ଭାରତରେ ଚାଷ କରାଯାଉଥିବା ପୁରାତନ ତୈଳବୀଜ ଫସଲ ମାନଙ୍କ ମଧ୍ୟରୁ ରାଶି ଅନ୍ୟତମ। ଓଡ଼ିଶାରେ ପ୍ରାୟତଃ ସମସ୍ତ ଜିଲ୍ଲାରେ ଏହି ଫସଲ ଚାଷ କରାଇଥାଏ। ଖରିଫ ଋତୁରେ ବର୍ଷାଶ୍ରିତ ଜମିରେ, ରବି ଋତୁରେ ବତର ଥିବା ଜମି ଏବଂ ଖରାଟିଆ ଚାଷ ପାଇଁ ଜଳ ସେଚିତ ଜମିର ବ୍ୟବହାର କରାଯାଇଥାଏ। ରାଶିରେ ୫୦ ଭାଗ ତେଲ, ୨୫ ଭାଗ ପୁଷ୍ଟିସାର ଏବଂ ୧୫ ଭାଗ ଶ୍ଵେତସାର ରହିଥାଏ। ବିଭିନ୍ନ ପର୍ବପର୍ବାଣି, ରୀତି ନୀତି ଓ ପୂଜା କାର୍ଯ୍ୟରେ ରାଶିର ବ୍ୟବହାର ଯୋଗୁଁ ଏହାର ମହତ୍ତ୍ଵ ଅଧିକ ଅଟେ। ରାଶିରେ ‘ସେସାମୋଲ’ ନାମକ ଆଣ୍ଟିଅକ୍ସିଡାଣ୍ଟ ଥିବାରୁ ଏହାର ତେଲ ଏବଂ ତେଲରେ ତିଆରି ଖାଦ୍ୟ ନଷ୍ଟ ନହୋଇ ଅଧିକ ସମୟ ରହିପାରେ। ରାଶି ତେଲକୁ ବିଭିନ୍ନ ସାମଗ୍ରୀ ଯେପରି ସାବୁନ, ରଙ୍ଗ, ଅତର, ଔଷଧ ଏବଂ କୀଟନାଶକ ତିଆରିରେ ବ୍ୟବହାର କରାଯାଇଥାଏ। ଏହା ବ୍ୟତୀତ, କୁକୁଡ଼ା ଓ ଅନ୍ୟ ପଶୁ ପକ୍ଷୀଙ୍କ ପାଇଁ ଏହା ଉଚ୍ଚ ଗୁଣର ପ୍ରୋଟିନଯୁକ୍ତ (୪୦ ଭାଗ) ଖାଦ୍ୟ ଅଟେ।
ଉପଯୁକ୍ତ ମୃତ୍ତିକା:
- ରାଶି ଫସଲକୁ ଭିନ୍ନ ଭିନ୍ନ ମାଟିରେ ଚାଷ କରାଯାଇ ପାରେ। ସାଧାରଣତଃ ନିଗିଡ଼ା ଏବଂ ହାଲୁକା ଓ ମଧ୍ୟମ ଧରଣର ମାଟିରେ ଏହା ଚାଷ କରାଯାଇଥାଏ। ଆବଶ୍ୟକ ପରିମାଣର ବତର ଥିବା ପଟୁ ଯୁକ୍ତ ବାଲିଆ ମାଟି ଏହି ଫସଲ ପାଇଁ ସର୍ବୋତ୍କୃଷ୍ଟ ଅଟେ
- ଚାଷ ପାଇଁ ମାଟିର ଅମ୍ଳତା ୫.୫ ରୁ ୮.୦ ମଧ୍ୟରେ ରହିବା ଆବଶ୍ୟକ। ଅଧିକ ଅମ୍ଳୀୟ କିମ୍ବା କ୍ଷାରୀୟ ମାଟି ଏହି ଫସଲ ପାଇଁ ଉପଯୋଗୀ ନୁହେଁ
- କାଦୁଆ ମାଟି କିମ୍ବା ଜମିରେ ମଡ଼ା ଯାଉଥିବା ପାଣିରେ ଲୁଣା ଅଂଶ ଅଧିକ ଥିଲେ ଫସଲର ଅମଳ କମିଯାଇଥାଏ
କିସମ:
କିସମ | ଅବଧି (ଦିନ) | ହେକ୍ଟର ପ୍ରତି ଅମଳ (କ୍ଵିଣ୍ଟାଲ) | ତେଲ ମାତ୍ରା (%) |
---|---|---|---|
