RKB_Odisha_Odia
RKB_Odisha_Odia
IRRI Banner

ଓଡିଶାରେ ଧାନଚାଷ

ଓଡ଼ିଶାରେ ଖାଦ୍ୟ କହିଲେ ଚାଉଳକୁ ବୁଝାଯିବା ପରି କୃଷି କହିଲେ ଧାନକୁ ବୁଝାଯାଇଥାଏ । ମୋଟ ଚାଷ ଜମିର ଶତକଡ଼ା ପ୍ରାୟ ୬୯ ଭାଗ ଜମିରେ ଧାନ ଚାଷ କରାଯାଇଥାଏ ଏବଂ ଏହା ଖାଦ୍ୟଶସ୍ୟଜାତୀୟ ଫସଲର ଶତକଡ଼ା ପ୍ରାୟ ୬୩ ଭାଗ ଜମିରେ ଚାଷ କରାଯାଇଥାଏ । ବିଂଶ ଶତାବ୍ଦୀର ପଂଚମ ଦଶକରେ ଧାନ ଚାଷ କ୍ଷେତ୍ରରେ ଓଡ଼ିଶା ସମଗ୍ର ଦେଶରେ ପ୍ରମୁଖ ସ୍ଥାନ ଗ୍ରହଣ କରିଥିଲା ଏବଂ କେନ୍ଦ୍ରୀୟ ଖାଦ୍ୟଭଣ୍ଡାରକୁ ଯଥେଷ୍ଟ ପରିମାଣର ଚାଉଳ ଯୋଗାଉଥିଲା । ଅଧିକ ଅମଳକ୍ଷମ କିସମର ପ୍ରଚଳନ ହେବା ପରେ ଏ ଦୃଶ୍ୟ ବଦଳିଗଲା । ୨୦୦୦-୦୧ରେ ଓଡ଼ିଶାରେ ହାରାହାରି ଧାନ ଅମଳ ହେକ୍ଟର ପିଛା ୧ ଟନ୍ ରୁ କମ୍ ଥିବାବେଳେ ୨୦୨୧-୨୨ରେ ହେକ୍ଟର ପିଛା ୨.୩୫ ଟନ୍ କୁ ବୃଦ୍ଧି ପାଇଛି ।  ୩୯.୫ ଲକ୍ଷ ହେକ୍ଟର କ୍ଷେତ୍ରଫଳ (ଖରିଫ ଏବଂ ରବି ଋତୁ ମିଶିକରି) ସହିତ ଓଡ଼ିଶାରେ ୨୦୨୧-୨୨ ରେ ୧୩୮ ଲକ୍ଷ ଟନ୍ ଧାନ ବା ପ୍ରାୟ ୯୨ ଲକ୍ଷ ଟନ୍ ଚାଉଳ ଉତ୍ପାଦନ ହୋଇଛି । ପାଣିପାଗ ବ୍ୟତିକ୍ରମ କାରଣରୁ ବାର୍ଷିକ ଚାଉଳ ଉତ୍ପାଦନରେ ପ୍ରାୟ ୪-୫ ଲକ୍ଷ ଟନ୍ ହ୍ରାସ ପାଇପାରେ ।  ଓଡ଼ିଶାର ୪.୬୩ କୋଟି ଜନସଂଖ୍ୟା (ବ୍ୟବହାର, ବିହନ, ଖାଦ୍ୟ ଓ ଅପଚୟକୁ ମିଶାଇ) ପାଇଁ ପ୍ରାୟ ୬୮ ଲକ୍ଷ ଟନ୍ ଚାଉଳର ଆବଶ୍ୟକତା ରହିଛି ଏବଂ ସେଥିପାଇଁ ସାମ୍ପ୍ରତିକ ବର୍ଷଗୁଡ଼ିକରେ ଚାଉଳର ଅଭାବ ରହିଛି । ୨୦୨୨-୨୩ ରେ କେନ୍ଦ୍ରୀୟ ଚାଉଳ ଆବଶ୍ୟକତାର ୯.୫% ଓଡିଶାଦ୍ଵାରା ଯୋଗାଇ ଦିଆଯାଇଛି ।  ଅଧିକ ଅମଳକ୍ଷମ କିସମ ପ୍ରଚଳନ ପୂର୍ବରୁ ଦେଶରେ ମୋଟ ଉତ୍ପାଦନ ହେଉଥିବା ଧାନର ୧୧%ରୁ ଅଧିକ ପରିମାଣ ଓଡ଼ିଶାରୁ ଉତ୍ପାଦିତ ହେଉଥିଲା, କିନ୍ତୁ ପରବର୍ତ୍ତୀ ସମୟରେ ଏହା ହ୍ରାସ ପାଇ ୨୦୦୮-୦୯ ମସିହା ବେଳକୁ ୭.୯% କୁ ଖସି ଆସିଲା ।  ଏହାର ମୁଖ୍ୟ କାରଣ ହେଉଛି ଭାରତ-ଗାଙ୍ଗେୟ ସମତଳ ଅଞ୍ଚଳ ଏବଂ ଦକ୍ଷିଣ ରାଜ୍ୟଗୁଡ଼ିକର ଜଳସେଚିତ ଅଞ୍ଚଳରୁ ଅମଳରେ ଯଥେଷ୍ଟ ବୃଦ୍ଧି ଘଟିଛି।

