କୃଷକ ଏବଂ ଖାଉଟିଙ୍କ ଆବଶ୍ୟକତା ପୂରଣ କରୁଥିବା କିସମ ଉପଯୁକ୍ତ କିସମ ଅଟେ । ଏହା ସବୁବେଳେ ସର୍ବାଧିକ ଅମଳ ଦେଇ ନପାରେ ଏବଂ ଜଳର ଉପଲବ୍ଧତା (ବୃଷ୍ଟିପାତ ବା ଜଳସେଚନ), ମାଟିର ପ୍ରକାର, ସମୁଦ୍ର ପତ୍ତନଠାରୁ ଜମିର ଉଚ୍ଚତା ଏବଂ ବିକ୍ରି କରାଯିବ ଅଥବା ଘରେ ଖିଆଯିବ ଆଦି କାରଣ ଦ୍ୱାରା ପ୍ରଭାବିତ ହୋଇଥାଏ ।
ଅଧିକ ଅମଳ କ୍ଷମତା, ରୋଗପୋକ ପ୍ରତିରୋଧି କ୍ଷମତା, ଘାସ ସହିତ ପ୍ରତିଯୋଗିତା କରି ପାରୁଥିବା, ଖାଇବାକୁ ସ୍ୱାଦୁକର ହୋଇଥିବା, ଅଧିକ ପରିମାଣରେ ଚାଉଳ ବାହାରୁଥିବା ଏବଂ ଉନ୍ନତ ବଜାର ଚାହିଦା ଥିବା ଗୁଣ ଦେଖି ବିହନ ଚୟନ କରିବା ଆବଶ୍ୟକ । ବିହନ ନିର୍ବାଚନ କରିବାବେଳେ ନିମ୍ନ ଦିଗମାନଙ୍କ ପ୍ରତି ଧ୍ୟାନ ଦେବାକୁ ହେବ ।
ଫସଲ ଅମଳ ଅବଧି
- ଜଳସେଚିତ ଜମି ବା ବନ୍ୟା ପ୍ରପୀଡ଼ିତ ଅଞ୍ଚଳ ପାଇଁ ବିଳମ୍ବ କିସମ (୧୪୦ ଦିନରୁ ଅଧିକ) ଉପଯୋଗୀ ଅଟେ ।
- ଉଭୟ ଅଣଜଳସେଚିତ ଓ ଜଳସେଚିତ ଜମି ପାଇଁ ପାଇଁ ମଧ୍ୟମ ଧରଣର କିସମ (୧୨୦-୧୪୦ ଦିନ) ଉପଯୋଗୀ ଅଟେ ।
- ମରୁଡ଼ି ପ୍ରପୀଡ଼ିତ ଅଞ୍ଚଳ ବା ଦୁଇଟି ଫସଲ ହେଉଥିବା ଜମି ପାଇଁ ସଅଳ କିସମ (୧୨୦ ଦିନରୁ କମ୍) ଉପଯୋଗୀ ଅଟେ ।
ଗଛର ଉଚ୍ଚତା
- ବନ୍ୟା ପ୍ରପୀଡ଼ିତ ଅଞ୍ଚଳ ଓ ଅସମତଳ ଜମି ପାଇଁ ଅଧିକ ଉଚ୍ଚ (>୧.୨ ମିଟର) କିସମ ଉପଯୁକ୍ତ ଅଟେ, ଅବଶ୍ୟ ଏଠାରେ ଗଛ ଢଳିଯିବାର ଆଶଙ୍କା ରହିଥାଏ ।
- ଅଧିକାଂଶ ଅଞ୍ଚଳ ପାଇଁ ମଧ୍ୟମ ଉଚ୍ଚତାର (୧.୦-୧.୨ ମିଟର) କିସମ ଉପଯୋଗୀ ଅଟେ । ସାର ପ୍ରୟୋଗ କଲେ ମଧ୍ୟ ଗଛ ଢଳି ପଡ଼ିବାର ଆଶଙ୍କା ରହେ ନାହିଁ ।
- ଜଳସେଚିତ ଅଞ୍ଚଳରେ ସମତଳ ଜମି ପାଇଁ କମ୍ ଉଚ୍ଚତା ବିଶିଷ୍ଟ (<୧.୦ ମିଟର) କିସମ ଉପଯୋଗୀ ଅଟେ । ସାର ପ୍ରୟୋଗ କଲେ ଗଛ ଭଲ ବଢ଼ିଥାଏ ।
ଶସ୍ୟର ମାନ
ସରୁ ଚାଉଳ ଥିବା ବାସ୍ନା ଧାନର ଚାହିଦା ସବୁବେଳେ ରହିଥାଏ । କିନ୍ତୁ ଏଥିରୁ କମ୍ ଅମଳ ମିଳେ । ରୋଷେଇ କରିବା ପରେ ନରମ ହେବା, ଅଠାଳିଆ ହେବା, ରଙ୍ଗ ଓ ସ୍ୱାଦ ଗୁରୁତ୍ୱପୂର୍ଣ୍ଣ ଅଟେ ।