ଅଧିକ ଅମଳ ପାଇବା ଓ ଉନ୍ନତ ମାନର ଶସ୍ୟ ପାଇଁ ଠିକ୍ ସମୟରେ ଅମଳ କରାଯିବା ଗୁରୁତ୍ୱପୂର୍ଣ୍ଣ ଅଟେ । ଉପଯୁକ୍ତ ସମୟ ପୂର୍ବରୁ ଫସଲ ଅମଳ କରାଗଲେ ଯଥେଷ୍ଟ ଅଗାଡ଼ି ଓ ପାକଳ ହୋଇ ନଥିବା ଧାନ ମିଳିଥାଏ । ପାକଳ ହୋଇ ନଥିବା ଧାନ ପେଷିବା ବେଳେ ସହଜରେ ଭାଙ୍ଗିଯାଏ ଓ ବିହନ ପାଇଁ ବ୍ୟବହାର କରାଗଲେ ଏଥିରୁ ଗଜା ବାହାରି ନଥାଏ । ଅମଳ ହେବାରେ ବିଳମ୍ବ ହେଲେ କେଣ୍ଡାରୁ ଧାନ ଝଡ଼ିଯାଏ ଓ ପକ୍ଷୀମାନଙ୍କ ଦ୍ୱାରା ଶସ୍ୟ ନଷ୍ଟ ହେବାର ଆଶଙ୍କା ରହିଥାଏ । ଏଥିସହିତ ଶସ୍ୟ ଅଧିକ ଶୁଖିଯିବା, ଅନାକର୍ଷଣୀୟ ରଙ୍ଗ ହେବା ଏବଂ ଚାଉଳ ଭାଙ୍ଗିଯିବା ଯୋଗୁଁ ଏହାର ମାନ ହ୍ରାସ ପାଇଥାଏ ।
ଫସଲ ଅମଳ ପାଇଁ ଉପଯୁକ୍ତ ସମୟ ହେଲା :
- ଶସ୍ୟର ଜଳୀୟ ଅଂଶ ୨୦-୨୨% ହୋଇଥିବ । ଏହି ଅବସ୍ଥା ସାଧାରଣତଃ ଫୁଲ ହେବାର ୩୦ ଦିନ ପରେ ଆସିଥାଏ । କେଣ୍ଡାରେ ୮୦-୮୫% ଧାନ ନଡ଼ା ରଙ୍ଗର ହେଲେ ଅମଳ କରାଯାଇପାରେ ।
- କେଣ୍ଡାର ନିମ୍ନ ଭାଗରେ ଥିବା ଧାନ ନରମ ନହୋଇ ଟାଣ ହୋଇଥିବ ଏବଂ
- ଶସ୍ୟ ଟାଣ ହୋଇଥିବ ଏବଂ ଦାନ୍ତରେ ଦାବିଲେ ସହଜରେ ଭାଙ୍ଗିଯିବ ନାହିଁ ।
ଧାନ କାଟିବା ପରେ ଶସ୍ୟର ମାନ ବୃଦ୍ଧି ପାଇଁ:
- ସମୟ ବ୍ୟବଧାନ ହ୍ରାସ କରନ୍ତୁ : ସାଧାରଣତଃ ଧାନ କଟାଯିବା ପରେ ବିଡ଼ା ବନ୍ଧା ହୋଇ କିଆରୀରେ ପଡ଼ି ରହିଥାଏ । କାଟିବାର ୨୪ ଘଣ୍ଟା ପରେ ଏହାକୁ ଖଳାରେ ଅମଳ କରନ୍ତୁ ।
- ଧାନର ମାନ ବୃଦ୍ଧି ପାଇଁ କେଣ୍ଡାକୁ ମାଟି ସଂସ୍ପର୍ଶରେ ଆସିବାକୁ ଦିଅନ୍ତୁ ନାହିଁ ।
- ଖଳାରେ ଅମଳ ପରେ ଯଥାଶୀଘ୍ର ଧାନ ଶୁଖାନ୍ତୁ ।
- ସମାନ ଭାବେ ଶୁଖିବା ପାଇଁ ପ୍ରତି ୩୦ ମିନିଟରେ ଧାନକୁ ଓଲଟ ପାଲଟ କରନ୍ତୁ ।
- ତାର୍ପୋଲିନ ଅଥବା ପରିଷ୍କାର ଶୁଖିଲା ମସିଣା ଉପରେ ଧାନ ଶୁଖାନ୍ତୁ ।
- ଶୁଖାଇବା ପାଇଁ ଧାନକୁ ୩-୫ ସେ.ମି. ବହଳରେ ପକାନ୍ତୁ ।
- ଅତ୍ୟଧିକ ଗରମ ନହେବା ପାଇଁ ମଧ୍ୟାହ୍ନ ସମୟରେ ଧାନକୁ ଘୋଡ଼େଇ ଦେବା ଏବଂ ବର୍ଷା ହେଲେ ତତକ୍ଷଣାତ୍ ଘୋଡ଼ାଇବା ଦରକାର
- ଶୁଖାଇବା ପରେ ବାରମ୍ବାର ଉଡ଼ାଇ ସଫା କରିବା ଉଚିତ୍
- ବିହନ ଉଦ୍ଦେଶ୍ୟରେ ସାଇତିବାକୁ ଥିଲେ ଧାନକୁ ବାୟୁରୁଦ୍ଧ ପାତ୍ରରେ ସିଲ କରି ଶୀତ, ଶୁଷ୍କ ଓ ପରିଷ୍କାର ସ୍ଥାନରେ ରଖିବାକୁ ହେବ ।