ରେପସିଡ୍-ସୋରିଷ ହେଉଛି ଗୋଟିଏ ବର୍ଗର ଫସଲ ଯାହା ମଧ୍ୟରେ ରେପସିଡ୍ (Brassica campestris) ଜାତିର ତୋରିଆ, ମାଟିଆ ସୋରିଷ ଓ ହଳଦିଆ ସୋରିଷ, ଭାରତୀୟ ସୋରିଷ (Brassica juncea), କଳା ସୋରିଷ (Brassica nigra) ଏବଂ ତାରାମୀରା (Erucasativa) କିସମ ଅନ୍ୟତମ। ଏହି କିସମ ଗୁଡ଼ିକରେ ତେଲର ମାତ୍ରା ଭିନ୍ନ ଭିନ୍ନ ହୋଇଥାଏ (ଶତକଡ଼ା ୩୭ ଭାଗରୁ ୪୯ ଭାଗ ମଧ୍ୟରେ)। ସୋରିଷ ମଞ୍ଜି ଓ ଏହାର ତେଲକୁ ବିଭିନ୍ନ ଖାଦ୍ୟପଦାର୍ଥ ଯେପରିକି ଆଚାର, ତରକାରୀ, କେଶ ତେଲ, ଔଷଧ ଏବଂ ଗ୍ରୀଜ୍ ପ୍ରସ୍ତୁତିରେ ବ୍ୟବହାର କରାଯାଇଥାଏ। ତେଲ ବାହାରିବା ପରେ ଏହାର ପିଡ଼ିଆକୁ ପଶୁ ଖାଦ୍ୟ ଏବଂ ଖତ ହିସାବରେ ବ୍ୟବହାର କରାଯାଇଥାଏ। ଲୋକେ ସୋରିଷ ପତ୍ରକୁ ଶାଗ ହିସାବରେ ଖାଇଥାନ୍ତି ଏବଂ ଏହାର ଗଛକୁ ଗାଈଗୋରୁମାନଙ୍କୁ ଖାଇବାକୁ ଦିଆଯାଇଥାଏ। ଏହା ବ୍ୟତୀତ ଚମଡ଼ା କାରଖାନା ମାନଙ୍କରେ ଚମଡ଼ାକୁ ନରମ କରିବା ପାଇଁ ସୋରିଷ ତେଲର ବ୍ୟବହାର ହୋଇଥାଏ।
ଉପଯୁକ୍ତ ମୃତ୍ତିକା:
- ବାଲିଆ ପଟୁମାଟି ଯୁକ୍ତ ନିଗିଡ଼ା ଜମି ସୋରିଷ ଚାଷ ପାଇଁ ଉପଯୁକ୍ତ
- ଭାରି ଓ ପାଣି ଜମୁଥିବା ମୃତ୍ତିକା ଏହି ଫସଲ ପାଇଁ ଅନୁପଯୁକ୍ତ
- ଫସଲର ସଠିକ ବୃଦ୍ଧି ଓ ଭଲ ଅମଳ ପାଇଁ ମାଟିର ଅମ୍ଳତା ସର୍ବାଧିକ ୬.୦ – ୭.୦ ପି.ଏଚ୍. ହେବା ଆବଶ୍ୟକ
- କମ ତାପମାତ୍ରାରେ ସୋରିଷ ଭଲ ଭାବେ ବଢିଥାଏ ଏବଂ ବୁଣିବା ସମୟରେ ଭଲ ଭାବେ ଗଜା ହେବା ପାଇଁ ହାରାହାରି ୨୫ ଡ଼ିଗ୍ରୀ ସେଲସିୟସ୍ ତାପମାତ୍ରା (ଦିନ ଓ ରାତି) ଆବଶ୍ୟକ ହୋଇଥାଏ।
କିସମ:
କିସମ | ଅବଧି(ଦିନ) | ଏକର ପ୍ରତି ହାରାହାରି ଅମଳ (କ୍ଵିଣ୍ଟାଲ) | ତୈଳ ଅଂଶ (%) |
---|---|---|---|
