- ହିଡ଼ ଥିବା ଜମିରେ ଧାନଚାଷ କରାଯାଏ, ଯେଉଁଠି ଅମଳର ୭-୧୦ ଦିନ ପୂର୍ବ ସମୟ ପର୍ଯ୍ୟନ୍ତ ଠିଆପାଣି ରଖାଯାଇପାରିବ ।
- ନିରବଚ୍ଛିନ୍ନ ଭାବେ କିଆରୀକୁ ଜଳମଗ୍ନ ରଖାଗଲେ ଘାସ ନିୟନ୍ତ୍ରଣ ହେବା ସହିତ ଫସଲକୁ ଯଥେଷ୍ଟ ଜଳ ମିଳିଥାଏ ।
- ଖାଲ ଜମିରେ ଚାଷ କରାଯାଉଥିବା ଧାନ ଫସଲ ଯଥେଷ୍ଟ ଜଳ ଆବଶ୍ୟକ କରିଥାଏ । ଜଳସେଚିତ ଖାଲ ଜମିରେ ୧ କି.ଗ୍ରା. ଧାନ ଉତ୍ପାଦନ ପାଇଁ ହାରାହାରି ୧୪୩୨ ଲିଟର ଜଳ ଆବଶ୍ୟକ ହୋଇଥାଏ । ଧାନ ଚାଷ ନିମନ୍ତେ ମାଟିର ଅଳ୍ପ ଗଭୀରରେ ପାଣିଥିବା ମଟାଳ ମାଟି ପାଇଁ ୪୦୦ ମିଲିମିଟର ଜଳ ଆବଶ୍ୟକ ହେଉଥିବା ବେଳେ ଅଧିକ ଗଭୀର ସ୍ତରରେ ପାଣି ଥିବା ବାଲିଆ ବା ଦୋରସା ମାଟି ପାଇଁ ୨୦୦୦ ମିଲିମିଟର ଜଳ ଆବଶ୍ୟକ ହୋଇଥାଏ । ଏସିଆରେ ଜଳସେଚିତ ଜମିରେ ଧାନ ଚାଷ ପାଇଁ ପ୍ରାୟ ୧୩୦୦-୧୫୦୦ ମିଲିମିଟର ଜଳ ଆବଶ୍ୟକ ହୋଇଥାଏ । ପୃଥିବୀରେ ଜଳସେଚନ ପାଇଁ ବ୍ୟବହୃତ ଜଳର ୩୪-୪୩% କେବଳ ଜଳସେଚିତ ଅଞ୍ଚଳର ଧାନ ଫସଲରେ ବ୍ୟବହାର କରାଯାଇଥାଏ । ପୃଥିବୀରେ ରହିଥିବା ମଧୁର ଜଳ ଉତ୍ସର ପ୍ରାୟ ୨୪-୩୦% ଜଳସେଚିତ ଧାନ ଜମି ଦ୍ୱାରା ବ୍ୟବହୃତ ହୋଇଥାଏ ।
- ସମଗ୍ର ପୃଥିବୀରେ କୃଷି କାର୍ଯ୍ୟ ପାଇଁ ଜଳର ଉପଲବ୍ଧତା ହ୍ରାସ ପାଉଛି । ନିଜର ଅର୍ଦ୍ଧ-ଜଳଜ ଉତ୍ପତ୍ତି ପାଇଁ ଜଳ ଅଭାବ ଦ୍ୱାରା ଧାନ ଫସଲ ବିଶେଷ ଭାବେ ପ୍ରଭାବିତ ହୋଇଥାଏ ।.
