ଧାନ ପେଷିବା ଦ୍ୱାରା କୁଣ୍ଡା ଓ ବ୍ରାନର ଆସ୍ତରଣ ବାହାରିଯାଇ ଧଳା ଚାଉଳ ମିଳିଥାଏ । ଜଳୀୟ ଅଂଶ ୧୩-୧୫% ଥିବାବେଳେ ଧାନକୁ ଭଲ ଭାବେ ପେଷା ଯାଇପାରେ । ଏହି ପ୍ରକ୍ରିୟା ବିଭିନ୍ନ ସୋପାନ ଦେଇ କରାଗଲେ ସୁଫଳ ମିଳିଥାଏ । ପେଷିବା ସମୟରେ ଶସ୍ୟର ତାପମାତ୍ରା ୪୫ ଡିଗ୍ରୀ ସେଲ୍ସିଅସରୁ ଅଧିକ ହେବା ଉଚିତ୍ ନୁହେଁ । ଫଳପ୍ରଦ ପେଷିବା ପ୍ରକ୍ରିୟାରେ କୁଣ୍ଡା (୨୦%) ଓ ବ୍ରାନ୍ (୮-୧୦%) ବାହାରିଯିବା ପରେ ୭୦% ଧଳା ଚାଉଳ ମିଳିଥାଏ । ଜଳସେଚିତ ଜମିରେ ଅମଳ କରାଯାଇଥିବା ଧାନରୁ ୬୦% ପରିଷ୍କାର ଧଳା ଚାଉଳ (ଭାଙ୍ଗି ନଥିବା, ଧଳା ଚାଉଳ) ମିଳୁଥିବା ବେଳେ ଅଣଜଳସେଚିତ ଜମିରେ ଅମଳ କରାଯାଇଥିବା ଧାନରୁ ୪୦-୫୦% ପରିଷ୍କାର ଧଳା ଚାଉଳ ମିଳିଥାଏ । ବିଭିନ୍ନ ଉପାୟରେ ଧାନ ପେଷା ଯାଇଥାଏ –
- ହେମଦସ୍ତାରେ କୁଟି ନାଲି ଚାଉଳ (ଚାଉଳ ଉପରେ ଏକ ଆସ୍ତରଣ ରହିଥାଏ) ବାହାର କରାଯାଏ । ଅଧିକ ପରିମାଣରେ ଭଙ୍ଗା ଚାଉଳ ମିଳିଥାଏ । ହାତରେ ଉଡ଼େଇ ଚାଉଳରୁ କୁଣ୍ଡା ସଫା କରାଯାଏ ।
- ଏକ-ସୋପାନ ପେଷା ଯାଉଥିବା ପଦ୍ଧତିରେ (ଆସାମରେ ଇସ୍ପାତ ରୋଲର ଉପଲବ୍ଧ) ଥରକରେ କୁଣ୍ଡା ଓ ବ୍ରାନ୍ ବାହାରିଥାଏ ଏବଂ ଧାନରୁ ସିଧାସଳଖ ଧଳା ଚାଉଳ ବାହାରିଥାଏ । ଏଞ୍ଜେଲବର୍ଗ କଫି ହଲରର ଏକ ପରିବର୍ତ୍ତିତ ରୂପ ହେଉଛି ଏକ-ସୋପାନ ଧାନ କଳ । ଏହି ପଦ୍ଧତିରେ ଅଧିକ ପରିମାଣରେ ଚାଉଳ ଭାଙ୍ଗିଯାଏ, କମ୍ ପରିମାଣରେ (୫୦-୫୫%) ଧଳା ଚାଉଳ ମିଳେ ଏବଂ ୩୦% ରୁ କମ୍ ଭାଙ୍ଗି ନଥିବା ଭଲ ଚାଉଳ ମିଳିଥାଏ । ବେଳେବେଳେ ଭଙ୍ଗା ଚାଉଳଗୁଡ଼ିକୁ ବ୍ରାନ୍ ଓ ଗୁଣ୍ଡ ହୋଇଥିବା କୁଣ୍ଡା ସହିତ ମିଳିଥାଏ । ଇସ୍ପାତ ରୋଲର ଯୋଗୁଁ ଏପରି ହୋଇଥାଏ । ଆଜିକାଲି ମିଳୁଥିବା ଏକ-ସୋପାନ ରବର ରୋଲର ଦ୍ୱାରା ଭଲ ଭାବେ ପେଷା ଯାଇପାରିବ ।
