ଉନ୍ନତ ମାନର ଧାନ ବିହନ ଉତ୍ପାଦନ
ବିହନ କହିଲେ କ’ଣ ବୁଝାଯାଏ?
ବିହନ କହିଲେ ବୁଣିବା ପାଇଁ ବ୍ୟବହାର କରାଯାଉଥିବା ଜୀବନ୍ତ ଶସ୍ୟକୁ କୁହାଯାଏ । ପ୍ରତ୍ୟେକ ବିହନ ଏକ ଶସ୍ୟ ଅଟେ, କିନ୍ତୁ ପ୍ରତ୍ୟେକ ଶସ୍ୟ ଏକ ବିହନ ନୁହେଁ ।
ଉନ୍ନତ ମାନର ବିହନ କାହାକୁ କହନ୍ତି?
ଉନ୍ନତ ମାନର ବିହନ ନିରୋଳା ଓ ପରିଷ୍କାର ହେବା ସହିତ ଏହାର ଗଜା ହେବା କ୍ଷମତା ରହିଥାଏ । ନିରୋଳା ବିହନରେ ଅନ୍ୟ କିସମ ମଞ୍ଜିର ମିଶ୍ରଣ ହୋଇ ନଥାଏ । ସେହିପରି ପରିଷ୍କାର ବିହନରେ ଘାସ ମଞ୍ଜି, ଧୂଳି, ଗୋଡ଼ି ଏବଂ ରୋଗାକ୍ରାନ୍ତ, ନଷ୍ଟ ହୋଇଥିବା କିମ୍ବା ବିରୂପ ହୋଇଥିବା ମଞ୍ଜି ମିଶି ନଥାଏ । ଅଙ୍କୁରୋଦ୍ଗମକ୍ଷମ ବିହନ ହୃଷ୍ଟପୁଷ୍ଟ ହେବା ସହିତ ଏଥିରେ ଉପଯୁକ୍ତ ପରିମାଣରେ ଜଳୀୟ ଅଂଶ ଥାଏ ଓ ଏହାର ଉତ୍ତମ ଗଜା ହେବା କ୍ଷମତା ରହିଥାଏ ।
ଉନ୍ନତମାନର ବିହନର ବୈଶିଷ୍ଟ୍ୟ
ବୈଶିଷ୍ଟ୍ୟ:
- ଆନୁବଂଶିକୀ ଦୃଷ୍ଟିରୁ ନିରୋଳା ହୋଇଥିବ
- ଭୌତିକ ଦୃଷ୍ଟିରୁ ପରିଷ୍କାର ହୋଇଥିବ
- ଏଥିରେ ଅନ୍ୟ ଫସଲର ମଞ୍ଜି ମିଶି ନଥିବ
- ଏଥିରେ ଘାସ ମଞ୍ଜି ମିଶି ନଥିବ
- ରୋଗାକ୍ରାନ୍ତ ହୋଇ ନଥିବ
- ହୃଷ୍ଟପୁଷ୍ଟ ହେବା ସହିତ ଉତ୍ତମ ଗଜା ହେବା କ୍ଷମତା ରହିଥିବ
- ଏଥିରେ ଉପଯୁକ୍ତ ପରିମାଣର (୧୩%) ଜଳୀୟ ଅଂଶ ରହିଥିବ
ଉନ୍ନତମାନର ବିହନର ଗୁରୁତ୍ୱ:
- ଉନ୍ନତ ମାନର ବିହନରୁ ଅଧିକ ପରିମାଣରେ ଗଜା ହେବା ସହିତ ଏଥିରୁ ସୃଷ୍ଟି ହୋଇଥିବା ଚାରା ଗଛଗୁଡ଼ିକ ସୁସ୍ଥସବଳ ହୋଇଥାଏ
- ଫସଲରେ କମ୍ ଘାସ ହୁଏ ଓ ଘାସମରା ଔଷଧ ବ୍ୟବହାର କରାଯାଇପାରେ
- ସବୁଆଡ଼େ ସମାନ ଭାବେ ହୃଷ୍ଟପୁଷ୍ଟ ଗଛ ହେବା ସହିତ ଗଛର ରୋଗପୋକ ସହନଶୀଳ କ୍ଷମତା ରହିଥାଏ
- ଏକ ସମୟରେ ଫସଲ ପାକଳ ହୁଏ
- ଅନ୍ୟ କିସମର ଗଛ କମ୍ ଥାଏ ବା ଆଦୌ ନଥାଏ
- ଅଧିକ ଅମଳ ଓ ଉତ୍ତମ ବଜାର ଚାହିଦା ରହିଥାଏ
କାହିଁକି ଉନ୍ନତ ମାନର ବିହନ ଉତ୍ପାଦନ କରାଯିବ?
ଧାନ ଚାଷରେ ସଫଳତା ପାଇବାର ମୂଳଭିତ୍ତି ହେଉଛି ଉନ୍ନତ ମାନର ବିହନ ବ୍ୟବହାର । ଉନ୍ନତ ବିହନ ବ୍ୟବହାର ଦ୍ୱାରା ଧାନ ଅମଳ ୫-୨୦% ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ । ଅଧିକ ଅମଳ ପାଇବା ପାଇଁ ଅନୁକୂଳ ପରିବେଶରେ ଧାନ ବିହନ ଉତ୍ପାଦନ କରାଯିବା ଆବଶ୍ୟକ । ଏଠାରେ ଜଳସେଚନର ସୁବିଧା ରହିବା ସହିତ ଯଥେଷ୍ଟ ପରିମାଣରେ ସୁଷମ ସାର ଉପଲବ୍ଧ ହେଉଥିବ ଏବଂ ସମନ୍ୱିତ ପଦ୍ଧତିରେ ଖାଦ୍ୟସାର ଓ ରୋଗପୋକ ପରିଚାଳନା କରାଯାଇ ପାରୁଥିବ ।
ଚାଷ ପଦ୍ଧତି
କିସମ ଚୟନ:
- ଆପଣଙ୍କ ଜମିକୁ ସୁହାଇବା ପରି କିସମ ଚୟନ କରନ୍ତୁ
- ଏହାର ଅଧିକ ଅମଳ କ୍ଷମତା ଥିବା ସହିତ ସଂକଟ ଅବସ୍ଥା (ଜୈବ ଓ ଅଜୈବ) ସହନଶୀଳ କ୍ଷମତା ରହିଥିବା ଦରକାର ଏବଂ ଅନେକ ବର୍ଷ ଧରି ଏହାର ଗୁଣ ପରିବର୍ତ୍ତନ ହେଉ ନଥିବା ଆବଶ୍ୟକ
- ଚାଷ କରାଯିବା ଋତୁ ଅନୁସାରେ ଏହା ଉପଯୁକ୍ତ ଅବଧିର ହୋଇଥିବ
- ଏହାର ଶସ୍ୟ ଉନ୍ନତ ମାନର ହେବା ସହିତ ଏହାର ଉତ୍ତମ ବଜାର ଚାହିଦା ରହିଥିବ
ଓଡ଼ିଶାରେ ଚାଷ ହେଉଥିବା କେତେକ ଲୋକପ୍ରିୟ ଧାନ କିସମ ଏବଂ ସେସବୁର ଗୁଣାବଳୀ ବିଷୟରେ ଜାଣିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ ।
ତଳି ପଟାଳି ପରିଚାଳନା:
ବିହନ ଉତ୍ପାଦନ ନିମନ୍ତେ ତଳି ପ୍ରସ୍ତୁତିର ପ୍ରଥମ ଆବଶ୍ୟକତା ହେଉଛି ଉପଯୁକ୍ତ ଜମି ଚୟନ । ଏକ ହେକ୍ଟର ଜମିରେ ରୋଇବା ପାଇଁ ୦.୦୫ ରୁ ୦.୧ ହେକ୍ଟର (ମୋଟ ରୋଇବାକୁ ଥିବା ଜମିର ୫ ରୁ ୧୦%) ଜମିରେ ତଳି ପକାଇବା ଆବଶ୍ୟକ । ଜଳସେଚନ ସୁବିଧା ଥିବା ସ୍ଥାନ ନିକଟରେ ତଳି ପଟାଳିକୁ ଉଚ୍ଚ କରି ପ୍ରସ୍ତୁତ କରାଯିବା ଆବଶ୍ୟକ । ଯନ୍ତ୍ର ସାହାଯ୍ୟରେ ରୋଇବାକୁ ହେଲେପରିବର୍ତ୍ତିତ ମସିଣା ନର୍ସରୀ ପ୍ରସ୍ତୁତ କରିବା ଦରକାର । ଛାଇ ଜାଗା କିମ୍ବା ବନ୍ୟା ପାଣି ଜମିବା ଆଶଙ୍କା ଥିବା ସ୍ଥାନରେ ତଳି ପକାନ୍ତୁ ନାହିଁ ।