ଜଳର ସୁଦକ୍ଷ ବ୍ୟବହାର ଓ ଅଧିକ ଧାନ ଅମଳ ପାଇଁ ନିମ୍ନ ଜଳ ପରିଚାଳନା ପଦ୍ଧତି ଅବଲମ୍ବନ କରାଯାଇପାରେ:
- କିଆରୀ ଭିତରକୁ ଓ କିଆରୀରୁ ବାହାରକୁ ଜଳ ପ୍ରବାହ ନିୟନ୍ତ୍ରଣ କରିବା ପାଇଁ ଜମିରେ ନାଳ କରିବା ଉଚିତ୍ ।
- ପ୍ରତି ଜମିରୁ ବାହାରକୁ ଓ ଭିତରକୁ ଜଳ ପ୍ରବାହ ପାଇଁ ସ୍ୱତନ୍ତ୍ର ଭାବେ ପାଣି ନାଳ କରିବା ଦ୍ୱାରା ପ୍ରତ୍ୟେକ କୃଷକ ଜଳ ନିୟନ୍ତ୍ରଣ କରିପାରିବେ ।
- ପାଣି ନାଳ କରିବା ଦ୍ୱାରା ତଳି ପଟାଳିରେ ପାଣି ମଡ଼ାଇବା ସୁବିଧାଜନକ ହୋଇଥାଏ । ଆବଶ୍ୟକତା ନଥିଲେ ମୁଖ୍ୟ ଜମିରେ ପାଣି ମଡ଼ାଯାଏ ନାହିଁ ।
- ଆପଣ ଜମିରେ ପାଣି ରଖିବାକୁ ଚାହୁଁଥିଲେ (ସାର ପ୍ରୟୋଗ ପରେ ଖାଦ୍ୟସାର ଧୋଇ ନଯିବା ପାଇଁ) ଅଥବା ଅମଳ ପୂର୍ବରୁ ଜଳ ନିଷ୍କାସନ ପାଇଁ ଚାହୁଁଥିଲେ, ପାଣି ନାଳ ଦ୍ୱାରା ଜଳ ନିୟନ୍ତ୍ରଣ କରାଯାଇପାରେ ।
- ଯେକୌଣସି ଜଳସେଚନ ବ୍ୟବସ୍ଥାରେ ପ୍ରତି କିଆରୀ ପାଇଁ ସ୍ୱତନ୍ତ୍ର ପାଣି ନାଳ କରାଯିବା ଆବଶ୍ୟକ ।
- ଜଳ ରୋକିବା ପାଇଁ ଉପଯୁକ୍ତ ଭାବେ ଜମି ପ୍ରସ୍ତୁତ କରନ୍ତୁ ଓ ମାଟି ତଳେ କଠିନ ସ୍ତର ପ୍ରସ୍ତୁତ କରନ୍ତୁ ।
- ଫାଟ ଥିବା ସ୍ଥାନ ପୂରଣ ପାଇଁ ଜମିକୁ ହଳ କରନ୍ତୁ ।
- ଜମିରେ ପାଣି ମଡ଼ାଇବା ପୂର୍ବରୁ ହାଲୁକା ଭାବେ ହଳ କରନ୍ତୁ । ଏହାଦ୍ୱାରା ଜମିରେ ଥିବା ଫାଟ ସ୍ଥାନ ବନ୍ଦ ହୋଇଯିବ ଏବଂ ଜମି ପ୍ରସ୍ତୁତି ପାଇଁ ଜଳର ଆବଶ୍ୟକତା ହ୍ରାସ ପାଇବ ।
ଜଳ କ୍ଷୟ ରୋକିବା ପାଇଁ ଜମିକୁ କାଦୁଅ କରନ୍ତୁ