- ଦ୍ୱିସୋପାନ ପେଷିବା ପ୍ରକ୍ରିୟାରେ କୁଣ୍ଡା ଓ ବ୍ରାନ ଅଲଗା ଭାବେ ବାହାରିଥାଏ । ଏହି ଧାନ କଳଗୁଡ଼ିକୁ ଅନେକ ସମୟରେ କମ୍ପାକ୍ଟ ଧାନ କଳ କୁହାଯାଇଥାଏ ଏବଂ ଅନେକ ଦେଶରେ ଏହା ଏଞ୍ଜେଲ ବର୍ଗ ଧାନକଳକୁ ପଛରେ ପକାଇ ଦେଇଛି । ଦ୍ୱିସୋପାନ ଧାନ କଳରେ ଧାନ ପେଷିବା ଏବଂ ପଲିସ୍ କରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି । ରବର ରୋଲର ଦ୍ୱାରା ଧାନର ଚଷୁ ବାହାରିଥାଏ ଓ ଇସ୍ପାତ ଘର୍ଷଣ ଉପକରଣରେ ନାଲି ଚାଉଳକୁ ପଲିସ୍ କରାଯାଏ । ଏହି ମିଲରେ ଘଣ୍ଟା ପ୍ରତି ୦.୫ ରୁ ୧ ଟନ୍ ଧାନ ପେଷା ଯାଇପାରିବ ଏବଂ ଅନେକ ସମୟରେ ଗ୍ରାମାଞ୍ଚଳରେ ଧାନ ପେଷିବା ପାଇଁ ବ୍ୟବହାର କରାଯାଇଥାଏ । କମ୍ପାକ୍ଟ ଧାନ କଳର ଦକ୍ଷତା ଏକ ସୋପାନ ଧାନ ପେଷିବା ପଦ୍ଧତି ତୁଳନାରେ ଉନ୍ନତତର ଅଟେ ଏବଂ ସାଧାରଣତଃ ଏଥିରେ ୬୦% ରୁ ଅଧିକ ଚାଉଳ ମିଳିଥାଏ ।
- ବହୁ-ସୋପାନ ପଦ୍ଧତି ଧାନ ମିଲରେ ବିଭିନ୍ନ ସୋପାନ ଦେଇ ଧାନ ପେଷା ଯାଇଥାଏ । ଏହି ପ୍ରକ୍ରିୟା ବୃହଦାକାର ବ୍ୟାବସାୟିକ ମିଲରେ ଅନୁସରଣ କରାଯାଇଥାଏ । ଏହାଦ୍ୱାରା ଧାନରୁ ଉନ୍ନତ ମାନର ଓ ଅଧିକ ପରିମାଣରେ ଚାଉଳ ମିଳିଥାଏ । ଏହି ପ୍ରକ୍ରିୟା ମଧ୍ୟରେ ରହିଛି :
- ପେଷିବା ପୂର୍ବରୁ ଧାନକୁ ସଫା କରିବା
- ଧାନର ଉପର ଆବରଣ ବା ଚଷୁ ବାହାର କରିବା
- ନାଲି ଚାଉଳକୁ ପଲିସ୍ କରି ବ୍ରାନ୍ ଆସ୍ତରଣ ବାହାର କରିବା