ତଳି ପଟାଳିର ଉଚ୍ଚତା : ୫-୧୦ ସେ.ମି., ଓସାର : ୧-୧.୫ ମିଟର, ଲମ୍ବ : ସୁବିଧା ଅନୁସାରେ ହେବା ଉଚିତ୍
ପାଖାପାଖି ଦୁଇଟି ପଟାଳି ମଧ୍ୟରେ ୩୦-୫୦ ସେ.ମି. ଓସାରର ଫାଙ୍କା ସ୍ଥାନ ରଖନ୍ତୁ
ଜମି ପ୍ରସ୍ତୁତି : ଜମିକୁ ଭଲ ଭାବେ ହଳ କରି, କାଦୁଅ କରି ମାଟିକୁ ସମତୁଲ କରନ୍ତୁ । ଶେଷ ଓଡ଼ ଚାଷ ବେଳେ ସଢ଼ା ଗୋବର ଖତ ବା କମ୍ପୋଷ୍ଟ (୦.୧ ହେକ୍ଟର ତଳି ପଟାଳି ପାଇଁ ୧ କ୍ୱିଣ୍ଟାଲ) ପ୍ରୟୋଗ କରନ୍ତୁ ।
ବିହନ ବିଶୋଧନ: ବିହନକୁ ୨୪ ଘଣ୍ଟା ପାଣିରେ ଭିଜାନ୍ତୁ । ଏହାପରେ ପ୍ରତି କିଲୋଗ୍ରାମ୍ ବିହନ ସହିତ ୧ ଗ୍ରାମ୍ ଟ୍ରାଇସାଇକ୍ଲାଜୋଲ (ମହିଷା ରୋଗ ସମସ୍ୟା ଥିବା ଅଞ୍ଚଳରେ), ୦.୨୫ ଗ୍ରାମ୍ ଆଗ୍ରିମାଇସିନ୍ (ବୀଜାଣୁ ଜନିତ ପତ୍ର ପୋଡ଼ା ରୋଗ ଦେଖାଯାଉଥିବା ଅଞ୍ଚଳରେ) ମିଶାଇ ବିଶୋଧନ କରନ୍ତୁ । ବିହନବାହିତ ରୋଗ ଦମନ ସହିତ ଉଦ୍ଭିଦର ଅଭିବୃଦ୍ଧି ତ୍ୱରାନ୍ୱିତ କରିବା ନିମନ୍ତେ ଟ୍ରାଇକୋଡର୍ମା (ପ୍ରତି କି.ଗ୍ରା. ବିହନ ସହିତ ୧୦ ଗ୍ରାମ୍) ଦ୍ୱାରା ବିହନ ବିଶୋଧନ କରାଯାଇପାରେ ।
ବିହନ ପରିମାଣ : ବର୍ଗମିଟର ପ୍ରତି ୪୦-୬୦ ଗ୍ରାମ୍ । ପୂର୍ବରୁ ଗଜା କରାଯାଇଥିବା ବିହନକୁ ସମାନ ଭାବେ ବୁଣି ଏହା ଉପରେ ନଡ଼ା ଘୋଡ଼ାଇ ଦିଅନ୍ତୁ ।
ସାର ପ୍ରୟୋଗ : ବିହନ ବୁଣିବା ପୂର୍ବରୁ ପ୍ରତି ୦.୧ ହେକ୍ଟର ତଳି ପଟାଳିରେ ୫-୧୦ କି.ଗ୍ରା. ଯବକ୍ଷାର, ୫ କି.ଗ୍ରା. ଫସ୍ଫରସ୍ ଓ ୫ କି.ଗ୍ରା. ପଟାସ ସାର ପକାଇ ମାଟି ସହିତ ମିଶାଇ ଦିଅନ୍ତୁ ।
ରୋଇବା ପାଇଁ ତଳିର ବୟସ : କିସମ ଅବଧି ଅନୁସାରେ ୧୫-୨୫ ଦିନର ତଳିରୁଆ ଯାଇପାରେ ।
ଜମି ଚୟନ ଓ ଜମି ପ୍ରସ୍ତୁତି (ମୁଖ୍ୟ ଜମି):
ଜମି ଚୟନ :
- ଉର୍ବର ଓ ହାଲୁକା ହେବା ସହିତ ଏହା ଘାସମୁକ୍ତ ହୋଇଥିବା ଦରକାର
- ଜଳସେଚନ ଓ ଜଳ ନିଷ୍କାସନ ପାଇଁ ଉପଯୁକ୍ତ ବ୍ୟବସ୍ଥା ରହିଥିବା ଦରକାର
- ଏହି ସ୍ଥାନରେ ଛାଇ ହେଉ ନଥିବ
- ଜମିର ପ୍ରକାର ସବୁଆଡ଼େ ସମାନ ହୋଇଥିବ ଓ ବନ୍ୟା ହେବାର ଆଶଙ୍କା ନଥିବ
ଜମି ପ୍ରସ୍ତୁତି :
- ଭଲ ଭାବେ ମାଟିଗୁଣ୍ଡ ହେବା ପାଇଁ ଜମିକୁ ଦୁଇଥର ହଳ କରନ୍ତୁ ।
- କାଦୁଅ କରିବାର ୨ ଦିନ ପୂର୍ବରୁ ଜମିରେ ପାଣି ମଡ଼ାନ୍ତୁ (୩-୫ ସେ.ମି. ଠିଆପାଣି)
- ଜମି ପ୍ରସ୍ତୁତିବେଳେ ହେକ୍ଟର ପ୍ରତି ୫ ଟନ୍ ସଢ଼ା ଖତ (ଗୋବର ଖତ / କମ୍ପୋଷ୍ଟ) ପ୍ରୟୋଗ କରନ୍ତୁ । ସବୁଜ ସାର ଫସଲ ଭାବେ ଧଣିଚା ଚାଷକରି ଏହାକୁ ହଳ କରି ମାଟି ସହିତ ମିଶାଇ ଦିଆଯାଇପାରେ ।
- କାଦୁଅ କରି ମୂଳସାରକୁ ମାଟିରେ ମିଶାଇ ଦିଅନ୍ତୁ ଓ ଜମିକୁ ଭଲ ଭାବେ ସମତୁଲ କରନ୍ତୁ ।
ରୋଇବା
ତଳିର ବୟସ: କିସମର ଅବଧି ଅନୁସାରେ ୧୫-୨୫ ଜଳର ତଳିରୁଆ ଯାଇପାରେ । ଅଧିକ ବୟସର ତଳି ରୋଇଲେ କମ୍ ସଂଖ୍ୟାରେ ପିଲ ହୁଏ ଓ ଗଛରେ ଶୀଘ୍ର ଫୁଲ ଆସିଥାଏ । ହାତରେ ବା ଯନ୍ତ୍ର ସାହାଯ୍ୟରେ ଧାନ ରୁଆ ଯାଇଥାଏ ।
ରୋଇବା ବ୍ୟବଧାନ: ଉତ୍ତମ ପରିଚାଳନା ବ୍ୟବସ୍ଥାରେ ଧାଡ଼ିକୁ ଧାଡ଼ି ୨୦ ସେ.ମି. ଓ ଗଛକୁ ଗଛ ୧୦ ସେ.ମି. ବ୍ୟବଧାନରେ ତଳି ରୋଇବା ଦରକାର । ଧାଡ଼ିକୁ ଧାଡ଼ି ବ୍ୟବଧାନ ୨୦ ସେ.ମି. ରଖାଗଲେ ରୋଟାରି ୱିଡ଼ର ଚଳାଇବା ସୁବିଧାଜନକ ହୋଇଥାଏ । ବୁଦା ପ୍ରତି ୨-୩ଟି ଲେଖାଏଁ ତଳିକୁ ୩ ସେ.ମି. ଗଭୀରତାରେ ରୁଆଯିବା ଦରକାର ।
ଖାଦ୍ୟସାର ପରିଚାଳନା