ନିର୍ମଳା(ଓ.ଏସ୍-ସେଲ୍ -୧୬୪) | 88 | ୭.୦ | ୪୫ |
ପ୍ରାଚୀ (ଓ.ଆର.ଏମ. ୧୭) | ୯୦ | ୭.୫ | ୪୫ |
ସ୍ମାରକ (ଓ.ଏସ୍.ସି.୫୬୦) | ୮୦ | ୧୨.୦ | ୫୦ |
ଶୁଭ୍ରା (କ୍ଵିଉ.ଏସ୍.ସି.୨୦୭) | ୮୫ | ୨.୦ | ୫୨ |
ବିନାୟକ | ୮୦ | ୬.୦ | ୪୮ |
କନକ | ୮୦ | ୮.୦ | ୪୭ |
କଳିକା | ୮୦ | ୮.୦ | ୪୯ |
ଉଷା | ୭୫ | ୧୨.୦ | ୪୯ |
ଉମା | ୭୦ | ୧୦.୦ | ୫୩ |
ଜମି ପ୍ରସ୍ତୁତି:
ଜମିକୁ ଅତି କମରେ ୨ ଓଡ଼ ଚାଷ କରିବା ପରେ ଭଲ ଭାବେ ମଇ ଦେଇ ଟେଳା ମାଟିକୁ ଗୁଣ୍ଡ କରି ଦିଅନ୍ତୁ। ଏହା ଫଳରେ ମଞ୍ଜିରୁ ଭଲ ଗଜା ହୋଇଥାଏ ଏବଂ ସଠିକ ଭାବେ ଗଛ ଉଠିଥାଏ। ହଳ କରିବା ସମୟରେ ଅନାବନା ଘାସ ଓ ଅନ୍ୟ ଫସଲର ମୂଳ ଗୁଡ଼ିକୁ ବାଛି ବାହାର କରିଦେବା ଭଲ। ଜମିକୁ ଭଲ ଭାବେ ସମତୁଲ କରିବା ଫଳରେ ପାଣି ଜମି ନଥାଏ।
ବିହନ ବିଶୋଧନ:
ବିହନ ବାହିତ ରୋଗ ନିୟନ୍ତ୍ରଣ ପାଇଁ ପ୍ରତି କି.ଗ୍ରା. ବିହନ ସହ ୫-୧୦ ଗ୍ରାମ ଟ୍ରାଇକୋଡର୍ମା ମିଶାଇ ବିହନ ବିଶୋଧନ କରନ୍ତୁ। ବୀଜାଣୁ ଜନିତ ପତ୍ର ଦାଗ ରୋଗ ସଂକ୍ରମଣ ଆଶଙ୍କା ଥିଲେ ବୁଣିବା ପୂର୍ବରୁ ବିହନକୁ ଆଗ୍ରିମାଇସିନ – ୧୦୦ ୦.୦୨୫% ମିଶ୍ରଣରେ ୩୦ ମିନିଟ ଯାଏ ଭିଜାଇ ବ୍ୟବହାର କରନ୍ତୁ।
ବିହନ ପରିମାଣ:
ସଠିକ ପରିମାଣର ଗଛ ହେବ ପାଇଁ ହେକ୍ଟର ପ୍ରତି ୭ – ୧୦ କି.ଗ୍ରା. ବିହନ ବୁଣିବା ଆବଶ୍ୟକ ହୋଇଥାଏ। ବିହନ ବୁଣା ଯନ୍ତ୍ର ବ୍ୟବହାର କରୁଥିଲେ ବିହନ ପରିମାଣ ୩-୫ କି.ଗ୍ରା. ପର୍ଯ୍ୟନ୍ତ ଆବଶ୍ୟକ ହୋଇଥାଏ। ଧାଡ଼ିରେ ବିହନ ବୁଣିବା ଦ୍ଵାରା ଅନ୍ତଃଚାଷ କରିବାରେ ସୁବିଧା ହୋଇଥାଏ ଏବଂ ଅଧିକ ଅମଳ ମଧ୍ୟ ମିଳିଥାଏ।
ବୁଣିବା ପଦ୍ଧତି:
- ରବି ଫସଲ ପାଇଁ ସେପ୍ଟେମ୍ବର ମାସରୁ ଅକ୍ଟୋବର ମାସ ମଧ୍ୟରେ ବୁଣା କାର୍ଯ୍ୟ ଶେଷ କରନ୍ତୁ। ଖରାଟିଆ ରାଶି ପାଇଁ ଫେବ୍ରୁଆରି ମାସ ଠାରୁ ମାର୍ଚ୍ଚ ପ୍ରଥମ ସପ୍ତାହ ମଧ୍ୟରେ ବୁଣିଦେବା ଭଲ