ଓଡ଼ିଶାର ବିବିଧ ପରିସ୍ଥିତି ଓ ଭିନ୍ନ ଭିନ୍ନ ଜଳବାୟୁ ଅଞ୍ଚଳରେ ଧାନ ଚାଷ କରାଯାଇଥାଏ । ଫସଲ ଚାଷର ଏହି ବ୍ୟାପକ ବିବିଧତା ଯୋଗୁଁ ଧାନଚାଷ କରାଯାଉଥିବା ଅଂଚଳର ଶ୍ରେଣୀକରଣ କରିବା କଠିନ କାର୍ଯ୍ୟ ଅଟେ । କିନ୍ତୁ ଧାନ ଉତ୍ପାଦନକୁ ପ୍ରଭାବିତ କରୁଥିବା କେତେକ ଉପାଦାନକୁ ଆଧାର କରି ଧାନଚାଷ ଅଞ୍ଚଳରେ ବିଭକ୍ତିକରଣ କରିବା ଆବଶ୍ୟକ । ନୂତନ କିସମର ବିକାଶ ଓ ଫସଲ ପରିଚାଳନା ପାଇଁ ଜ୍ଞାନକୌଶଳ ବିକାଶ ପାଇଁ ଏହା ନିହାତି ଦରକାର ।

ଓଡ଼ିଶାରେ ଧାନକୁ ସାତଟି ଭିନ୍ନ ପରିବେଶରେ ବିଭକ୍ତ କରାଯାଇଛି । ସେଗୁଡିକ ହେଲା ଖରିଫ ଜଳସେଚିତ (୨୭.୪%), ଅଣଜଳସେଚିତ ଢିପ ଜମି (୧୯.୧%), ମଧ୍ୟମ ଜମି (୧୨.୪%), ମଧ୍ୟମ ଖାଲ ଜମି (୨୨.୫%), ଅଳ୍ପ ଗଭୀର ଜମି (୭.୯%), ଗଭୀର ଜମି (୩.୪%) ଏବଂ ଜଳସେଚିତ ରବି ଫସଲ (୭.୪%) ଭାବରେ ବିଭକ୍ତ କରାଯାଇଛି । କୃଷକମାନେ ସେମାନଙ୍କ ନିଜ ଢଙ୍ଗରେ ଧାନ ଜମିକୁ ଢିପ ଜମି, ମଧ୍ୟମ ଜମି ଓ ଖାଲ ଜମି ହିସାବରେ ଶ୍ରେଣୀକରଣ କରିଥାନ୍ତି । ଜମିର ପତ୍ତନ ଓ ଜଳର ଉପସ୍ଥିତି ଅନୁସାରେ ଏପରି କରାଯାଇଥାଏ ।