ବିହନ ପାଇଁ ଚାଷ କରୁଥିଲେ ସୁଷମ ସାର ପ୍ରୟୋଗ କରିବା ନିହାତି ଆବଶ୍ୟକ । ହେକ୍ଟର ପିଛା ୬୦-୮୦ କି.ଗ୍ରା. ଯବକ୍ଷାରକୁ ତିନି ଦଫାରେ ପ୍ରୟୋଗ କରିବା ଉଚିତ୍ । ଶେଷ ଥର କାଦୁଅ କରିବାବେଳେ ମୂଳସାର ହିସାବରେ ଯବକ୍ଷାର, ଫସ୍ଫରସ୍ ଓ ପଟାସ ସାରକୁ ଜମିରେ ପକାଇ ମାଟି ସହିତ ମିଶାଇ ଦିଅନ୍ତୁ । ପିଲ ହେବା ଅବସ୍ଥା ଓ ଥୋଡ଼ ଅବସ୍ଥାରେ ଦୁଇ ଦଫା ଯବକ୍ଷାର ସାର ପ୍ରୟୋଗ କରନ୍ତୁ । ଯବକ୍ଷାର ସାର ପ୍ରୟୋଗ ପୂର୍ବରୁ ଜଳ ନିଷ୍କାସନ କରନ୍ତୁ ଓ ସାର ପ୍ରୟୋଗର ୨୪ ଘଣ୍ଟା ପରେ ପୁଣି ଥରେ ଜମିରେ ପାଣି ମଡ଼ାନ୍ତୁ ।
ମଧ୍ୟମ ଓ ବିଳମ୍ବ କିସମ ପାଇଁ | |||
ପ୍ରୟୋଗ ସମୟ | ଯବକ୍ଷାର | ଫସଫରସ | ପଟାସ |
ହେକ୍ଟର ପ୍ରତି କି.ଗ୍ରା. | |||
ମୂଳ ସାର | ୨୦ | ୪୦ | ୨୦ |
ପିଲ ହେବାବେଳେ | ୪୦ | – | – |
ଥୋଡ଼ ଆସିବାବେଳେ | ୨୦ | – | ୨୦ |
ମୋଟ: | ୮୦ | ୪୦ | ୪୦ |
ସୂଚନା: ଅମ୍ଳୀୟ ମାଟି (୫ ରୁ କମ୍ ପିଏଚ୍)ପାଇଁ ପ୍ରତି ତିନି ବର୍ଷରେ ଥରେ ଚୂନ (ହେକ୍ଟର ପ୍ରତି ୨ ଟନ୍) ପ୍ରୟୋଗ କରନ୍ତୁ । ମାଟିର ଗୁଣ ବିଷୟରେ ଜାଣିବା ପାଇଁ ନିକଟସ୍ଥ କୃଷି କାର୍ଯ୍ୟାଳୟରେ ଯୋଗାଯୋଗ କରନ୍ତୁ ।
ସଅଳ କିସମ ପାଇଁ ହେକ୍ଟର ପ୍ରତି ୬୦ କି.ଗ୍ରା. ଯବକ୍ଷାର, ୩୦ କି.ଗ୍ରା. ଫସଫରସ ଓ ୩୦ କି.ଗ୍ରା. ପଟାସ ପ୍ରୟୋଗ କରନ୍ତୁ ।
ଫସଲର ଅବଧି ଅନୁସାରେ ସାର ପରିମାଣରେ ପ୍ରଭେଦ ଦେଖାଯାଇଥାଏ । ହୃଷ୍ଟପୁଷ୍ଟ ବିହନ ଉତ୍ପାଦନ ପାଇଁ ଫସଲ ଉପରେ ସାର ସ୍ପ୍ରେ କରିବା ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଶତକଡ଼ା ୨ ଭାଗ ଡିଏପି ସ୍ପ୍ରେ କରିବା ଦ୍ୱାରା ବିହନ ଅମଳ ବୃଦ୍ଧି ପାଇବା ସହିତ ଉନ୍ନତ ମାନର ବିହନ ମିଳିଥାଏ । କିସମର ଅବଧି ଅନୁସାରେ ଡିଏପି ସ୍ପ୍ରେ କରିବାର ସମୟ ଭିନ୍ନ ଭିନ୍ନ ହୋଇଥାଏ ।
କିସମର ଅବଧି | ବୁଣିବା ଠାରୁକେତେ ଦିନ ପରେ ଡିଏପି ସ୍ପ୍ରେ କରାଯିବ | |
ପ୍ରଥମ ସ୍ପ୍ରେ | ଦ୍ୱିତୀୟ ସ୍ପ୍ରେ | |
ସଅଳ କିସମ | ୬୦ ଦିନ | ୮୦ ଦିନ |
ମଧ୍ୟମ କିସମ | ୮୦ ଦିନ | ୧୦୦ ଦିନ |
ବିଳମ୍ବ କିସମ | ୧୦୦ ଦିନ | ୧୨୦ ଦିନ |
ସ୍ଥାନ ଭିତ୍ତିକ ଖାଦ୍ୟସାର ପରିଚାଳନା ପାଇଁ ଧାନ ଫସଲ ପରିଚାଳକ ବ୍ୟବହାର କରିବା ଭଲ ।
ଅନାବନା ଘାସ ପରିଚାଳନା
ଅନାବନା ଘାସକୁ ପ୍ରାରମ୍ଭିକ ଅବସ୍ଥାରୁ ଠିକ୍ ଭାବେ ଦମନ କରା ନଗଲେ ଏହା ଧାନ ଅମଳକୁ ଶତକଡ଼ା ୨୦ ରୁ ୮୦ ଭାଗ ପର୍ଯ୍ୟନ୍ତ ହ୍ରାସ କରିଦେଇପାରେ । ଧାନ ରୋଇବା ପୂର୍ବରୁ ଜମିକୁ ୨୦ ଦିନ ବ୍ୟବଧାନରେ ଦୁଇଥର ହଳ କରି ଦିଅନ୍ତୁ । ଥରେ ହଳ କରିବା ପରେ ପାଣି ମଡ଼ାଇଦେଲେ ଘାସ ମଞ୍ଜିରୁ ଗଛ ବାହାରିଥାଏ । ଶେଷଥର ହଳ କରିବାବେଳେ ଘାସଗୁଡ଼ିକ ମାଟି ସହିତ ମିଶିଯାଇ ସଢ଼ି ଯାଇଥାଏ । ଏହି କାର୍ଯ୍ୟଦ୍ୱାରା ଘାସ ଦମନ ହେବା ସହିତ ମାଟିର ଉର୍ବରତା ବୃଦ୍ଧି ପାଇଥାଏ । ରୋଇବା ପୂର୍ବରୁ ଭଲଭାବେ କାଦୁଅ ହଳ କରାଗଲେ ଫଳପ୍ରଦ ଭାବେ ଘାସ ଦମନ ହୋଇଥାଏ । ରୋଇବାର ତିନି ଦିନ ମଧ୍ୟରେ ହେକ୍ଟର ପ୍ରତି ୧.୫-୨.୦ କି.ଗ୍ରା. ଗଜା ହେବା ପୂର୍ବ ଔଷଧ ବୁଟାକ୍ଲୋରକୁ ୨୦ କି.ଗ୍ରା. ବାଲି ସହିତ ମିଶାଇ ଜମିରେ ପ୍ରୟୋଗ କରାଯାଇପାରେ । ଗଜା ହେବା ପର ଘାସମରା ଔଷଧ ବିସପାଇରିବାକ ସୋଡ଼ିଅମକୁ ପ୍ରତି ଲିଟର ପାଣି ସହିତ ୦.୪ ମି.ଲି. ହିସାବରେ ମିଶାଇ ଫସଲରେ ପ୍ରୟୋଗ କରାଯାଇପାରେ । ଏହାପରେ କିଆରୀରେ ୫ ସେ.ମି. ପର୍ଯ୍ୟନ୍ତ ଠିଆପାଣି ରଖାଗଲେ ଘାସ ହୋଇନଥାଏ । ରୋଇବାର ୧୫ ଦିନ ପରଠାରୁ ପ୍ରତି ୧୦ ଦିନ ଅନ୍ତରରେ ରୋଟାରି ୱିଡର ଚଳାଇବା ଉଚିତ୍ । ଏହା ଘାସ ଦମନ ପାଇଁ ଶ୍ରମିକ ଆବଶ୍ୟକତା ହ୍ରାସ କରିବା ସହିତ ମାଟି ଓ ଚେର ପାଖରେ ବାୟୁ ଚଳାଚଳ କରିବାରେ ସହାୟକ ହୋଇଥାଏ । ଫଳରେ ଚେର ଅଧିକ ସକ୍ରିୟ ହେବା ସହିତ ଉତ୍ତମ ଭାବେ ଖାଦ୍ୟସାର ଗ୍ରହଣ କରିବା ଯୋଗୁଁ ଭଲ ଭାବେ ଦାନା ପୂରଣ ହୋଇଥାଏ । ପ୍ରାୟ ୩୦-୩୫ ଦିନ ପରେ ହାତରେ ଥରେ ଘାସ ବାଛିଦେବା ଆବଶ୍ୟକ ।