- ଚାଉଳ ମଧ୍ୟରୁ ଭଙ୍ଗା ଚାଉଳ ଅଲଗା କରିବା
- ପେଷାଯାଇଥିବା ଚାଉଳକୁ ବସ୍ତାରେ ଭରିବା ଏବଂ
- ଉଦବସ୍ତୁ ପଦାର୍ଥର ପରିଚାଳନା କରିବା
ବଜାର ଚାହିଦା
ଗୋଟିଏ ଦେଶ ମଧ୍ୟରେ ଏବଂ ଦେଶ ଦେଶ ମଧ୍ୟରେ ଖାଉଟିଙ୍କ ପସନ୍ଦରେ ରହିଥିବା ପ୍ରଭେଦ ଏବଂ ତଦନୁସାରେ ଚାଉଳରେ ରହିଥିବା ଭୌତିକ ଓ ରାସାୟନିକ ଗୁଣକୁ ଆଧାର କରି ପେଷାଯାଇଥିବା ଚାଉଳର ବଜାର ମୂଲ୍ୟ ନିର୍ଦ୍ଧାରଣ କରାଯାଇଥାଏ ।
ଭୌତିକ ଗୁଣାବଳୀ
- ପେଷିବାର ମାତ୍ରା ବା ଚାଉଳର ରଙ୍ଗ : ପେଷିବାର ମାତ୍ରା ବା ଚାଉଳର ନାଲି ଅଂଶ ବାହାର କରିବା ଦ୍ୱାରା ଧଳା ଚାଉଳର ରଙ୍ଗ ଓ ମୂଲ୍ୟ ପ୍ରଭାବିତ ହୋଇଥାଏ । ଭଲ ଭାବେ ପେଷା ଯାଇନଥିବା ଚାଉଳ ଯଥେଷ୍ଟ ଜଳ ଗ୍ରହଣ କରି ନଥାଏ ଓ ଭଲ ଭାବେ ସିଝେ ନାହିଁ; ତେଣୁ କମ୍ ମୂଲ୍ୟରେ ବିକ୍ରି ହୋଇଥାଏ ।
- ଭାଙ୍ଗିଥିବା ଚାଉଳର ହାର : ପେଷା ଯାଇଥିବା ଚାଉଳରେ ଅଧିକ ପରିମାଣରେ ଗୋଟା ଚାଉଳ (୭୫-୮୦%) ଏବଂ କିଛି ପରିମାଣରେ ଭଙ୍ଗା ଚାଉଳ ରହିଥାଏ । ପେଷା ଯାଇଥିବା ଚାଉଳର ମାନ ନିର୍ଦ୍ଧାରଣ ପାଇଁ ଗୋଟା ଚାଉଳର ପରିମାଣ ଗୁରୁତ୍ୱପୂର୍ଣ୍ଣ ଅଟେ । ଉନ୍ନତ ମାନର ଚାଉଳରେ ସାଧାରଣତଃ ୫% ରୁ କମ୍ ଭଙ୍ଗା ଚାଉଳ ରହିଥାଏ ।
- ଧବଳତା ବା ସ୍ୱଚ୍ଛତା : ଏହା ଗୋଟିଏ କିସମରେ ରହିଥିବା ଭୌତିକ ଗୁଣ ଓ ପେଷିବା ମାତ୍ରାର ସମାହାର ଅଟେ । ଧାନ ପେଷିବାବେଳେ ଧବଳିକରଣ ଓ ପଲିସ୍ କରିବା ଦ୍ୱାରା ଚାଉଳର ଧବଳତା ଓ ସ୍ୱଚ୍ଛତା ଗଭୀର ଭାବେ ପ୍ରଭାବିତ ହୋଇଥାଏ ।