ବିଭିନ୍ନ ପ୍ରକାରର ଜମି ଅବସ୍ଥାକୁ ସୁହାଇବା ପାଇଁ କୃଷକମାନେ ଉପଯୁକ୍ତ କିସମ ଚୟନ କରିବା ସହିତ କୃଷିକୌଶଳ ବିକାଶ କରିଥାନ୍ତି । ଧାନ ଫସଲ ପାଇଁ ଜଳର ଉପଲବ୍ଧତା ଓ ଫସଲ ଚାଷର ପ୍ରମୁଖ ସମୟରେ ଜମିରେ ଥିବା ଜଳର ଗଭୀରତା ଆଧାରରେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରର ବୈଜ୍ଞାନିକମାନେ ଧାନ ଚାଷ ଅବସ୍ଥାର ଶ୍ରେଣୀ ବିଭକ୍ତ କରିଛନ୍ତି । ଯଦିଓ ଓଡ଼ିଶାରେ ଧାନ ଚାଷ ଅବସ୍ଥାର ବିସ୍ତୃତ ଭାବେ ଶ୍ରେଣୀକରଣ କରାଯାଇଛି; ତଥାପି ବିଭିନ୍ନ ଜିଲ୍ଲାରେ ଚାଷ କରାଯାଉଥିବା ଖରିଫ୍ ଧାନ ଫସଲ ତଥ୍ୟରୁ ଜଣାଯାଏ ଯେ ଏହି ଫସଲ ଢିପ ଜମି, ମଧ୍ୟମ ଜମି ଓ ଖାଲ ଜମିରେ ଯଥାକ୍ରମେ ଶତକଡ଼ା ୨୫.୩%, ୩୮.୮% ଓ ୩୫.୯% ଅଂଚଳରେ ଚାଷ କରାଯାଇଥାଏ ।

ଓଡ଼ିଶାରେ ବହୁ ପୂର୍ବରୁ ରହିଥିବା ସାମାଜିକ ପ୍ରଥା ଓ ପର୍ବପର୍ବାଣୀ ସହିତ ଧାନ ଚାଷର ନିବିଡ଼ ସମ୍ପର୍କ ରହିଛି । ଏପ୍ରିଲ – ମେ ମାସରେ ପାଳନ ହେଉଥିବା ଅକ୍ଷୟ ତୃତୀୟାରେ ଧାନବୁଣା ଆରମ୍ଭ ହୋଇଥାଏ । ଜୁନ୍ ମାସ ମଧ୍ୟ ଭାଗରେ ପାଳନ କରାଯାଉଥିବା ରଜ ସଂକ୍ରାନ୍ତି ବେଳକୁ ଧାନବୁଣା ଶେଷ ହୁଏ । ଅକ୍ଟୋବର ମାସରେ ପଡ଼ୁଥିବା ଗର୍ଭଣା ସଂକ୍ରାନ୍ତିରେ ଧାନ ଫସଲରେ ଗର୍ଭ ସଞ୍ଚ।ର ହୁଏ । ନୂଆଖାଇରେ ଢିପ ଜମିରେ ଧାନ ଅମଳ ହେଉଥିବାବେଳେ ଲକ୍ଷ୍ମୀପୂଜାରେ ଖାଲ ଜମିରେ ଧାନ ଅମଳ ହୁଏ । ଜାନୁଆରୀ ମାସର ମଧ୍ୟ ଭାଗରେ ପାଳନ କରାଯାଉଥିବା ମକର ସଂକ୍ରାନ୍ତି ଓ ଚଇତି ପର୍ବ ବେଳକୁ ଧାନ ଅମଳ ହୋଇ ଅମାରକୁ ଆସିଥାଏ ।ଦକ୍ଷିଣ ଓଡ଼ିଶାର ଜୟପୁର ଅଂଚଳକୁ ଚାଷ କରାଯାଉଥିବା ଧାନ ଫସଲର ଦ୍ୱିତୀୟକ ଉତ୍ପତ୍ତି ସ୍ଥଳ ବୋଲି କୁହାଯାଏ । (ରାମିଆ ଏବଂ ଘୋଷ ୧୯୫୧; ରାମିଆ ଏବଂ ରାଓ ୧୯୫୩) । ପଶ୍ଚିମ ଓଡ଼ିଶା, ଝାଡ଼ଖଣ୍ଡ ଏବଂ ଛତିଶଗଡ଼ ଅଂଚଳକୁ ଅଂଶାଥିବା ଧାନର ଉତ୍ପତିସ୍ଥଳ ଭାବେ ଚିହ୍ନଟ କରାଯାଇଛି (ଶର୍ମା ଓ ଅନ୍ୟମାନେ ୨୦୦୦) ।