ଜଳ ପରିଚାଳନା
ସମାନ ଅବଧିର ଅନ୍ୟାନ୍ୟ ଫସଲ ତୁଳନାରେ ଧାନ ଫସଲ ପାଇଁ ଅଧିକ ଜଳ ଆବଶ୍ୟକ ହୋଇଥାଏ । ତେଣୁ ଉପଯୁକ୍ତ ସମୟରେ ଜଳସେଚନ କରାଗଲେ ଫସଲରୁ ଆଶାନୁରୂପ ଅମଳ ମିଳିଥାଏ । ଧାନ ଗଛର ଜୀବନ କାଳ ମଧ୍ୟରେ କେତେକ ସଙ୍କଟ ଅବସ୍ଥା ଯଥା ପିଲ ହେବା ଓ ଫୁଲ ହେବା ଅବସ୍ଥାରେ ଜଳାଭାବ ହେବା ଉଚିତ୍ ନୁହେଁ । ଥୋଡ଼ ହେବାଠାରୁ କେଣ୍ଡା ବାହାରିବା ପର୍ଯ୍ୟନ୍ତ ସମୟ ମଧ୍ୟରେ ଯଥେଷ୍ଟ ପରିମାଣରେ ଜଳସେଚନ କରନ୍ତୁ । ଦୀର୍ଘ ବ୍ୟବଧାନରେ ଅଧିକ ପାଣି ମଡ଼ାଇବା ତୁଳନାରେ କମ୍ ଦିନ ବ୍ୟବଧାନରେ ଅଳ୍ପ ପରିମାଣର ପାଣି ମଡ଼ାଇ ମାଟିକୁ ଓଦା ରଖିବା ବିଶେଷ ଉପଯୋଗୀ ହୋଇଥାଏ । ଫସଲର ଅଭିବୃଦ୍ଧି ଅବସ୍ଥା ଅନୁସାରେ କିଆରୀରେ ଜଳସେଚନ ବା ଜଳ ନିଷ୍କାସନ କରାଯିବା ଉଚିତ୍ ।
- ଥୋଡ଼ ହେବାର ତୃତୀୟ ସୋପାନ ପର୍ଯ୍ୟନ୍ତ : ଅଳ୍ପ ପାଣି (୨-୩ ସେ.ମି.)
- କେଣ୍ଡା ବାହାରିବା ଠାରୁ ଦାନା ପୂରଣ ହେବା ପର୍ଯ୍ୟନ୍ତ : ଜଳାଭାବ ହେବା ଉଚିତ୍ ନୁହେଁ
- ଅମଳ କରିବାର ଏକ ସପ୍ତାହ ପୂର୍ବରୁ : ଜଳ ନିଷ୍କାସନ କରିବା ଦରକାର
- ଏକାନ୍ତର ଜଳସେଚନ ଓ ଜଳ ନିଷ୍କାସନ ପ୍ରକ୍ରିୟା ମାଧ୍ୟମରେ ଜମିକୁ ବାୟୁ ସଚଳ ଓ ବାୟୁ ଅଚଳ ଅବସ୍ଥାରେ ରଖାଯିବା ଆବଶ୍ୟକ
ରୋଗପୋକ ପରିଚାଳନା
ପ୍ରତିଷେଧକ ବ୍ୟବସ୍ଥା ହେଉଛି ରୋଗପୋକ ସମସ୍ୟା ପ୍ରତିହତ କରିବାର ସର୍ବଶ୍ରେଷ୍ଠ ଉପାୟ । ରୋଗ ପରିଚାଳନାର ପ୍ରମୁଖ ଉପାୟମାନ ହେଲା ବିଶୋଧିତ ବିହନ ବ୍ୟବହାର, ରୋଗାକ୍ରାନ୍ତ ଗଛକୁ ଉପାଡ଼ି ଦେବା ଏବଂ ସୁଷମ ସାର ପ୍ରୟୋଗ ।
ପ୍ରମୁଖ ରୋଗ ଓ ପୋକ |
ପରିଚାଳନା |
କାଣ୍ଡବିନ୍ଧା ପୋକ |
|
ମାଟିଆଗୁଣ୍ଡି ପୋକ |
|
ପତ୍ରମୋଡ଼ା ପୋକ |
|
ମହିଷା ରୋଗ |
|
ଆଚ୍ଛାଦ ପୋଡ଼ାରୋଗ |
|
ସାଆରା ରୋଗ |
|
ବୀଜାଣୁ ଜନିତ ପତ୍ରପୋଡ଼ା ରୋଗ |
|
ରୋଗପୋକ ଓ ଏହାର ପରିଚାଳନା ବିଷୟରେ ଅଧିକ ଜାଣିବା ନିମନ୍ତେ ଗୁଗୁଲ ପ୍ଲେ ଷ୍ଟୋରରୁ “ରାଇସ ଡକ୍ଟର ଓଡ଼ିଶା” ମୋବାଇଲ ଆପ ଡାଉନଲୋଡ଼ କରନ୍ତୁ ।
ବାଳୁଙ୍ଗା ଦମନ
ଧାନ ବିହନକୁ ଭୌତିକ ଓ ଆନୁବଂଶିକୀ ଦୃଷ୍ଟିରୁ ନିରୋଳା ରଖିବା ପାଇଁ ଫସଲର ବିଭିନ୍ନ ଅବସ୍ଥାରେ ଅନ୍ୟ କିସମର ଗଛ ଓ ବାଳୁଙ୍ଗା ଧାନ ଗଛ ବାହାର କରିବା ନିହାତି ଆବଶ୍ୟକ । ଅନ୍ୟ କିସମର ଗଛଗୁଡ଼ିକୁ ସେସବୁର ବୈଶିଷ୍ଟ୍ୟାବଳୀ (ଯଥା ଉଚ୍ଚତା, ପତ୍ରର ଆକାର, ପତ୍ରର ଆକୃତି ଓ ରଙ୍ଗ, କେଣ୍ଡାର ଆକୃତି, କେଣ୍ଡାର ଆକାର ଏବଂ ବର୍ଣ୍ଣ) ଅନୁସାରେ ଅଭିବୃଦ୍ଧି ଅବସ୍ଥା ବା ଫୁଲ ହେବା ଆରମ୍ଭ ଅବସ୍ଥାରେ ଚିହ୍ନଟ କରାଯାଇପାରିବ ।
ଗଛର ଗୁଣାବଳୀକୁ ଅବଲୋକନ କରି ଅନ୍ୟ କିସମ ଗଛକୁ ଚିହ୍ନଟ କରାଯାଇପାରିବ ।
- ଅନ୍ୟାନ୍ୟ ଗଛ (ମୁଖ୍ୟ ଫସଲ) ତୁଳନାରେ ଅଧିକ ଡେଙ୍ଗା ବା ଗେଡ଼ା ଗଛ
- ପତ୍ର, ଆଚ୍ଛାଦ ବା ନଡ଼ାର ରଙ୍ଗ ଭିନ୍ନ ହୋଇଥିବା
- ଧାନରେ ଅଂଶାର ଉପସ୍ଥିତି ବା ଅନୁପସ୍ଥିତି
- ଥୋଡ଼ପତ୍ରର କୋଣ
- ଶୀଘ୍ର ବା ବିଳମ୍ବରେ କେଣ୍ଡା ବାହାରିବା
- ରୋଗ ବା କୀଟ ଦ୍ୱାରା ଆକ୍ରାନ୍ତ ଗଛ
ଧାନ କାଟିବା
ଉପଯୁକ୍ତ ସମୟରେ ଧାନ କଟାଯିବା ଗୁରୁତ୍ୱପୂର୍ଣ୍ଣ ଅଟେ । ଅମଳ କରିବାରେ ବିଳମ୍ବ ହେଲେ ବା ଶୀଘ୍ର ଅମଳ କରାଗଲେ ଧାନର ମାନ ଓ ପରିମାଣ ପ୍ରଭାବିତ ହୋଇଥାଏ ।
ଅମଳ କରିବା ପାଇଁ ଉପଯୁକ୍ତ ସମୟ :
