RKB_Odisha_Odia
RKB_Odisha_Odia
IRRI Banner

ସୂର୍ଯ୍ୟମୁଖୀ

ଓଡ଼ିଶାରେ ଚାଷ କରାଯାଉଥିବା ତୈଳବୀଜ ଫସଲମାନଙ୍କ ମଧ୍ୟରେ ସୂର୍ଯ୍ୟମୁଖୀ ଏକ ଗୁରୁତ୍ତ୍ଵପୂର୍ଣ୍ଣ ଫସଲ ଅଟେ ଏବଂ ଏହାକୁ ମୁଖତଃ ଜଳସେଚିତ ଜମିରେ ଚାଷ କରାଯାଇଥାଏ। ସୂର୍ଯ୍ୟମୁଖୀ ତେଲକୁ ବିଭିନ୍ନ ଖାଦ୍ୟ ପ୍ରସ୍ତୁତି, ବନସ୍ପତି, ସାବୁନ୍ ଏବଂ ପ୍ରସାଧନ ସାମଗ୍ରୀ (କସମେଟିକ୍ସ) ଇତ୍ୟାଦି ତିଆରି କରିବାପାଇଁ ବ୍ୟବହାର କରାଯାଇଥାଏ। ଏହାର ପିଡ଼ିଆ (ମଞ୍ଜିରୁ ତେଲ ବାହାରିଯିବା ପରେ ବଳକା ଅଂଶ) ପୁଷ୍ଟିଯୁକ୍ତ ଅଟେ ଏବଂ ସାଧାରଣତଃ, ଗୋଖାଦ୍ୟ ଓ କୁକୁଡା ଦାନା ପ୍ରସ୍ତୁତି ପାଇଁ ବ୍ୟବହୃତ ହୋଇଥାଏ।

ଜଳବାୟୁ:

ମଞ୍ଜିରୁ ଗଜା ହେବା ଓ ଚାରା ଗଛ ବଢିବା ସମୟରେ ଏହି ଫସଲ ସାଧାରଣତଃ ଥଣ୍ଡା ଜଳବାୟୁ ଆବଶ୍ୟକ କରେ। ଚାରା ଅବସ୍ଥାରୁ ଫୁଲ ହେବା ଯାଏ ଅପେକ୍ଷାକୃତ ଉଷ୍ମ ଓ ମେଘୁଆ ନଥିବା ପାଗ ଏବଂ ଫୁଲ ଠାରୁ ଅମଳ ଯାଏ ଖରାଟିଆ ପାଗ ରହିବା ଉଚିତ।

ମୃତ୍ତିକା:

ସୂର୍ଯ୍ୟମୁଖୀ ଫସଲ ଉଭୟ ହାଲୁକା ନିଗିଡ଼ା ଏବଂ ମଟାଳ ମାଟିରେ ଚାଷ କରାଯାଇଥାଏ। ଭଲ ଫସଲ ହେବା ପାଇଁ ମାଟିର ଅମ୍ଳତା ସର୍ବାଧିକ ୬.୫ ରୁ ୮.୫ ମଧ୍ୟରେ ରହିବା ଆବଶ୍ୟକ।

କିସମ:

ମୋର୍ଡେନ (ଚେର୍ନିଏଙ୍କା ୬୬), ଜ୍ଵାଳାମୁଖୀ, ସନରାଇଜ, ଏମ୍.ଏସ୍.ଏଫ.ଏଚ୍. ୧୭, କେ.ବି.ଏସ୍.ଏଚ୍ ୧, ଇ.ସି. ୧୦୧୪୯୫ (ସେରନିନକା), ଏମ୍.ଏସ୍.ଏଫ.ଏଚ୍. ୮, ପି.ଏ.ସି. ୩୬, ଇ.ସି. ୬୮୪୧୫ ଇତ୍ୟାଦି

ଜମି ପ୍ରସ୍ତୁତି ଓ ବିହନ ବୁଣା:

  • ସୂର୍ଯ୍ୟମୁଖୀ ଫସଲ ପାଇଁ ଭଲ ଭାବେ ଚାଷ କରାଯାଇଥିବା ଜମି ଆବଶ୍ୟକ। କିଆରୀରେ ଭଲ ଭାବେ ୨ – ୩ ଥର ହଳ କରି ମଈ ଦିଅନ୍ତୁ
  • ବୁଣିବା ପୂର୍ବରୁ ମାଟି ଭଲ ଭାବେ ବର୍ଷା ଜଳ କିମ୍ବା ଜଳସେଚନ ଦ୍ଵାରା ପାଣି ଟାଣିଥିଲେ ଆର୍ଦ୍ରତା ବଜାୟ ରହିଥାଏ। ଜମିରେ ବୁଣିବା ସ୍ତର ଠାରୁ ୧୦ ସେ.ମି. ଗଭୀର ଯାଏ ବତର ରହିବା ଭଲ
  • ଶୀତ ଦିନିଆ ସୂର୍ଯ୍ୟମୁଖୀ ଚାଷ କରୁଥିଲେ, ଅକ୍ଟୋବର ମଧ୍ୟ ଭାଗରୁ ନଭେମ୍ବର ମଧ୍ୟ ଭାଗ ସୁଦ୍ଧା ବୁଣା କାମ ଶେଷ କରନ୍ତୁ। ଖରାଟିଆ ଚାଷ ପାଇଁ ଜାନୁଆରୀ ଦ୍ଵିତୀୟ ସପ୍ତାହ ସୁଦ୍ଧା ବିହନ ବୁଣିଦେବା ଭଲ

ବିହନ ହାର ଓ ବିଶୋଧନ:

  • ହେକ୍ଟର ପ୍ରତି ୧୦ କି.ଗ୍ରା. (ହାଇବ୍ରୀଡ୍ କିସମ ପାଇଁ ହେକ୍ଟର ପ୍ରତି ୫ କି.ଗ୍ରା.) ଓ ଭଲ ଭାବେ ଦାନା ପୂରଣ ହୋଇଥିବା ବିହନ ବ୍ୟବହାର କରନ୍ତୁ। ସଅଳ, ଅଧିକ ସଂଖ୍ୟକ ଗଜା ଏବଂ ଭଲ ଫସଲ ହେବା ପାଇଁ ବୁଣିବା ପୂର୍ବରୁ ୧୨ – ୧୪ ଘଣ୍ଟା ଯାଏ ବିହନକୁ ପାଣିରେ ଭିଜାଇ ଛାଇରେ ଶୁଖାଇବା ଉଚିତ୍
  • ପରବର୍ତ୍ତୀ ପଦକ୍ଷେପ ହିସାବରେ ବିହନ ବାହିତ ରୋଗ ଓ ଜୀବାଣୁ ଠାରୁ ରକ୍ଷା ପାଇବା ପାଇଁ ପ୍ରତି କି.ଗ୍ରା. ବିହନ ସହ ୫-୧୦ ଗ୍ରାମ ଟ୍ରାଇକୋଡର୍ମା ମିଶାଇ ବିଶୋଧନ କରନ୍ତୁ
  • ୫ – ୭ ସେ.ମି. ଗଭୀରରେ ବିହନ ବୁଣିବା ଆବଶ୍ୟକ ଏବଂ ଧାଡ଼ି କୁ ଧାଡ଼ି ୪୫ ସେ.ମି. ସହ ଗଛ କୁ ଗଛ ୩୦ ସେ.ମି. (ହାଇବ୍ରୀଡ୍ କିସମ ପାଇଁ ଧାଡ଼ି କୁ ଧାଡ଼ି ୬୦ ସେ.ମି. ଓ ଗଛ କୁ ଗଛ ୩୦ ସେ.ମି.) ର ବ୍ୟବଧାନ ରହିବା ଆବଶ୍ୟକ

ଖାଦ୍ୟସାର ପରିଚାଳନା:

  • ବିହନ ବୁଣିବା ପୂର୍ବରୁ ହେକ୍ଟର ପ୍ରତି ୧୦ ଟନ୍ ହିସାବରେ ସଢା ଗୋବର ଖତ ବା କମ୍ପୋଷ୍ଟ ପ୍ରୟୋଗ କରନ୍ତୁ
  • ରାସାୟନିକ ସାର ପ୍ରୟୋଗ
କିସମଯବକ୍ଷାରଫସଫରସ୍ପଟାସ୍
 ହେକ୍ଟର ପ୍ରତିହେକ୍ଟର ପ୍ରତି ହେକ୍ଟର ପ୍ରତି
ଅଧିକ ଅମଳକ୍ଷମ୪୦ କି.ଗ୍ରା.୪୦ କି.ଗ୍ରା.୪୦ କି.ଗ୍ରା.
ହାଇବ୍ରୀଡ୍୮୦ କି.ଗ୍ରା.୮୦ କି.ଗ୍ରା.୮୦ କି.ଗ୍ରା.
  • ଭଲ ମଞ୍ଜି ଓ ତେଲ ପାଇବା ପାଇଁ ସିଆର/ମନ୍ଦାରେ ବୁଣିବା ପୂର୍ବରୁ ହେକ୍ଟର ପ୍ରତି ୨୫୦ କି.ଗ୍ରା. ଜିପସମ ଓ ୧୦ କି.ଗ୍ରା. ବୋରାକ୍ସ ପ୍ରୟୋଗ କରନ୍ତୁ

ଜଳସେଚନ:

ସାଧାରଣତଃ, ବୁଣିବା ପୂର୍ବରୁ ବା ପରେ ଜଳସେଚନ କରିବା ଉଚିତ। ଏହା ସହ ଫସଲର ବିଭିନ୍ନ ଜଳ ସଙ୍କଟ ଅବସ୍ଥା ଯେପରିକି କଢ ବାହାରିବା, ଫୁଲ ଫୁଟିବା ଓ ଦାନା/ମଞ୍ଜି ପୂରଣ ସମୟରେ ଜଳ ସେଚନ କରିବା ଆବଶ୍ୟକ।

ଅନାବନା ଘାସ ପରିଚାଳନା

  • ଆବଶ୍ୟକ ସ୍ଥଳେ ଫସଲର ୨ ରୁ ୩ ସପ୍ତାହରେ ଗଛଗୁଡ଼ିକୁ ଛେଇ ଦିଅନ୍ତୁ ଏବଂ ୩-୪ ସପ୍ତାହ ମଧ୍ୟରେ କୋଡ଼ା ଖୋସା କରି ହାତ ବଛା/ମେସିନ ଦ୍ଵାରା ଘାସ ନିୟନ୍ତ୍ରଣ କରନ୍ତୁ
  • ପାୱାର ୱିଡର ମାଧ୍ୟମରେ ଏକ ସଙ୍ଗେ ଘାସ ବଛା ଓ କୋଡ଼ା ଖୋସା କରାଯାଇପାରେ
  • ରାସାୟନିକ ନିୟନ୍ତ୍ରଣ ପାଇଁ ବିହନ ବୁଣିବାର ୩ ଦିନ ମଧ୍ୟରେ ପ୍ରତି ଲିଟର ପାଣିରେ ୩ ଗ୍ରାମ ଆଇସୋପ୍ରୋଟରନ୍ ୫୦% ଡବ୍ଲୁ .ପି. କିମ୍ବା ବୁଣିବାର ୧୫ ଦିନ ପରେ ପ୍ରତି ଲିଟର ପାଣି ସହ ୨ମି.ଲି. କ୍ଵିଜାଲୋଫପ-ଇଥାଇଲ ୫% ଇ.ସି. ମିଶାଇ ସ୍ପ୍ରେ କରନ୍ତୁ

ରୋଗ ପୋକ ପରିଚାଳନା:

  • ଫୁଲ ବିନ୍ଧା ପୋକ ନିୟନ୍ତ୍ରଣ ପାଇଁ ପ୍ରତି ଲିଟର ପାଣି ସହ ୨.୫ ମି.ଲି. ଫ୍ଲୁବେନଡାୟାମାଇଡ ୩୯.୩୫% ଏମ/ଏମ.ଏସ୍.ସି. ମିଶାଇ ସ୍ପ୍ରେ କରନ୍ତୁ
  • ଉକୁଣିଆ ପୋକ, ପତ୍ର ଡିଆଁ ପୋକ, ଧଳା ମାଛି ଇତ୍ୟାଦି ଶୋଷକ ଶ୍ରେଣୀୟ ପୋକ ନିୟନ୍ତ୍ରଣ ପାଇଁ ପ୍ରତି ଲିଟର ପାଣି ସହ ୦.୩ ମି.ଲି. ଇମିଡାକ୍ଲୋପ୍ରିଡ ୧୭.୮% ଏସ.ଏଲ. ମିଶାଇ ସ୍ପ୍ରେ କରନ୍ତୁ
  • ପତ୍ର କଳଙ୍କି ରୋଗ ନିୟନ୍ତ୍ରଣ ପାଇଁ ପ୍ରତି ଲିଟର ପାଣି ସହ ୨ଗ୍ରାମ କ୍ଳୋରୋଥାଲୋନୀଲ ୭୫% ଡବ୍ଲୁ.ପି. କିମ୍ବା ୧ ମି.ଲି. ଡାଇଫେନୋକୋନାଜୋଲ ୨୫% ଇ.ସି. ମିଶାଇ ସ୍ପ୍ରେ କରନ୍ତୁ
  • ପତ୍ର ଦାଗ ରୋଗ ନିୟନ୍ତ୍ରଣ ପାଇଁ ପ୍ରତି ଲିଟର ପାଣି ସହ ୩ ଗ୍ରାମ ଫୋସେଟାଇଲ ଏ.ଏଲ. ୮୦% ଡବ୍ଲୁ.ପି. ମିଶାଇ ସ୍ପ୍ରେ କରନ୍ତୁ
  • ପାଉଁଶିଆ ରୋଗ ନିୟନ୍ତ୍ରଣ ପାଇଁ ପ୍ରତି ଲିଟର ପାଣି ସହ ୧ ମି.ଲି. ଡାଇଫେନୋକୋନାଜୋଲ ୨୫% ଇ.ସି. ମିଶାଇ ସ୍ପ୍ରେ କରନ୍ତୁ
  • ପତ୍ର ଦାଗ ରୋଗ ନିୟନ୍ତ୍ରଣ ପାଇଁ ପ୍ରତି ଲିଟର ପାଣି ସହ ୨ ଗ୍ରାମ କ୍ଳୋରୋଥାଲୋନିଲ ୭୫% ଡବ୍ଲୁ.ପି. ମିଶାଇ ସ୍ପ୍ରେ କରନ୍ତୁ
  • ପତ୍ର ପୋଡ଼ା ରୋଗ ନିୟନ୍ତ୍ରଣ ପାଇଁ ପ୍ରତି ଲିଟର ପାଣି ସହ ୨ ଗ୍ରାମ କ୍ଳୋରୋଥାଲୋନିଲ ୭୫% ଡବ୍ଲୁ.ପି. ମିଶାଇ ସ୍ପ୍ରେ କରନ୍ତୁ

ଅମଳ:

ମଞ୍ଜି ପେଣ୍ଡୁଳାର ନିମ୍ନ ଭାଗ ହଳଦିଆ ପଡ଼ିଲେ ଫସଲ କାଟନ୍ତୁ। ପାକଳ ହୋଇଥିବା ମଞ୍ଜି ପେଣ୍ଡୁଳା ଗୁଡ଼ିକୁ ଦାଆ ସାହାଯ୍ୟରେ କାଟି ଖରାରେ ଶୁଖାନ୍ତୁ। ଭଲଭାବେ ଶୁଖିଗଲା ପରେ ମଞ୍ଜି ଗୁଡ଼ିକୁ ବାହାର କରି ଝୋଟ ବା ସୂତା ଅଖାରେ ସାଇତି ରଖନ୍ତୁ।

ସାଧାରଣତଃ, ଅଣ-ଜଳସେଚିତ ଜମିରେ ସୂର୍ଯ୍ୟମୁଖୀ ଫସଲରୁ ହେକ୍ଟର ପ୍ରତି ୩୦୦ ରୁ ୫୦୦ କି.ଗ୍ରା. ଅମଳ ମିଳିଥାଏ ଏବଂ ଜଳସେଚିତ ଜମିରୁ ୮୦୦ ରୁ ୧୨୦୦ କି.ଗ୍ରା. ପର୍ଯ୍ୟନ୍ତ ଅମଳ ମିଳିଥାଏ।

Error: Contact form not found.