ଓଡ଼ିଶାରେ ଫସଲ ପରିଚାଳନା ଓ ଧାନ ଚାଷ ପଦ୍ଧତି

ଧାନଚାଷ କରାଯାଉଥିବା ପରିବେଶ ଯୋଗୁଁ ଚାଷ ପଦ୍ଧତି ବିଶେଷ ଭାବେ ପ୍ରଭାବିତ ହୋଇଥାଏ । ଜମିର ଅବସ୍ଥା, ମୃତ୍ତିକାର ପ୍ରକାର, ଧାନର ଶ୍ରେଣୀ, ଚାଷ କରାଯାଉଥିବା ଋତୁ, ବୃଷ୍ଟିପାତର ପରିମାଣ ଓ ବଂଟନ, ଜଳସେଚନର ଉତ୍ସ ଏବଂ ଶ୍ରମିକ ଉପଲବ୍ଧତା ଉପରେ ନିର୍ଭର କରି ଚାଷ ପଦ୍ଧତି ନିର୍ଦ୍ଧାରଣ କରାଯାଇଥାଏ । ଓଡ଼ିଶାରେ ତିନି ପ୍ରକାରର ଧାନ ଚାଷ କରାଯାଏ, ଯଥା : ଶୁଷ୍କ, ଅର୍ଦ୍ଧ ଶୁଷ୍କ ଓ ଆର୍ଦ୍ର ପଦ୍ଧତି । ଧାନ ଫସଲର ୧୮% ଅଂଚଳ ଶୁଷ୍କ ପଦ୍ଧତି ଅଧିନରେ ଆସୁଥିବା ବେଳେ ଅବଶିଷ୍ଟ ଅଂଚଳରେ ଅର୍ଦ୍ଧ ଶୁଷ୍କ ଓ ଆର୍ଦ୍ର ପଦ୍ଧତି ଅନୁସରଣ କରାଯାଇଥାଏ (ପାଣି ଏବଂ ପାତ୍ର ୨୦୦୪) ।

ଓଡ଼ିଶାରେ ଧାନ ଚାଷର ସମସ୍ୟା

ବିଗତ ୧୯୭୦-୭୧ ରୁ ୨୦୦୩-୦୪ ବର୍ଷ ମଧ୍ୟରେ ପୂର୍ବଭାରତ ଓ ସମଗ୍ର ଭାରତରେ ଧାନର ବାର୍ଷିକ ଉତ୍ପାଦିକତା ଯଥାକ୍ରମେ ହେକ୍ଟର ପ୍ରତି ୩୬ କି.ଗ୍ରା. ଓ ୪୪ କି.ଗ୍ରା. ରହିଥିଲା । ବିଗତ ୩୫ ବର୍ଷ ମଧ୍ୟରେ ଓଡ଼ିଶାରେ ଧାନର ବାର୍ଷିକ ଉତ୍ପାଦିକତା ମାତ୍ର ୨୪ କି.ଗ୍ରା. ରହିଥିଲା । ଏହାର କାରଣ ଏହି ଅଂଚଳରେ ଅଣଜଳସେଚିତ ଜମିରେ ଅଧିକ ମାତ୍ରାରେ ଧାନଚାଷ କରାଯାଇଥାଏ, ଯାହାଫଳରେ ଉନ୍ନତ ଜ୍ଞାନକୌଶଳର ବ୍ୟବହାର ସମ୍ଭବ ହୋଇ ନଥାଏ । ଏହାଛଡ଼ା ନିର୍ଭରଯୋଗ୍ୟ ବଜାର ନଥିବାରୁ ଫସଲ ଚାଷ ଓ ଏଥିସହିତ ଜ୍ଞାନକୌଶଳ ପ୍ରୟୋଗ ଲାଭଜନକ ହୋଇ ନଥାଏ ।