- ଶସ୍ୟରେ ୨୦-୨୨% ଜଳୀୟ ଅଂଶ ଥିଲେ
- ୮୦-୮୫ % କେଣ୍ଡା ନଡ଼ା ରଙ୍ଗର ହୋଇଯିବା
ଧାନ କାଟିବା ବିଷୟରେ ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ ।
ଅମଳ ପରବର୍ତ୍ତୀ ପ୍ରକ୍ରିୟାକରଣ
ଖଳାରେ ଅମଳ : ଖଳାରେ କେଣ୍ଡାରୁ ଧାନକୁ ଅଲଗା କରାଯାଇଥାଏ । ଅମଳ କରିବାବେଳେ ଦେଖିବା କଥା ଯେପରି ଧାନ ଆଘାତପ୍ରାପ୍ତ ହୋଇ ଏଥିରେ କ୍ଷତ ସୃଷ୍ଟି ନ ହୁଏ । ହାତରେ ଅମଳ କରାଯାଉଥିଲେ, କାଠ ପଟା ଉପରେ ବାଡ଼େଇଲେ ମଞ୍ଜି କ୍ଷତିଗ୍ରସ୍ତ ହୋଇ ନଥାଏ । ଯନ୍ତ୍ର ସାହାଯ୍ୟରେ ଅମଳ କରାଯାଉଥିଲେ ଯନ୍ତ୍ରର ବେଗକୁ ଉପଯୁକ୍ତ ଭାବେ ନିର୍ଦ୍ଧାରଣ କରାଯିବା ଆବଶ୍ୟକ । ଅମଳ ବେଳେ ମଞ୍ଜିର ଜଳୀୟ ଅଂଶ ପରିମାଣ ୧୫-୧୮% ହୋଇଥିବା ଦରକାର ।
ଧାନ ଉଡ଼ାଇବା : ଧୂଳି ଓ ଅନ୍ୟାନ୍ୟ ପଦାର୍ଥ ସଫା କରିବା ପାଇଁ ଧାନକୁ ଗୋଟିଏ ପରିଷ୍କାର ସ୍ଥାନରେ ଉଡ଼ାଇବା ଦରକାର । ହାତରେ ଅଥବା ହସ୍ତଚାଳିତ ବା ଶକ୍ତିଚାଳିତ ଯନ୍ତ୍ର ସାହାଯ୍ୟରେ ଧାନ ଉଡ଼ାଯାଇ ପାରିବ ।
ଶୁଖାଇବା : ଶୁଖାଇବା ପାଇଁ ଧାନକୁ ଗୋଟିଏ ମ୍ୟାଟ ଉପରେ ପତଳା ଭାବେ ଖରାରେ ପକାଇବାକୁ ହେବ । ଏହି ଧାନକୁ ଦିନରେ ୪ ରୁ ୫ ଥର ଓଲଟପାଲଟ କରିବାକୁ ପଡ଼ିବ । ଏହି ପ୍ରକ୍ରିୟା ୨-୩ ଦିନ ପର୍ଯ୍ୟନ୍ତ କରିବାକୁ ହେବ । ଖଳାରେ ଅମଳ ପରେ ସଙ୍ଗେ ସଙ୍ଗେ କମ୍ ଆର୍ଦ୍ରତା ଥିବା ପରିସରରେ ଧାନ ଶୁଖାଇବାକୁ ହୋଇଥାଏ । ନିରାପଦରେ ଉତ୍ତମ ଭାବେ ସାଇତିବା ପାଇଁ ଜଳୀୟ ଅଂଶ ୧୩%କୁ ଅଣାଯିବା ଦରକାର ।
ସାଇତି ରଖିବା : ଗୋଟିଏ ଋତୁରୁ ଅନ୍ୟ ଋତୁ ପର୍ଯ୍ୟନ୍ତ ବା ଅମଳ ପରଠାରୁ ବିକ୍ରି ହେବା ପର୍ଯ୍ୟନ୍ତ ବିହନ ରଖାଯିବାକୁ ସାଇତି ରଖିବା କୁହାଯାଏ । ଆଦର୍ଶ ଅବସ୍ଥାରେ ସାଇତା ଯାଇଥିବା ଧାନରେ ବାହ୍ୟ ପରିବେଶରୁ ବାୟୁ ବା ଜଳୀୟଅଂଶ ପ୍ରବେଶ କରି ନଥାଏ । ବିହନରେ ଜଳୀୟ ଅଂଶ ମିଶିଲେ ତାହା ଓଦା ହେବା ସହିତ ଏଥିରେ ଫିମ୍ପି ଲାଗିଯାଏ ଓ କୀଟ ଆକ୍ରମଣର ଆଶଙ୍କା ବୃଦ୍ଧିପାଇଥାଏ । ବିହନକୁ ଶୀତଳ ଓ ଶୁଷ୍କ ପରିବେଶରେ ସାଇତି ରଖିଲେ ଏହାର ଗଜା ହେବା କ୍ଷମତା ଅଧିକ ଦିନ ରହିଥାଏ । ସାଇତି ରଖିବା ପୂର୍ବରୁ ବିହନ ସହିତ କିଲୋଗ୍ରାମ୍ ପ୍ରତି ୨ ଗ୍ରାମ୍ ହିସାବରେ ଥିରାମ ମିଶାଇ ବିଶୋଧନ କରିଦେବା ଆବଶ୍ୟକ ।
ବିହନ ସାଇତିବା ପାଇଁ ଇରୀ ସୁପର ବ୍ୟାଗ ବ୍ୟବହାର
ଧାନ ଆଦି ଫସଲର ଶସ୍ୟ ଓ ଅନ୍ୟାନ୍ୟ ଫସଲକୁ (ଯଥା କଫି) ବାୟୁରୁଦ୍ଧ ଅବସ୍ଥାରେ ନିରାପଦ ଭାବେ ଦୀର୍ଘଦିନ ପର୍ଯ୍ୟନ୍ତ ସାଇତି ରଖିବା ପାଇଁ କୃଷକଙ୍କ ବ୍ୟବହାର ଉପଯୋଗୀ ଏକ ସାଇତା ବ୍ୟାଗ ହେଉଛି ଇରୀ ସୁପର ବ୍ୟାଗ । ପାରମ୍ପରିକ ସାଇତା ବ୍ୟବସ୍ଥା ତୁଳନାରେ ଇରୀ ସୁପର ବ୍ୟାଗର ସ୍ୱତନ୍ତ୍ର ଗୁଣ ହେଲା :
- ବିହନର ଗଜା ହେବା କ୍ଷମତାକୁ ୬ ରୁ ୧୨ ମାସ ପର୍ଯ୍ୟନ୍ତ ବୃଦ୍ଧି କରିଥାଏ,
- ରାସାୟନିକ ପଦାର୍ଥ ବ୍ୟବହାର ନ କରି ଶସ୍ୟରେ କୀଟ ନିୟନ୍ତ୍ରଣ କରିଥାଏ ।
ବିହନ ଉତ୍ପାଦନର ବିଭିନ୍ନ ସୋପାନ
ବିହନର ଶ୍ରେଣୀ | କାର୍ଯ୍ୟ ପ୍ରକ୍ରିୟା |
ନ୍ୟଷ୍ଟି ବିହନ (ନ୍ୟୁକ୍ଲିୟସ ସିଡ଼) | ଆନୁବଂଶିକୀ ଓ ଭୌତିକ ଦୃଷ୍ଟିରୁ ୧୦୦% ନିରୋଳା ବିହନ ରଖିଥିବା ଅନୁଷ୍ଠାନ ବା ପ୍ରଜନକମାନେ ନ୍ୟଷ୍ଟି ବିହନ ଉତ୍ପାଦନ କରିଥାନ୍ତି । ସାଧାରଣତଃ ଜଣେ ପ୍ରଜନକ / ଗୋଟିଏ ଅନୁଷ୍ଠାନ ଦ୍ୱାରା ମୂଳ ନ୍ୟଷ୍ଟି ବିହନ ବ୍ୟବହାର କରି ଏହି ବିହନ ଉତ୍ପାଦନ କରାଯାଇଥାଏ । ପ୍ରଜନକ ବିହନ ଉତ୍ପାଦନ ପାଇଁ ନ୍ୟଷ୍ଟି ବିହନ ବ୍ୟବହାର କରାଯାଏ । |