- ବିରଙ୍ଗ ଚାଉଳ : ଚାଉଳର ରଙ୍ଗ ଯୋଗୁଁ ଏହାର ଦେଖିବା ଗୁଣ ଓ ବଜାର ଚାହିଦା ପ୍ରଭାବିତ ହୋଇଥାଏ । ଧାନର ଦାନା ପୂରଣବେଳେ କୌଣସି ଅସୁବିଧା ହେଲେ ଚାଉଳର ରଙ୍ଗ ପ୍ରଭାବିତ ହୋଇଥାଏ । ଯଦିଓ ରୋଷେଇ ପରେ ଏହାର ପ୍ରଭାବ ରହି ନଥାଏ (ରୋଷେଇ କରିବା ଓ ଖାଇବା ଗୁଣ ଉପରେ ପ୍ରତ୍ୟକ୍ଷ ପ୍ରଭାବ ନଥାଏ), ତଥାପି ଅତ୍ୟଧିକ ବିରଙ୍ଗ ହେଲେ ଚାଉଳର ମାନ ହ୍ରାସ ପାଇବା ସହିତ ପେଷିବା ବେଳେ କମ୍ ଚାଉଳ ମିଳିଥାଏ ।
ରାସାୟନିକ ଗୁଣାବଳୀ
- ସିଝିବା ଉତ୍ତାପ ବା ରନ୍ଧନ ସମୟ : ଧାନ ପାକଳ ହେବା ବେଳେ ବାୟୁମଣ୍ଡଳର ତାପମାତ୍ରା ଦ୍ୱାରା ଚାଉଳର ଅଠା ହେବା ଗୁଣ ପ୍ରଭାବିତ ହୋଇଥାଏ । ପ୍ରାୟତଃ ସାଧାରଣ ଉତ୍ତାପରେ ଚାଉଳ ସିଝିପାରିଲେ ଲୋକମାନେ ଏହି ଚାଉଳକୁ ପସନ୍ଦ କରନ୍ତି ।
- ଆମାଇଲୋଜ୍ ପରିମାଣ ବା ଅଠାଳିଆ ହେବା : ଚାଉଳର ଆମାଇଲୋଜ୍ ପରିମାଣ ସାଧାରଣତଃ ୧୫-୩୫% ମଧ୍ୟରେ ରହିଥାଏ । ଅଧିକ ପରିମାଣରେ ଆମାଇଲୋଜ୍ ରହିଥିଲେ ଚାଉଳ ଅଧିକ ଫୁଲିଥାଏ, ରୋଷେଇବେଳେ ଭାତ ଶୁଖିଯାଏ, ଭାତ ନରମ ହୁଏ ନାହିଁ ଏବଂ ଥଣ୍ଡା ହେଲେ ଟାଣ ହୋଇଯାଏ । କମ୍ ପରିମାଣରେ ଆମାଇଲୋଜ୍ ଥିଲେ ରାନ୍ଧିବା ବେଳେ ଭାତ ପେଜୁଆ ଓ ଅଠାଳିଆ ହୁଏ । ପୃଥିବୀର ଅଧିକାଂଶ ଧାନଚାଷ ହେଉଥିବା ଅଞ୍ଚଳରେ ମଧ୍ୟମ ଧରଣର ଆମାଇଲୋଜ୍ (୨୧-୨୪%) ଥିବା ଚାଉଳ ପସନ୍ଦ କରାଯାଏ ।
- ଜେଲ୍ ସ୍ଥିତି ସ୍ଥାପକତା : ରୋଷେଇ ପରେ ଶୀତଳ ହେବା ପରେ ଭାତର ଟାଣ ହେବା ଗୁଣକୁ ଜେଲ୍ ସ୍ଥିତି ସ୍ଥାପକତା ମାନଦଣ୍ଡ ଦ୍ୱାରା ମାପ କରାଯାଇଥାଏ । ଥଣ୍ଡା ହେବା ପରେ ଭାତ ଖାଇବାକୁ ଥିଲେ ଅଥବା ନରମ ଭାତ ଖାଇବାକୁ ଥିଲେ କମ୍ ଜେଲ୍ ସ୍ଥିତି ସ୍ଥାପକତା ଥିବା କିସମ ପସନ୍ଦ କରାଯାଇଥାଏ ।