ଜୈବ-ଭୌତିକ ସମସ୍ୟା

ବୈଷୟିକ ସମସ୍ୟା

ଅନୁଷ୍ଠାନଗତ ସମସ୍ୟା

ସାମାଜିକ-ଅର୍ଥନୈତିକ ସମସ୍ୟା

ବିଭିନ୍ନ ଧାନଚାଷ ଅବସ୍ଥାରେ ଦେଖାଯାଉଥିବା ସମସ୍ୟା

ଅଣଜଳସେଚିତ ଜମିରେ ଧାନ ଚାଷ ପରିବେଶ
ଅଳ୍ପ ଗଭୀର ଖାଲ ଜମିରେ ଜଳସେଚିତ ପରିବେଶ
  • ଠିକ୍ ସମୟରେ ବୁଣାଯିବା/ରୁଆଯିବା ଏବଂ ଘାସବଛା ଓ ଅନ୍ତଃଚାଷ ।
  • ଉତ୍ତମ ଭାବେ କିସମ-ସାଧନ ପରିଚାଳନା ।
  • ରୋଗପୋକ ପ୍ରତିରୋଧି କ୍ଷମତା ଥିବା କିସମ ବ୍ୟବହାର ସହିତ ସମନ୍ୱିତ ପଦ୍ଧତିରେ ରୋଗପୋକ ପରିଚାଳନା ।
  • ସୁପାରିଶ କରାଯାଇଥିବା କିସମର ଉନ୍ନତ ବିହନର ବ୍ୟବହାର ।
ଜଳସେଚିତ ପରିବେଶ
  • ଓଡ଼ିଶାରେ ଧାନଚାଷ କରାଯାଉଥିବା ଜମିର ୧.୫୫ ନିୟୁତ ହେକ୍ଟର (୩୫%) ଜମି ଜଳସେଚିତ ଯେଉଁଠି ଦୁଇଥର ଧାନଚାଷ କରାଯିବା ସମ୍ଭବ ।
  • ଏହି ଜମିରେ ମୁଖ୍ୟତଃ କେନାଲ ଦ୍ୱାରା ଜଳସେଚନ କରାଯାଇଥାଏ ।
  • ଖରାଦିନେ ଚାଷ କରାଯାଉଥିବା ଧାନ ଫସଲକୁ ନଦୀ, ପୁଷ୍କରିଣୀ ଓ ଗଭୀର ନଳକୂଳ ଦ୍ୱାରା ଉଠା ଜଳସେଚନ ସାହାଯ୍ୟରେ ପାଣି ମଡ଼ାଯାଇଥାଏ ।
  • ଖରିଫ ଋତୁରେ ମୁଖ୍ୟତଃ ଫସଲ ସୁରକ୍ଷା ପାଇଁ ଜଳସେଚନ କରାଯାଇଥାଏ ।