ପ୍ରଜନକ ବିହନ (ବ୍ରିିଡ଼ର ସିଡ଼) (ଟ୍ୟାଗ ରଙ୍ଗ : ହଳଦିଆ) | ବିହନର ବିକାଶ କରିଥିବା ପ୍ରଜନକ ବା ସଂପୃକ୍ତ ଅନୁଷ୍ଠାନ ଅଥବା ମୂଳ ବିହନ ଯୋଗାଣ କରୁଥିବା ଫାର୍ମର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିହନ ଉତ୍ପାଦନ କରାଯାଇଥାଏ । ନ୍ୟଷ୍ଟି ବିହନକୁ ଉପଯୁକ୍ତ ବିଲଗନ ଦୂରତାରେ ଚାଷ କରାଯାଇ ପ୍ରଜନକ ବିହନ ଉତ୍ପାଦନ କରାଯାଇଥାଏ । ପିଣ୍ଡ ବିହନ ଉତ୍ପାଦନ ପାଇଁ ପ୍ରଜନକ ବିହନ ବ୍ୟବହାର କରାଯାଇଥାଏ । |
ପିଣ୍ଡ ବିହନ (ଫାଉଣ୍ଡେସନ ସିଡ଼୍) (ଟ୍ୟାଗ୍ ରଙ୍ଗ : ଧଳା) | ପ୍ରଜନକ ବିହନରୁ ପିଣ୍ଡ ବିହନ ଉତ୍ପାଦନ କରାଯାଇଥାଏ । ଏହା ଆନୁବଂଶିକୀ ଦୃଷ୍ଟିରୁ ନିରୋଳା ଅଟେ । ପ୍ରମାଣୀକୃତ ବିହନ ଉତ୍ପାଦନ ପାଇଁ ଏହାକୁ ବ୍ୟବହାର କରାଯାଏ । କିସମର ବିକାଶକର୍ତ୍ତା ବା ସମ୍ପୃକ୍ତ ଅନୁଷ୍ଠାନ ବା ଲାଇସେନ୍ସପ୍ରାପ୍ତ ବ୍ୟକ୍ତିଙ୍କ ତତ୍ତ୍ୱାବଧାନରେ ପିଣ୍ଡ ବିହନ ଉତ୍ପାଦନ କରାଯାଏ । |
ପ୍ରମାଣୀକୃତ ବିହନ (ଟ୍ୟାଗ୍ ରଙ୍ଗ : ନୀଳ) | ପିଣ୍ଡ ବିହନ, ପଞ୍ଜୀକୃତ ବିହନ, ପ୍ରମାଣୀକୃତ ବା ଅନ୍ୟ ଅନୁମୋଦିତ ବିହନରୁ ପ୍ରମାଣୀକୃତ ବିହନ ଉତ୍ପାଦନ କରାଯାଇଥାଏ । ପ୍ରମାଣୀକୃତ ହେବା ପାଇଁ ଏହି ବିହନ କେତେକ ନିର୍ଦ୍ଦିଷ୍ଟ ମାନ ପୂରଣ କରୁଥିବା ଆବଶ୍ୟକ । କୃଷକମାନଙ୍କ ଦ୍ୱାରା ବ୍ୟବସାୟିକ ଉତ୍ପାଦନ ନିମନ୍ତେ ପ୍ରମାଣୀକୃତ ବିହନ ବ୍ୟବହାର କରାଯାଇଥାଏ । ରାଜ୍ୟ ବିହନ ପ୍ରମାଣନ ସଂସ୍ଥାର ସ୍ୱୀକୃତି ବିନା ପ୍ରମାଣୀକୃତ ବିହନରୁ ପ୍ରମାଣୀକୃତ ବିହନ ଉତ୍ପାଦନ କରାଯାଇପାରିବ ନାହିଁ । |
ବିଶ୍ୱସନୀୟ ବିହନ | କୃଷକ ଏବଂ ବେସରକାରୀ ବିହନ ଉତ୍ପାଦନ ସଂସ୍ଥାଦ୍ୱାରା ପ୍ରମାଣୀକୃତ ବିହନରୁ ବିଶ୍ୱସନୀୟ ବିହନ ଉତ୍ପାଦନ କରାଯାଇଥାଏ । ଯଦିଓ ଏହି ପ୍ରକାରର ବିହନ ପାଇଁ ପ୍ରମାଣୀକରଣର ଆବଶ୍ୟକତା ନାହିଁ, ତଥାପି ବିହନ ଓ ଜମିର କେତେକ ମାନ ବଜାୟ ରଖିବାକୁ ହେବ । ବିଜ୍ଞପିତ କିସମ କ୍ଷେତ୍ରରେ ବିଶ୍ୱସନୀୟ ଲେବଲିଂ କରିବା ପାଇଁ ଗଜାହେବା କ୍ଷମତା ଓ ନିରୋଳା ଗୁଣ ପରୀକ୍ଷା କରାଯାଏ । |
ଓଡ଼ିଶାରେ ଧାନ ବିହନ ପ୍ରମାଣନ ପ୍ରକ୍ରିୟା
ଗୋଟିଏ ଋତୁ ମଧ୍ୟରେ ପଞ୍ଜୀକରଣ : ଓଡ଼ିଶା ରାଜ୍ୟ ବିହନ ଓ ଜୈବ ଉତ୍ପାଦନ ପ୍ରମାଣନ ସଂସ୍ଥାର ୱେବସାଇଟରେ ଆବେଦନକାରୀଙ୍କ ବିଶଦ ତଥ୍ୟ, ଠିକଣା, ଜମିର ତଥ୍ୟ ଓ ଫସଲର ସୂଚନା ପ୍ରଦାନ କରି ବିହନ ଉତ୍ପାଦନକାରୀ ଅନଲାଇନ୍ରେ ଆବେଦନ କରିପାରିବେ । ସଂପୃକ୍ତ ଅଧିକାରୀଙ୍କ ଦ୍ୱାରା ପ୍ରାପ୍ତି ସ୍ୱୀକାର କରାଯିବା ସହିତ ଦରଖାସ୍ତର ତଦାରଖ କରାଯାଇଥାଏ ।
ଉତ୍ସର ତଦାରଖ ଓ ପରିଦର୍ଶନ: ବିହନ ପାଇଁ ଚାଷ କରାଯାଉଥିବା ଫସଲ ନିମନ୍ତେ ବ୍ୟବହାର କରାଯାଉଥିବା ବିହନର ଉତ୍ସ ଓ ଅନ୍ୟାନ୍ୟ ଆବଶ୍ୟକତା ତଦାରଖ ପାଇଁ ସଂପୃକ୍ତ ବିହନ ପ୍ରମାଣନ ଅଧିକାରୀ ଉତ୍ତର ଦାୟୀ ଅଟନ୍ତି ।
ପଞ୍ଜିକରଣ ତଥ୍ୟ ଅନୁସାରେ କ୍ଷେତ୍ର ପରିଦର୍ଶନ କରି ନିର୍ଦ୍ଧାରିତ ମାନ (ବିହନର ଆନୁବଂଶିକୀ ନିରୋଳା ଓ ବିହନ ସ୍ୱାସ୍ଥ୍ୟର କ୍ଷତି କରୁଥିବା କାରଣର ତଦାରଖ) ଅନୁଧ୍ୟାନ କରାଯାଏ । ଏହି ପ୍ରକ୍ରିୟା ପାଇଁ ଉଭୟ ଅଫ୍ଲାଇନ ଓ ଅନ୍ଲାଇନ ମଡ଼ୁଲମାନ ଉପଲବ୍ଧ ଅଛି ।
କ୍ଷେତ୍ର ପରିଦର୍ଶନ ମଧ୍ୟରେ ରହିଛି : (କ) ବିଲଗନ ଦୂରତା ୩ ମିଟର, (ଖ) ଫୁଲ ହେବା ସମୟ (ଗ) କେଣ୍ଡାର ଅନୁଧ୍ୟାନ । ପରିଦର୍ଶନର ନିୟମ ଅନୁସାରେ ୫୦% ଫୁଲ ହେବାଠାରୁ ପାକଳ ହେବା ପର୍ଯ୍ୟନ୍ତ ଅନ୍ତତଃ ଦୁଇଥର କ୍ଷେତ୍ର ପରିଦର୍ଶନ କରିବା ଆବଶ୍ୟକ ।
ଏହାପରେ ବିହନ ପ୍ରମାଣନ ଅଧିକାରୀଙ୍କ ଦ୍ୱାରା ବିହନ ଉତ୍ପାଦନକାରୀଙ୍କୁ କ୍ଷେତ୍ର ପରିଦର୍ଶନ ରିପୋର୍ଟ ପ୍ରଦାନ କରାଯାଏ ।