- ଫସଲ ନଥିବାବେଳେ ଜମିରେ ଫାଟ ସୃଷ୍ଟି ହେଉଥିବା ମଟାଳ ମାଟିରେ କାଦୁଅ ହଳ କରାଗଲେ ଏହା ମାଟିକୁ ନିବିଡ଼ ଭାବରେ ରଖି କଠିନ ସ୍ତର ସୃଷ୍ଟି କରିଥାଏ ।
- ବାଲିଆ ମାଟିରେ କାଦୁଅ ହଳ କରିବା ଏତେଟା ଫଳପ୍ରଦ ହୋଇ ନଥାଏ ।
- ମଟାଳ ମାଟିରେ ଜଳ କ୍ଷୟ ରୋକିବା ପାଇଁ କାଦୁଅ କରିବା ଏତେଟା ଉପଯୋଗୀ ହୋଇ ନଥାଏ, କାରଣ ଏହି ମାଟିରେ ଜଳ ପ୍ରସ୍ରବଣ ହାର ଅଧିକ ନଥାଏ । ତେବେ ପ୍ରାରମ୍ଭିକ ହଳ ପୂର୍ବରୁ ମାଟିରେ ଫାଟ ରହିଥିଲେ କାଦୁଅ କରିବା ଆବଶ୍ୟକ । ରୋଇବା ପୂର୍ବରୁ ଜମିରେ ଘାସ ଥିଲେ ବା ରୋଇବା ପାଇଁ ମାଟି ଅଧିକ ଟାଣ ହୋଇଥିଲେ କାଦୁଅ ହଳ କରିବା ଆବଶ୍ୟକ ହୋଇଥାଏ ।
- ଜଳକ୍ଷୟ କମାଇବା ସତ୍ତ୍ୱେ କାଦୁଅ ହଳ କରିବା ନିମନ୍ତେ ପାଣି ଆବଶ୍ୟକ ହୋଇଥାଏ । କାଦୁଅ ହଳ କରିବା ପାଇଁ ଆବଶ୍ୟକ ହେଉଥିବା ଜଳ ଓ ଫସଲ ଅଭିବୃଦ୍ଧି ସମୟରେ ଏହାଦ୍ୱାରା ସୃଷ୍ଟ କଠିନ ସ୍ତର ଯୋଗୁଁ ସଞ୍ଚୟ କରାଯାଉଥିବା ଜଳ ପରିମାଣ ପ୍ରଭାବିତ ହୋଇଥାଏ ।
- ଜଳସେଚିତ ଜମିରେ ଚାଷ କରାଯାଉଥିବା ଧାନ ଫସଲ ଆବଶ୍ୟକ କରୁଥିବା ଜଳର ଏକ-ତୃତୀୟାଂଶ ଆର୍ଦ୍ର ଜମି ପ୍ରସ୍ତୁତି ପାଇଁ ଆବଶ୍ୟକ ହୋଇଥାଏ ।
- ଫସଲ ବୁଣିବା/ ରୋଇବାବେଳେ ଜଳସେଚନର ମୂଲ୍ୟ ଅଧିକ ହୋଇଥିଲେ ବା ଜଳ ଉପଲବ୍ଧ ନଥିଲେ, ଆର୍ଦ୍ର ପଦ୍ଧତିରେ ଜମି ପ୍ରସ୍ତୁତି ବଦଳରେ ଶୁଷ୍କ ପଦ୍ଧତିରେ ଜମି ପ୍ରସ୍ତୁତି କରାଗଲେ ଜଳର ଆବଶ୍ୟକତା ଯଥେଷ୍ଟ କମି ଯାଇଥାଏ ।
କୃଷି କାର୍ଯ୍ୟରେ ସମୟ ବ୍ୟବଧାନ ହ୍ରାସ କରି ଜଳ ଆବଶ୍ୟକତା କମାଇବା
କେନାଲ ଦ୍ୱାରା ଜଳସେଚିତ କେତେକ ଅଞ୍ଚଳରେ ଜମି ପ୍ରସ୍ତୁତି ପାଇଁ ଜଳସେଚନ ଓ ରୋଇବା ମଧ୍ୟରେ ୪୦ ଦିନ ପର୍ଯ୍ୟନ୍ତ ବ୍ୟବଧାନ ରହିଥାଏ । କୃଷି କାର୍ଯ୍ୟରେ ସମୟ ବ୍ୟବଧାନ ହ୍ରାସ ପାଇଁ:
- ଜମିରେ ପାଣି ନାଳ କରନ୍ତୁ
- ସାଧାରଣ ବା ଗୋଷ୍ଠୀଗତ ଭାବେ ତଳି ପଟାଳି ବ୍ୟବହାର କରନ୍ତୁ
- ନିକଟବର୍ତ୍ତୀ ଜମିରେ ଏକ ସମୟରେ ରୋପଣ କରନ୍ତୁ ଅଥବା
- ଆର୍ଦ୍ର ବୁଣା ପଦ୍ଧତି ଅବଲମ୍ବନ କରନ୍ତୁ ।
ଜମିକୁ ସମତୁଲ କରନ୍ତୁ
- ଉତ୍ତମ ଜଳ ପରିଚାଳନା ପାଇଁ ଭଲ ଭାବେ ସମତୁଲ ହୋଇଥିବା ଜମି ଗୁରୁତ୍ୱପୂର୍ଣ୍ଣ । ସମତୁଲ ହୋଇ ନଥିବା ଜମିରେ ସବୁଆଡ଼େ ପାଣି ମାଡ଼ିବା ପାଇଁ ଅଧିକ ୮୦-୧୦୦ ମିଲିମିଟର ଜଳ ଆବଶ୍ୟକ । ଫସଲ ପାଇଁ ଆବଶ୍ୟକ ହେଉଥିବା ଜଳର ଏହା ପ୍ରାୟ ୧୦% ଅଟେ ।
- ଜମିକୁ ସମତୁଲ କରିବା ପୂର୍ବରୁ ଦୁଇଥର ହଳ କରିବା ଦରକାର । ଆର୍ଦ୍ର ଜମି ପ୍ରସ୍ତୁତି କ୍ଷେତ୍ରରେ ଦ୍ୱିତୀୟ ଥର ହଳ କରିବାବେଳେ ଜମିରେ ଠିଆପାଣି ରହିଥିବା ଆବଶ୍ୟକ । ଏହାଦ୍ୱାରା ଖାଲ ଓ ଉଚ୍ଚ ସ୍ଥାନ ଜଣା ପଡ଼ିବ ।
- ହିଡ଼ ନିର୍ମାଣ କରନ୍ତୁ ଓ ଗାତ ବା ଫାଟ ଥିଲେ ମରାମତି କରନ୍ତୁ ।
- ଜଳକ୍ଷୟ ରୋକିବା ପାଇଁ ଭଲ ହିଡ଼ର ଆବଶ୍ୟକତା ରହିଛି । ହିଡ଼ର ମାଟି ଚାପି ଦିଅନ୍ତୁ ଏବଂ ମୂଷାଗାତ ବା ଫାଟ ସ୍ଥାନ ଥିଲେ ଫସଲ ଋତୁ ଆରମ୍ଭରେ କାଦୁଅ ଦ୍ୱାରା ବନ୍ଦ କରାଯିବା ଦ୍ୱାରା ଜଳ ନଷ୍ଟ ହେବା ରୋକାଯାଇପାରିବ ।
- ଅଧିକ ବର୍ଷା ସମୟରେ ହିଡ଼ ବୁଡ଼ି ପାଣି ନଯିବା ପାଇଁ ହିଡ଼କୁ ଅଧିକ ଉଚ୍ଚ (ଅନ୍ତତଃ ୨୦ ସେ.ମି.) କରନ୍ତୁ ।
- ହିଡ଼ ପାଖରେ ୫-୧୦ ସେ.ମି. ଉଚ୍ଚତାର ମାଟି ରଖିଲେ ସେହି ଉଚ୍ଚତାରେ ଜମିରେ ପାଣି ରଖାଯାଇପାରିବ । ଅଧିକ ଉଚ୍ଚତାରେ ପାଣି ରଖିବାକୁ ଚାହୁଁଥିଲେ ଏହି ମାଟିର ଉଚ୍ଚତା ବୃଦ୍ଧି କରାଯାଇପାରିବ ।
