୁନଃପ୍ରବେଶ କରି ନ ପାରିଲେ ।
ସାଧାରଣ ନିୟମ ଅନୁସାରେ ନିର୍ଦ୍ଦିଷ୍ଟ ସ୍ତର ଠାରୁ ଶସ୍ୟର ଜଳୀୟ ଅଂଶ ପରିମାଣ ୧% ବୃଦ୍ଧି ପାଇଲେ ବା ସାଇତା ଅବସ୍ଥାର ଉତ୍ତାପ ୫ଂ ସେଲ୍ସିୟସ୍ ବୃଦ୍ଧି ପାଇଲେ ଶସ୍ୟର ଆୟୁଷ ଅଧା ହୋଇଥାଏ ।
ଧାନ ସାଇତିବା ବ୍ୟବସ୍ଥା
ମୁଣା ବା ବସ୍ତାରେ ସାଇତିବା ବ୍ୟବସ୍ଥା
- ଚାରି ମିଟରରୁ ଅଧିକ ଉଚ୍ଚତାରେ ମୁଣା/ବସ୍ତା ରଖାଯିବା ଉଚିତ୍ ନୁହେଁ ।
- ଛାତ ତଳେ, ଛାଇ ଜାଗାରେ ଅଥବା ଜଳ ନିରୋଧି ତାରପୋଲିନ ତଳେ ବସ୍ତାଗୁଡ଼ିକୁ ସାଇତିବା ଦରକାର ।
- ବସ୍ତା ଥାକ ମଧ୍ୟରେ ଏବଂ ଚତୁପାଶ୍ୱର୍ରେ ଏକ ମିଟର ଫାଙ୍କା ସ୍ଥାନ ରହିବା ଦରକାର ।
- ବସ୍ତାଗୁଡ଼ିକୁ ଭାଡ଼ି ଉପରେ ବା ଭୂମିଠାରୁ ଛାଡ଼ି ରଖାଯିବା ଦରକାର ।
- ବସ୍ତାଗୁଡ଼ିକୁ ଏପରି ଭାବେ ଥାକ ମାରିବା ଦରକାର ଯେମିତି ଆବଶ୍ୟକ ହେଲେ ଧୂଆଁ ଦେବା ସହଜ ହେବ ।
ଅଧିକ ପରିମାଣରେ ଧାନ ସାଇତିବା
ଘର ଭିତରେ ରଖାଯାଇଥିବା କାଠ, ଧାତୁ, ବା ସିମେଣ୍ଟ ନିର୍ମିତ ପାତ୍ରରେ ଧାନକୁ ଭର୍ତ୍ତି କରି ସାଇତି ରଖାଯାଇପାରେ । ଏହି ସାଇତା ପାତ୍ରଗୁଡ଼ିକ ଆକାରରେ ଭିନ୍ନ ଭିନ୍ନ ହୋଇଥିଲେ ସୁଦ୍ଧା ଏଗୁଡ଼ିକୁ କୀଟ, ମୂଷା ଓ ପକ୍ଷୀ ଆକ୍ରମଣ ଏବଂ ଜଳୀୟ ଅଂଶ ଗ୍ରହଣ କରିବାରୁ ସୁରକ୍ଷିତ ରଖାଯିବା ଦରକାର । ଅନ୍ୟଥା ଆନ୍ତର୍ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନର ନିରାପଦ ଶସ୍ୟ/କକୁନ ବ୍ୟବହାର କରି ବାୟୁରୁଦ୍ଧ ଭାବେ ଏକ ଟନରୁ ଅଧିକ ପରିମାଣର ଶସ୍ୟ ସାଇତି ରଖାଯାଇପାରିବ ।
ବାୟୁରୁଦ୍ଧ ବା ନିବୁଜ ସାଇତା ପଦ୍ଧତି
ଗ୍ରୀଷ୍ମ ମଣ୍ଡଳୀୟ ଅଞ୍ଚଳରେ ଶସ୍ୟର ଜଳୀୟ ଅଂଶ ନିୟନ୍ତ୍ରଣ ଏବଂ ସାଇତା ଶସ୍ୟ ବା ବିହନରେ କୀଟ ଆକ୍ରମଣ ପ୍ରତିହତ କରିବା ନିମନ୍ତେ ନିବୁଜ ବା ବାୟୁରୁଦ୍ଧ ସାଇତା ପଦ୍ଧତି ବେଶ୍ ଉପଯୋଗୀ ହୋଇଥାଏ । ନିବୁଜ ଭାବେ ସାଇତିବା ପାଇଁ କୃଷକମାନେ ତେଲ ଡ୍ରମ୍ ବା ଧାତବ ବିନ୍ ବ୍ୟବହାର କରିଥାନ୍ତି; ଯାହାଦ୍ୱାରା ଶସ୍ୟରେ ଜଳୀୟ ଅଂଶ ପୁନଃପ୍ରବେଶ କରିପାରେ ନାହିଁ । ଏହା ବ୍ୟତିତ ୫୦ କି.ଗ୍ରା. କ୍ଷମତା ବିଶିଷ୍ଟ ଆନ୍ତର୍ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନର ସୁପର ବ୍ୟାଗ୍ ମଧ୍ୟ ବ୍ୟବହାର କରାଯାଇପାରେ ।