ଖଳା ପ୍ରମାଣପତ୍ର ପ୍ରଦାନ : ଖଳା ପ୍ରମାଣପତ୍ର ପ୍ରଦାନ ପୂର୍ବରୁ ସଂପୃକ୍ତ ଅଧିକାରୀଙ୍କ ଦ୍ୱାରା ଖଳାରେ ଅମଳ କାର୍ଯ୍ୟର ତଦାରଖ କରାଯାଏ । ସେହିପରି ଅମଳ ପରବର୍ତ୍ତୀ ଅନ୍ୟାନ୍ୟ କାର୍ଯ୍ୟ ଯଥା ପ୍ରକ୍ରିୟାକରଣ ଓ ପ୍ୟାକିଂ କରିବା ମଧ୍ୟ ତଦାରଖ କରାଯାଇଥାଏ ।
ନମୁନା ସ୍ଲିପ ପ୍ରସ୍ତୁତି : ପରୀକ୍ଷାଗାରରେ ବିହନ ପରୀକ୍ଷା କରିବା ପାଇଁ ତିନି ପ୍ରକାରର ନମୁନା ସ୍ଲିପ ପ୍ରସ୍ତୁତ ହୋଇଥାଏ ।
ନମୁନା ୧ : ବିହନ ପରୀକ୍ଷାଗାରକୁ ପଠାଯାଏ
ନମୁନା ୨ : ବିହନ ଉତ୍ପାଦନକାରୀଙ୍କୁ ପ୍ରଦାନ କରାଯାଏ
ନମୁନା ୩ : ଅତିରିକ୍ତ ଗାର୍ଡ଼ ନମୁନା
ବିହନ ପରୀକ୍ଷଣ : ବିହନର ନିମ୍ନ ଗୁଣମାନ ପରୀକ୍ଷା କରିବା ପରେ ପରୀକ୍ଷାଗାର ତରଫରୁ ବିହନ ଅନୁଶୀଳନ ରିପୋର୍ଟ ପ୍ରଦାନ କରାଯାଏ ।
- ଗଜା ହେବା କ୍ଷମତା ପରୀକ୍ଷା
- ଭୌତିକ ନିରୋଳା ପରୀକ୍ଷା
- ଜଳୀୟ ଅଂଶ ପରୀକ୍ଷା
- ବାରି ହେଉଥିବା ଅନ୍ୟ କିସମର ପରୀକ୍ଷା
- କୀଟ ଦ୍ୱାରା ଆକ୍ରାନ୍ତ ପରୀକ୍ଷା
- ରୋଗ ଆକ୍ରମଣ ପରୀକ୍ଷା
ଟ୍ୟାଗ ଓ ପ୍ରମାଣପତ୍ର ପ୍ରଦାନ : ବିହନ ପ୍ରମାଣନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ବିହନ ପାଇଁ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପ୍ରମାଣପତ୍ର ଓ ଟ୍ୟାଗ୍ ପ୍ରଦାନ କରାଯାଇଥାଏ ।
ଟ୍ୟାଗର ବୈଧତା : ବିହନ ନମୁନା ସଂଗ୍ରହ ହେବା ତାରିଖଠାରୁ ୯ ମାସ ପର୍ଯ୍ୟନ୍ତ ଟ୍ୟାଗ ହୋଇଥିବା ବିହନର ବୈଧତା ବଜାୟ ରହିଥାଏ ।
ପ୍ରମାଣନ ମାନ:
ବିହନ ଓ କ୍ଷେତର ମାନ | ପ୍ରମାଣିକୃତ ଶ୍ରେଣୀ ପାଇଁ ମାନ |
ବାଳୁଙ୍ଗା / ଅନ୍ୟ କିସମ ଧାନ (ସର୍ବାଧିକ) | ୦.୨୦% |
ସମସ୍ୟାଯୁକ୍ତ ଘାସ ଗଛ (ସର୍ବାଧିକ) | ୦.୨୦% |
ନିରୋଳା ବିହନ (ସର୍ବନିମ୍ନ) | ୯୮.୦% |
ନିଷ୍କ୍ରିୟ ପଦାର୍ଥ (ସର୍ବାଧିକ) | ୨.୦% |
ଚୋପା ଛାଡ଼ିଥିବା ବିହନ (ସର୍ବାଧିକ) | ୨.୦% |
ଅନ୍ୟ ଫସଲ ମଞ୍ଜି (ସର୍ବାଧିକ) | କି.ଗ୍ରା. ପ୍ରତି ୨୦ ଟି |
ବାରି ହୋଇ ପଡ଼ୁଥିବା ଅନ୍ୟ କିସମ (ସର୍ବାଧିକ) | କି.ଗ୍ରା. ପ୍ରତି ୨୦ ଟି |
ସମସ୍ୟାଯୁକ୍ତ ଘାସ ମଞ୍ଜି (ସର୍ବାଧିକ) | କି.ଗ୍ରା. ପ୍ରତି ୫ ଟି |
ମୋଟ ଘାସ ମଞ୍ଜି (ସର୍ବାଧିକ) | କି.ଗ୍ରା. ପ୍ରତି ୨୦ ଟି |
ରୋଗାକ୍ରାନ୍ତ ଧାନ ବିହନ | ୦.୫୦% |
ଗଜା ହେବା କ୍ଷମତା (ସର୍ବନିମ୍ନ) | ୮୦% |
ବାୟୁ ଭେଦ୍ୟ ପାତ୍ର ପାଇଁ ଜଳୀୟ ଅଂଶ (ସର୍ବାଧିକ) | ୧୩.୦% |
ବାୟୁ ଅଭେଦ୍ୟ ପାତ୍ର ପାଇଁ ଜଳୀୟ ଅଂଶ (ସର୍ବାଧିକ) | ୮.୦% |
ବିଲଗନ ଦୂରତା | ୩ ମିଟର |
ପଞ୍ଜିକରଣ ସମୟସୂଚୀ: ଖରିଫ ଋତୁ ପାଇଁ ଅଗଷ୍ଟ ମାସ ୩୧ ତାରିଖ ଓ ରବିଋତୁ ପାଇଁ ଫେବୃୟାରୀ ମାସ ୧୫ ତାରିଖ
ପ୍ରମାଣିକୃତ ବିହନର ଉତ୍ସ
- ଓଡ଼ିଶା ରାଜ୍ୟ ବିହନ ନିଗମ ଲିମିଟେଡ଼
- ଜାତୀୟ ବିହନ ନିଗମ ଲିମିଟେଡ଼
- ବେସରକାରୀ ବିହନ ଉତ୍ପାଦନକାରୀ
ଓଡ଼ିଶା ରାଜ୍ୟରେ ବିହନ ପ୍ରମାଣନ ପ୍ରକ୍ରିୟା ବିଷୟରେ ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ ।
ଧାନ ଫସଲରେ ସମନ୍ୱିତ ରୋଗପୋକ ପରିଚାଳନା
କାର୍ଯ୍ୟ | ସମନ୍ୱିତ ରୋଗପୋକ ପରିଚାଳନା ପଦ୍ଧତି |
ବିହନ | ଧାନର ମୁଖ୍ୟ ରୋଗପୋକ ପ୍ରତି ପ୍ରତିରୋଧି/ସହନଶୀଳ କ୍ଷମତା ଥିବା ସୁସ୍ଥ ଓ ରୋଗମୁକ୍ତ ବିହନ ଚୟନ କରନ୍ତୁ । |
ପ୍ରତି କିଲୋଗ୍ରାମ୍ ବିହନ ସହିତ ୫-୧୦ ଗ୍ରାମ୍ ଟ୍ରାଇକୋଡର୍ମା ଜାତୀୟ ଔଷଧ ବା ୧ ଗ୍ରାମ୍ ଟ୍ରାଇସାଇକ୍ଲାଜୋଲ୍ (ମହିଷା ରୋଗ ସମସ୍ୟା ଥିବା ଅଞ୍ଚଳରେ), ୦.୨୫ ଗ୍ରାମ୍ ଆଗ୍ରିମାଇସିନ୍ (ବୀଜାଣୁ ଜନିତ ପତ୍ର ପୋଡ଼ା ରୋଗ ଦେଖାଯାଉଥିବା ଅଞ୍ଚଳରେ) ମିଶାଇ ବିଶୋଧନ କରନ୍ତୁ । | |