- ଫସଲ ଚାଷର ଭିନ୍ନ ଭିନ୍ନ ପଦ୍ଧତି ଅନୁସାରେ ବିଭିନ୍ନ ପ୍ରକାର ଜଳ ପରିଚାଳନା ପଦ୍ଧତି ଅବଲମ୍ବନ କରାଯାଇପାରେ ।
ନିରବଚ୍ଛିନ୍ନ ଭାବେ ଜଳମଗ୍ନ ରଖିବା ପାଇଁ
- ନିରବଚ୍ଛିନ୍ନ ଭାବେ ଜଳମଗ୍ନ ରଖିବା ଦ୍ୱାରା ଧାନ ଫସଲ ପାଇଁ ଉତ୍ତମ ପରିବେଶ ସୃଷ୍ଟି ହୋଇଥାଏ ।
- ରୋଇବା ପରେ ପ୍ରଥମେ ଜଳସ୍ତର ୩ ସେ.ମି. ରହିବା ଆବଶ୍ୟକ । କ୍ରମେ କ୍ରମେ ଏହା ବୃଦ୍ଧି ପାଇ (ଗଛର ଉଚ୍ଚତା ସହିତ) ୫-୧୦ ସେ.ମି. ରଖାଯାଏ ଏବଂ ଅମଳ ହେବାର ୭-୧୦ ଦିନ ପୂର୍ବ ପର୍ଯ୍ୟନ୍ତ କିଆରୀରେ ଜଳ ରହିଥାଏ ।
- ଆର୍ଦ୍ର ବୁଣାଧାନ କ୍ଷେତ୍ରରେ ଗଛ ବଡ଼ ହୋଇ ଜଳମଗ୍ନ ପରିବେଶ ସହ୍ୟ କରିବା ଅବସ୍ଥାକୁ ଆସିଲେ (୩-୪ ପତ୍ର ଅବସ୍ଥା) କିଆରୀରେ ଠିଆ ପାଣି ରଖାଯାଏ ।
ଏକାନ୍ତର ଭାବେ ଜଳସେଚନ ଓ ଶୁଖାଇବା ନିରାପଦ
ତଳି ରୋଇବା
ରୋଇବାର ଅଳ୍ପ କେତେ ସପ୍ତାହ (୧-୨) ପରେ ଏକାନ୍ତର ଭାବେ ଜଳସେଚନ ଓ ଶୁଖାଇବା ପ୍ରକ୍ରିୟା କାର୍ଯ୍ୟ କରାଯାଇଥାଏ । କିଆରୀରେ ପାଣି ମଡ଼ାନ୍ତୁ ଓ ଏହାପରେ ଜଳ ସ୍ତର ଭୂମି ପତ୍ତନରୁ ୧୫ ସେ.ମି. ତଳଯାଏ କମିବାକୁ ଦିଅନ୍ତୁ । କ୍ଷେତ୍ର ଜଳ ଟ୍ୟୁବ ସାହାଯ୍ୟରେ ଜଳସ୍ତର ତଦାରଖ କରନ୍ତୁ । ଜଳସ୍ତର ଭୂମି ତଳେ ୧୫ ସେ.ମି. ହୋଇଗଲେ, ପୁଣିଥରେ ପାଣି ମଡ଼ାଇ କିଆରୀରେ ୫ ସେ.ମି. ଠିଆପାଣି ରଖନ୍ତୁ । ଏହି ପଦ୍ଧତି ବାରମ୍ବାର ଅବଲମ୍ବନ କରନ୍ତୁ । ଫୁଲ ହେବାର ଏକ ସପ୍ତାହ ପୂର୍ବରୁ ଏକ ସପ୍ତାହ ପର ପର୍ଯ୍ୟନ୍ତ ଜମିରେ ଠିଆପାଣି ରହିବା ଆବଶ୍ୟକ । ଫୁଲ ହେବା ପରେ ଦାନା ପୂରଣ ଓ ପାକଳ ହେବା ଅବସ୍ଥାରେ ପୁନର୍ବାର ଜଳସେଚନ ପୂର୍ବରୁ ଜଳସ୍ତର ମାଟି ତଳେ ୧୫ ସେ.