- ବିହନକୁ ଛଟା ବୁଣା, ଡ୍ରିଲିଙ୍ଗ କିମ୍ବା ହସ୍ତ ଚାଳିତ ବିହନ ବୁଣା ଯନ୍ତ୍ର ସାହାଯ୍ୟରେ ବୁଣାଯାଇପାରେ
- ଫସଲରେ ଧାଡ଼ି କୁ ଧାଡ଼ି ୩୫ ସେ.ମି. ଓ ଗଛ କୁ ଗଛ ୧୦ ସେ.ମି.ର ବ୍ୟବଧାନ ରହିବା ଆବଶ୍ୟକ
- ମୃତ୍ତିକା ପ୍ରକାର ଓ କିସମ ଅନୁସାରେ କେତେ ଗଭୀରରେ ବିହନ ବୁଣାଯିବ ସ୍ଥିର କରାଯାଇଥାଏ। ସାଧାରଣତଃ ୩ – ୫ ସେ.ମି. ଗଭୀରରେ ବିହନ ବୁଣାଯାଇଥାଏ।
ଖାଦ୍ୟସାର ପରିଚାଳନା:
- ଜମିରେ ଶେଷ ଓଡ଼ ଚାଷ ସମୟରେ ହେକ୍ଟର ପ୍ରତି ୫ ଟନ୍ ସଢା ଗୋବର ଖତ ବା କମ୍ପୋଷ୍ଟ ଭଲ ଭାବେ ମିଶାଇ ଦିଅନ୍ତୁ
- କିସମ, ଋତୁ, ମୃତ୍ତିକା ଉର୍ବରତା, ଗତ ଋତୁର ଫସଲ, ବର୍ଷା ଓ ମାଟିର ବତର ଅନୁସାରେ ଫସଲ ପାଇଁ ସାର ପରିମାଣ ଭିନ୍ନ ଭିନ୍ନ ହୋଇଥାଏ
- ରାଶି ଫସଲ ପାଇଁ ସାଧାରଣ ଭାବେ ଆବଶ୍ୟକ ହେଉଥିବା ସାର ହେଉଛି ଯବକ୍ଷାର (ହେକ୍ଟର ପ୍ରତି ୩୦ କି.ଗ୍ରା.), ଫସଫରସ୍ (ହେକ୍ଟର ପ୍ରତି ୧୫ କି.ଗ୍ରା.) ଏବଂ ପଟାସ୍ (ହେକ୍ଟର ପ୍ରତି ୧୫ କି.ଗ୍ରା.)
ଜଳ ପରିଚାଳନା:
- ରବି–ଖରାଟିଆ ଚାଷରେ ଭଲ ଭାବେ ଗଜା ଓ ଗଛ ହେବା ପାଇଁ ବିହନ ବୁଣିବା ପରେ ଜଳସେଚନ କରିବା ଆବଶ୍ୟକ
- ରାଶି ଫସଲର ଜଳ ସଙ୍କଟ ଅବସ୍ଥା ଯେପରି ୪-୫ ପତ୍ର ହୋଇଥିବା ବେଳେ, ଫୁଲ ଧରିବା ଓ ଫଳ ହେବା ସମୟରେ ଜଳସେଚନ କରିବା ଦରକାର
- ଭଲ ଅମଳ ପାଇବା ପାଇଁ ସ୍ୱଳ୍ପ ବ୍ୟବଧାନରେ (୧୨-୧୫ ଦିନ ବ୍ୟବଧାନ) ଜଳ ସେଚନ କରିବା ଉଚିତ
- ଫସଲ ଋତୁ, ପାଣିପାଗ ଓ ମୃତ୍ତିକା ପ୍ରକାର ହିସାବରେ ସଠିକ ରୂପେ ଜଳ ପରିଚାଳନା କରିବା ଉଚିତ
ଅନାବନା ଘାସ ପରିଚାଳନା:
- ଫସଲ ବୁଣିବାର ୨୦ – ୪୦ ପରେ ଘାସ ସମସ୍ୟା ଦେଖାଦେଇପାରେ। ଏହି ସମୟରେ ଘାସ ନିୟନ୍ତ୍ରଣ ଅତ୍ୟନ୍ତ ଜରୁରୀ ଅଟେ