ତଳି ପଟାଳି | ଧାନ ତଳି ବିଶୋଧନ: ବୀଜାଣୁ ଜନିତ ପତ୍ର ପୋଡ଼ା ସମସ୍ୟା ଦେଖାଯାଉଥିବା ଅଞ୍ଚଳରେ ପ୍ରତି ଲିଟର ପାଣି ସହିତ ୪ ଗ୍ରାମ୍ ଷ୍ଟ୍ରେପ୍ଟୋମାଇସିନ୍ ସଲଫେଟ୍ ୯୦% ଓ ଟେଟ୍ରାସାଇକ୍ଲିନ୍ ହାଇଡ୍ରୋକ୍ଲୋରାଇଡ୍ ୧୦% ଏସ୍.ପି. ମିଶାଇ ଏକ ଦ୍ରବଣ ପ୍ରସ୍ତୁତ କରନ୍ତୁ। ରୋଇବା ପୂର୍ବରୁ ଏହି ଦ୍ରବଣରେ ଧାନ ତଳି ଗୁଡ଼ିକୁ ୧-୨ ଘଣ୍ଟା ଯାଏ ବୁଡ଼ାଇ ରଖନ୍ତୁ। |
ମୁଖ୍ୟ ଜମି | ଧାଡ଼ିକୁ ଧାଡ଼ି ୨୦ ସେ.ମି. ଓ ଗଛକୁ ଗଛ ୧୫ ସେ.ମି. ବ୍ୟବଧାନରେ ତଳି ରୁଅନ୍ତୁ । ପ୍ରତି ୨ ମିଟର ବା ୧୦ ଧାଡ଼ି ପରେ ୩୦ ସେ.ମି. ଖାଲି ସ୍ଥାନ ରଖନ୍ତୁ । ପ୍ରାକୃତିକ ଶତ୍ରୁମାନଙ୍କୁ ସଂରକ୍ଷଣ କରିବା ପାଇଁ ହିଡ଼ରେ ଫସଲ (ପରିବେଶ ଅନୁକୂଳ) ଚାଷ କରନ୍ତୁ । ରୋଇବାର ୩-୫ ଦିନ ମଧ୍ୟରେ ହେକ୍ଟର ପିଛା ୧.୫ – ୧.୮୭୫ ଲି. ପ୍ରେଟିଲାକ୍ଲୋର ୩୭% ଇ.ଡବ୍ଲିଉ. ଘାସ ମରା ଔଷଧକୁ ଜମିରେ ପ୍ରୟୋଗ କରନ୍ତୁ । ସଅଳ କିସମ ପାଇଁ ହେକ୍ଟର ପ୍ରତି ୬୦ କି.ଗ୍ରା. ଯବକ୍ଷାର, ୩୦ କି.ଗ୍ରା. ଫସଫରସ ଓ ୩୦ କି.ଗ୍ରା. ପଟାସ ସାର ପ୍ରୟୋଗ କରନ୍ତୁ । ବିଳମ୍ବ କିସମ ପାଇଁ ହେକ୍ଟର ପ୍ରତି ୮୦ କି.ଗ୍ରା. ଯବକ୍ଷାର, ୪୦ କି.ଗ୍ରା. ଫସଫରସ ଓ ୪୦ କି.ଗ୍ରା. ପଟାସ ସାର ପ୍ରୟୋଗ କରନ୍ତୁ । ରୋଇବାର ୧୫ ଦିନ ପରଠାରୁ ପ୍ରତି ସପ୍ତାହ ବ୍ୟବଧାନରେ କିଆରୀରେ ବୁଲି ରୋଗପୋକ ଆକ୍ରମଣ ନିରୀକ୍ଷଣ କରନ୍ତୁ । ରୋଇବାର ୨୦ ରୁ ୩୦ ଦିନ ମଧ୍ୟରେ ବୀଜାଣୁ ଜନିତ ପତ୍ର ପୋଡ଼ା ରୋଗ ଦେଖାଗଲେ ପରବର୍ତ୍ତୀ ଦଫା ଯବକ୍ଷାର ସାର ପ୍ରୟୋଗରେ ବିଳମ୍ବ କରନ୍ତୁ । ବିଶେଷ କରି ଦ୍ୱିତୀୟ ଦଫା ଯବକ୍ଷାର ସାରକୁ ଡେରିରେ ପ୍ରୟୋଗ କରନ୍ତୁ ।ରୋଇବାର ୧୫ ଦିନ ପରେ କାଣ୍ଡବିନ୍ଧା ପୋକର ଉପସ୍ଥିତି ଜାଣିବା ପାଇଁ ହେକ୍ଟର ପ୍ରତି ୮ଟି ଫେରୋମୋନ ଟ୍ରାପ୍ ବ୍ୟବହାର କରି ଏଥିରେ ୫ ମିଲିଗ୍ରାମ ଲିଓର ରଖନ୍ତୁ । ଫେରୋମୋନ୍ ଟ୍ରାପ୍ ରଖିବାବେଳେ ଦେଖିବା କଥା ଯେପରି ଏହା ଗଛ ଠାରୁ ଅଧିକ ଉଚ୍ଚତାରେ ରହିବ । ରୋଇବାର ୨୧ ଦିନ ପରେ ଏକର ପ୍ରତି ୨-୩ ଟି ଟ୍ରାଇକୋକାର୍ଡ଼ ବ୍ୟବହାର କରନ୍ତୁ ଏବଂ ଫୁଲ ହେବା ପର୍ଯ୍ୟନ୍ତ ପ୍ରତି ୧୫ ଦିନରେ ଥରେ ପୁନଃ ବ୍ୟବହାର କରନ୍ତୁ । |
ରୋଇବାର ୩୦-୫୯ ଦିନ ପରେ | ପ୍ରତି ଲିଟର ପାଣି ସହିତ ୦.୪ ମି.ଲି. ଗଜା ପର ଘାସମରା ଔଷଧ ଯଥା ବିସପାଇରିବାକ୍ ସୋଡ଼ିୟମ ମିଶାଇ ଜମିରେ ପ୍ରୟୋଗ କରନ୍ତୁ । ହିଡ଼ ଉପରେ ନଜର ପକାନ୍ତୁ । ଯଦି ଘାସରେ ଆଚ୍ଛାଦପୋଡ଼ା ରୋଗ ଦେଖାଯାଏ, ତେବେ ପ୍ରତି ଲିଟର ପାଣି ସହିତ ୨ ମି.ଲି. ହେକ୍ସାକୋନାଜଲ ମିଶାଇ ସ୍ପ୍ରେ କରନ୍ତୁ । ଲିଫ କଲର ଚାର୍ଟ ବ୍ୟବହାର କରି ଯବକ୍ଷାର ସାର ପ୍ରୟୋଗ କରନ୍ତୁ । ଋତୁର ମଧ୍ୟବର୍ତ୍ତୀ ସମୟରେ ଜଳ ନିଷ୍କାସନ କରନ୍ତୁ । |
ରୋଇବାର ୬୦-୯୦ ଦିନ ପରେ | ରୋଇବାର ୬୦ ଦିନ ପରେ ହେକ୍ଟର ପ୍ରତି ୬୦୦ ଗ୍ରାମ୍ କାରଟାପ୍ ହାଇଡ୍ରୋକ୍ଲୋରାଇଡ଼୍ ୫୦ ଡବ୍ଲୁପି ସ୍ପ୍ରେ କରନ୍ତୁ (କାଣ୍ଡବିନ୍ଧା ପୋକ ବା ପତ୍ରମୋଡ଼ା ପୋକ ଆକ୍ରମଣ ଆର୍ଥିକ ଦେହଳୀ ସୀମା ଅତିକ୍ରମ କଲେ)। ଏହା ବଦଳରେ ରାନାକ୍ସିପାଇର୍ ମଧ୍ୟ ସ୍ପ୍ରେ କରାଯାଇପାରେ । ମାଟିଆଗୁଣ୍ଡି ପୋକ ଆକ୍ରମଣ ଦେଖାଗଲେ କିଆରୀରୁ ଜଳ ନିଷ୍କାସନ କରନ୍ତୁ । ଏହି ଅଞ୍ଚଳରେ ସାଆର ରୋଗ ବା ଶସ୍ୟ ବିବର୍ଣ୍ଣ ହେବା ରୋଗର ଆଶଙ୍କା ଥିଲେ ଫୁଲ ହେବାବେଳେ ଆବଶ୍ୟକତା ଅନୁସାରେ ପ୍ରତିଷେଧକ ଭାବେ ପ୍ରତି ଲିଟର ପାଣି ସହ ୧ ଗ୍ରାମ୍ ହେକ୍ସାକୋନାଜୋଲ୍ କିମ୍ବା ୨ ଗ୍ରାମ୍ କ୍ଳୋରୋଥାଲୋନିଲ୍ ପ୍ରୟୋଗ କରନ୍ତୁ । |