  • ବେଳେବେଳେ ଖରିଫ ଋତୁରେ ଅନିୟନ୍ତ୍ରିତ ଜଳସେଚନ ଦ୍ୱାରା ଖାଲ ଜମିରେ ପାଣି ଜମି ରହିବା ଫଳରେ ମୃତ୍ତିକାର ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡ଼ିବା ସହିତ ଅମଳ ପ୍ରଭାବିତ ହୋଇଥାଏ । ଜଳସେଚିତ ଜମିରେ ଧାନ ଫସଲ ଅମଳହାନୀ ହେବାର ପ୍ରମୁଖ କାରଣମାନ ହେଲା ଅଧିକମାତ୍ରାରେ ରୋଗପୋକ ଆକ୍ରମଣ ଯଥା କାଣ୍ଡବିନ୍ଧା ପୋକ, ମାଟିଆଗୁଣ୍ଡି ପୋକ, ଧଳାପିଠିଆ ମାଟିଆଗୁଣ୍ଡି ପୋକ, ବୀଜାଣୁଜନିତ ପତ୍ରପୋଡ଼ା ରୋଗ ଏବଂ ଆଚ୍ଛାଦ ସଢ଼ା ରୋଗ ।
  • ଉଚ୍ଚ ଅମଳକ୍ଷମତା ଓ ରୋଗପୋକ ପ୍ରତିରୋଧି କ୍ଷମତା ଥିବା ଅନେକ ଅଧିକ ଅମଳକ୍ଷମ ଧାନ କିସମ ଉପଲବ୍ଧ ଅଛି । ଖରାଦିନେ ଏହି ପରିବେଶରେ ଚାଷ ହେବା ପାଇଁ ଦିନର ଦୈର୍ଘ୍ୟ ଦ୍ୱାରା ପ୍ରଭାବିତ ହେଉ ନଥିବା ୧୧୦-୧୨୫ ଦିନିଆ ଅଧିକ ଅମଳକ୍ଷମ ଧାନ କିସମ ବର୍ଷା ଋତୁରେ ଚାଷ ହେବା ପାଇଁ ୧୨୦-୧୩୫ ଦିନିଆ ଅଧିକ ଅମଳକ୍ଷମ ଧାନ କିସମ ଉପଯୁକ୍ତ ଅଟେ ।
  • ହେକ୍ଟର ପ୍ରତି ହାରାହାରି ୩ ଟନ୍ ଅମଳ ହୋଇଥାଏ । ଉନ୍ନତ କିସମ ବ୍ୟବହାର, ସାର ପ୍ରୟୋଗ, ଜଳସେଚନ, ରୋଗପୋକ ପରିଚାଳନା ସହିତ ଠିକ୍ ସମୟରେ ବିଭିନ୍ନ କୃଷିସାଧନ ଉପଲବ୍ଧ ହେବା ଯୋଗୁଁ କୃଷକମାନେ ଅଧିକ ଅମଳ ପାଇଥାନ୍ତି ।
  • ବିଳମ୍ବରେ କେନାଲ ପାଣି ମିଳିବା ଖରାଦିନିଆ ଧାନଚାଷର ପ୍ରମୁଖ ସମସ୍ୟା ଅଟେ ।