ମି. ସ୍ତରକୁ ଖସିବା ଦରକାର । କିଆରୀରେ ଅଧିକ ଘାସ ଥିଲେ ୨-୩ ସପ୍ତାହ ପାଇଁ ଏକାନ୍ତର ଜଳସେଚନ ଓ ଶୁଖାଇବା କାର୍ଯ୍ୟ ବନ୍ଦ ରଖିଲେ ଠିଆପାଣି ଦ୍ୱାରା ଘାସ ଦମନ ହୁଏ ଓ ଘାସମରା ଔଷଧର ଦକ୍ଷତା ବୃଦ୍ଧି ପାଏ ।
ବୁଣାଧାନ
- ବିହନ ବୁଣାଠାରୁ ଗଛ ହେବା ପର୍ଯ୍ୟନ୍ତ ଜମିରେ ବତର ରଖନ୍ତୁ, କିନ୍ତୁ ସନ୍ତସନ୍ତିଆ ରଖନ୍ତୁ ନାହିଁ । ଏହାଦ୍ୱାରା ମାଟି ଭିତରେ ବିହନ ସଢ଼ିଯାଏ ନାହିଁ।
- ବୁଣିବା ପରେ ବର୍ଷା ନ ହେଲେ ମାଟିକୁ ଓଦା କରିବା ପାଇଁ ଜଳସେଚନ କରନ୍ତୁ ।
- ଗଛ ତିନି ପତ୍ରର ହେଲେ କିଆରୀକୁ ଜଳମଗ୍ନ କରନ୍ତୁ । ଏହାପରେ ପୂର୍ବ ବର୍ଣ୍ଣିତ ଏକାନ୍ତର ଜଳସେଚନ ଓ ଶୁଖାଇବା ପଦ୍ଧତି ଅବଲମ୍ବନ କରନ୍ତୁ ।
- ଖାଲ ଜମିରେ ଚାଷ ହେଉଥିବା ଧାନ ଫସଲ ଫୁଲ ଅବସ୍ଥାରେ ଜଳାଭାବ ଦ୍ୱାରା ପ୍ରଭାବିତ ହୋଇଥାଏ । ଫୁଲ ହେବା ଅବସ୍ଥାରେ ଅଧିକ ଅଗାଡ଼ି ହେବା ଯୋଗୁଁ କମ୍ ସଂଖ୍ୟାରେ ଧାନ ହେବା ଫଳରେ ଅମଳ ହ୍ରାସ ପାଇଥାଏ ।
- କେଣ୍ଡା ବାହାରିବା ଠାରୁ ଫୁଲ ହେବା ଅବସ୍ଥା ଶେଷ ହେବାଯାଏ କିଆରୀରେ ନିବରଛିନ୍ନ ଭାବେ ୫ ସେ.ମି. ଜଳ ରଖନ୍ତୁ ।
- ଜଳ ଅଭାବ ପରିଲକ୍ଷିତ ହେଉଥିଲେ ଜଳ ସଞ୍ଚୟ କୌଶଳ ଯଥା ଏକାନ୍ତର ଜଳସେଚନ ଓ ଶୁଖାଇବା ପଦ୍ଧତି ଅବଲମ୍ବନ କରନ୍ତୁ । କାଦୁଅ କରି ରୋଇବା ବଦଳରେ ବିନା କାଦୁଅରେ ରୋଇବା ଅଥବା ଶୁଷ୍କ ବୁଣା ପଦ୍ଧତି ଅବଲମ୍ବନ କରାଯାଇପାରେ ।