- ଜମିକୁ ଘାସ ମୁକ୍ତ ରଖିବା ପାଇଁ ଏବଂ ଫସଲକୁ ସଠିକ ଭାବେ ଖାଦ୍ୟସାର ଯୋଗାଇଦେବା ପାଇଁ ବୁଣିବାର ୧୫-୨୦ ଦିନ ପରେ ଏବଂ ୩୦-୩୫ ଦିନ ପରେ ଥରେ ଲେଖାଏ ଘାସ ବାଛି ଦେବା ଆବଶ୍ୟକ
- କୃଷି ଶ୍ରମିକ ଅଭାବ ଥିଲେ, ପ୍ରାରମ୍ଭିକ ପର୍ଯ୍ୟାୟରେ ଘାସ ନିୟନ୍ତ୍ରଣ ପାଇଁ ଗଜା ପୂର୍ବ ଘାସମରା ହିସାବରେ ହେକ୍ଟର ପ୍ରତି ୧.୬ ଆଇସୋପ୍ରୋଟରନ୍ ୫୦% ଡବ୍ଲୁ.ପି. ବୁଣିବାର ୩ ଦିନ ମଧ୍ୟରେ ପ୍ରୟୋଗ କରନ୍ତୁ
ରୋଗ ପୋକ ପରିଚାଳନା:
- ରାଶି ଫସଲରେ ମୁଖ୍ୟ ରୋଗ ପୋକ ଗୁଡ଼ିକ ହେଲା ପତ୍ର ଓ ଫଳ ବିନ୍ଧା ପୋକ, କାହାଳିଆ ମାଛି, ପତ୍ର ମୋଡ଼ା ରୋଗ, ପତ୍ରପୋଡ଼ା ରୋଗ ଓ ବନ୍ଧ୍ୟା ରୋଗ
- ପତ୍ର ଓ ଫଳ ବିନ୍ଧା ପୋକ ନିୟନ୍ତ୍ରଣ ପାଇଁ ପ୍ରତି ଲିଟର ପାଣିରେ ୨ମି.ଲି. ପ୍ରୋଫେନୋଫସ୍ ୫୦% ଇ.ସି. କିମ୍ବା ୧ ମି.ଲି. ଇଥୋଫେନପ୍ରକ୍ସ ୧୦% ଇ.ସି. ମିଶାଇ ସ୍ପ୍ରେ କରନ୍ତୁ
- କାହାଳିଆ ମାଛି ନିୟନ୍ତ୍ରଣ ପାଇଁ ପ୍ରତି ଲିଟର ପାଣି ସହ ୦.୨ ଗ୍ରାମ କାର୍ବାରିଲ ୫୦% ଡବ୍ଲୁ.ପି. ମିଶାଇ ସ୍ପ୍ରେ କରନ୍ତୁ
- ବନ୍ଧ୍ୟା ରୋଗ ନିୟନ୍ତ୍ରଣ ପାଇଁ ପ୍ରତି ଲିଟର ପାଣି ସହ ୨ ମି.ଲି. ପ୍ରୋଫେନୋଫସ୍ ୫୦% ଇ.ସି. ମିଶାଇ ପତ୍ର ଉପରେ ସିଞ୍ଚନ କରନ୍ତୁ
ଅମଳ:
ଗଛର ପତ୍ର ଗୁଡ଼ିକ ହଳଦିଆ ହୋଇ ଝାଉଁଳିବା ଆରମ୍ଭ କଲେ ଏବଂ ଫଳ ଗୁଡ଼ିକ ଲେମ୍ବୁ ପରି ହଳଦିଆ ଦିଶିଲେ ଫସଲ ଅମଳ କରନ୍ତୁ। ଫସଲକୁ ସମ୍ପୂର୍ଣ ଶୁଖିବା ପାଇଁ ଦିଅନ୍ତୁ ନାହିଁ କି ଅମଳରେ ବିଳମ୍ବ କରନ୍ତୁ ନାହିଁ। ବିଳମ୍ବିତ ଅମଳ କିମ୍ବା ଅଧିକ ଶୁଖିଗଲେ ଫଳ ଗୁଡ଼ିକ ଫାଟି ନଷ୍ଟ ହୋଇଯିବାର ସମ୍ଭାବନା ଥାଏ। ସାଧାରଣତଃ ବାଡ଼ି ଦ୍ଵାରା ଧୀରେ ଧୀରେ ବାଡେଇବା ଦ୍ଵାରା ସହଜରେ ଫସଲ ଅମଳ ହୋଇଥାଏ।