ଧାନ ଉତ୍ପାଦନ ବୃଦ୍ଧି ପାଇଁ କୌଶଳ

ଅଣଜଳସେଚିତ ଢିପ ଜମି
  • ସଂପ୍ରତି ଧାନ ଫସଲ ବଦଳରେ ଚିନାବାଦାମ, ସୋୟାବିନ, ରାଶି ଆଦି ଫସଲ ଅଥବା ଧାନ ଭିତ୍ତକ ମିଶ୍ରିତ ଫସଲ ଚାଷ ପାଇଁ କୃଷକମାନଙ୍କୁ ପ୍ରୋତ୍ସାହିତ କରାଯାଉଛି ।
  • ଧାଡ଼ିରେ ବୁଣିବା ଓ ଘାସ ଦମନ ପାଇଁ ଉପଯୁକ୍ତ ଯନ୍ତ୍ରପାତିର ବିକାଶ ।
  • ଫଳପ୍ରଦ ଭାବେ ଘାସ ଦମନ ପାଇଁ ଘାସମରା ଔଷଧ ବ୍ୟବହାର ।
  • ବୃଷ୍ଟିଜଳ ସଂରକ୍ଷଣ ଓ ମରୁଡ଼ି ଜନିତ କ୍ଷତି ହ୍ରାସ ପାଇଁ ଜମି ପ୍ରସ୍ତୁତି (ହିଡ଼ ଦେବା, ପାବଚ୍ଛ କରିବା ଓ ସମତୁଳ କରିବା) ।
  • ଶୀଘ୍ର ବଢ଼ିପାରୁଥିବା ଓ ମରୁଡ଼ି ସହନଶୀଳ ଅଳ୍ପ ଉଚ୍ଚ ଅଧିକ ଅମଳକ୍ଷମ କିସମର ବିକାଶ ।
ଅଣଜଳସେଚିତ ମଧ୍ୟମ ଓ ଖାଲଜମି
  • ଠିକ୍ ସମୟରେ ବୁଣିବା/ରୋଇବା ଏବଂ ଘାସଦମନ ଓ ଅନ୍ତଃଚାଷ କରାଯିବା ।
  • ଉତ୍ତମ ଭାବେ କିସମ-ସାଧନର ପରିଚାଳନା ।
  • ସୁପାରିଶ କରାଯାଇଥିବା କିସମର ଉନ୍ନତ ବିହନ ବ୍ୟବହାର ।
  • ଶ୍ରମ ଲାଘବ ପାଇଁ କୃଷି ଯନ୍ତ୍ରପାତି ବିକାଶ ଓ ତାହାର ବ୍ୟବହାର ଏବଂ ଚାଉଳରୁ ମୂଲ୍ୟଯୁକ୍ତ ସାମଗ୍ରୀ ପ୍ରସ୍ତୁତ କରି ଆୟବୃଦ୍ଧି ।
  • ଅମଳ ପରବର୍ତ୍ତୀ ଜ୍ଞାନକୌଶଳ ଓ ସମନ୍ୱିତ କୃଷି ପଦ୍ଧତିର ବିକାଶ (ଏକକ ଫସଲରୁ ଲାଭଜନକ ବିବିଧ ଫସଲ ବ୍ୟବସ୍ଥା) ।
ଜଳସେଚିତ ପରିବେଶ
  • ଏବେବେି ଜଳସେଚିତ ଜମିରେ ଧାନର ଉତ୍ପାଦିକତା ଯଥେଷ୍ଟ କମ୍ ରହିଛି । ଖରିଫ୍ ଋତୁରେ ଏହା ହେକ୍ଟର ପ୍ରତି ୩ ଟନ୍ ହୋଇଥିବା ବେଳେ ରବି ଋତୁରେ ୩.୫ ଟନ୍ ହୋଇଥାଏ । ମିଳୁଥିବା ଉନ୍ନତ ବିହନ ଓ ଉପଯୁକ୍ତ ଚାଷ ପଦ୍ଧତିର ଉତ୍ପାଦନ କ୍ଷମତାର ଏହା ମାତ୍ର ୫୦% ଅଟେ ।
  • ଉତ୍ତମ ଭାବେ କିସମ-ସାଧନ ପରିଚାଳନା ଓ ଉପଯୁକ୍ତ ଜଳ ପରିଚାଳନା ଦ୍ୱାରା ଉତ୍ପାଦିକତା ଯଥେଷ୍ଟ ବୃଦ୍ଧି ପାଇପାରିବ ।
  • ଅଧିକ ଅମଳ କ୍ଷମତା ଥିବା ସଙ୍କର କିସମ ଚାଷ ଦ୍ୱାରା ଅମଳ ବୃଦ୍ଧି ଘଟିବ । ପରିବେଶର ମାନ ବଜାୟ ରଖି ସାଧନ ବ୍ୟବହାର ଦକ୍ଷତା ବୃଦ୍ଧି ଏବଂ ଅମଳର କାରକମାନଙ୍କ ଦକ୍ଷତା ବୃଦ୍ଧି (ସମନ୍ୱିତ ଫସଲ ପରିଚାଳନା, ଶ୍ରୀ ପଦ୍ଧତିରେ ଧାନ ଚାଷ) ।
  • ରୋଗପୋକ ପ୍ରତିରୋଧି କ୍ଷମତା ଥିବା କିସମ ବ୍ୟବହାର ସହିତ ସମନ୍ୱିତ ପଦ୍ଧତିରେ ରୋଗପୋକ ପରିଚାଳନା । ଧାନଚାଷରୁ ଅଧିକ ଅମଳ ପାଇବା ପାଇଁ ରାସାୟନିକ ସାର ଓ ଜୈବିକ ଖତ ବ୍ୟବହାର କରି ସମନ୍ୱିତ ପଦ୍ଧତିରେ ଖାଦ୍ୟସାର ପରିଚାଳନା ।