ପି.ବି.ଟି ୩୭ | ୯୧ | ୫.୪ | ୪୧.୭ |
ପାର୍ବତୀ | ୭୫ | ୬.୦ | ୪୧.୦ |
ଏମ୍ ୨୭ | ୭୫ | ୨.୮ | ୪୦.୦ |
ଟି.ଏସ୍ ୨୯ | ୮୦ | ୩.୬ | ୩୯.୦ |
ଟି ୯ | ୯୫ | ୬.୦ | ୪୪.୦ |
ଅନୁରାଧା | ୭୫ | ୫.୬ | ୪୪.୦ |
ଟି.ଏଲ୍ ୧୫ | ୮୮ | ୪.୫ | ୪୪.୦ |
ପି.ଟି ୩୦୩ | ୮୫ | ୫.୬ | ୪୦.୦ |
ଆର.ଏଲ୍.ଏମ୍ ୬୧୯ | ୧୪୩ | ୮.୦ | ୪୩.୦ |
ପି.ବି.ଆର୍ ୯୭ | ୧୩୬ | ୫.୨ | ୩୯.୮ |
ପୁଷା ବୋଲ୍ଡ | ୧୧୫ | ୬.୦ | ୪୦.୦ |
ବରୁଣ | ୧୧୫ | ୭.୨ | ୩୭.୦ |
ପୁଷା ବାହାର | ୧୨୦ | ୮.୮ | ୪୦.୦ |
କ୍ରାନ୍ତି | ୧୩୦ | ୮.୮ | ୪୦.୦ |
୪୦.୦ | ୧୩୨ | ୮.୮ | ୪୦.୨ |
ଆର.ଏଲ୍.ସି ୩ | ୧୪୫ | ୭.୩ | ୪୧.୫ |
ଜି.ଏସ.ଏଲ୍ ୧ | ୧୬୦ | ୬.୭ | ୪୪.୫ |
ଜମି ପ୍ରସ୍ତୁତି:
- ଟ୍ରାକ୍ଟର କିମ୍ବା ଲଙ୍ଗଳ ଦ୍ଵାରା ମାଟିକୁ ଭଲ ଭାବେ ୨ ରୁ ୩ ଓଡ଼ ଗୁଣ୍ଡ ଚାଷ କରନ୍ତୁ
- ହଳ କରି ସାରିବା ପରେ ଜମିରେ ଭଲ ଭାବେ ମଇ ଦିଅନ୍ତୁ
- ଜମିରେ ଥିବା ଅନାବନା ଘାସ ଓ ଅନ୍ୟାନ୍ୟ ଫସଲର ମୂଳ ଗୁଡ଼ିକୁ ବାହାର କରି ଦିଅନ୍ତୁ
ବିହନ ବିଶୋଧନ:
- ମାଟିରେ ଥିବା ଜୀବାଣୁ ଦ୍ଵାରା ସୃଷ୍ଟି ହେଉଥିବା ଓ ବ୍ୟାପୁଥିବା ରୋଗ ହ୍ରାସ ପାଇଁ ଏବଂ ଫସଲର ଉତ୍ତମ ଅଭିବୃଦ୍ଧି ପାଇଁ ବୁଣିବା ପୂର୍ବରୁ ପ୍ରତି କି.ଗ୍ରା. ବିହନ ସହ ୫-୧୦ ଗ୍ରାମ୍ ଟ୍ରାଇକୋଡର୍ମା ମିଶାଇ ବିଶୋଧନ କରନ୍ତୁ।
ବିହନ ବୁଣା:
- ସେପ୍ଟେମ୍ବର ମାସରୁ ଅକ୍ଟୋବର ଶେଷ ପର୍ଯ୍ୟନ୍ତ ସୋରିଷ ବୁଣିବାର ପ୍ରକୃଷ୍ଟ ସମୟ ଅଟେ। ବିଳମ୍ବରେ ଧାନ ଅମଳ ହେତୁ ଏବେ ମଧ୍ୟ ପୂର୍ବ ଭାରତର କେତେକ ରାଜ୍ୟରେ ଡେରିରେ (ନଭେମ୍ବର ମଧ୍ୟଭାଗରୁ ଡିସେମ୍ବର ମଧ୍ୟଭାଗ ଯାଏ) ସୋରିଷ ବୁଣା କାର୍ଯ୍ୟ କରାଯାଇଥାଏ
- ଭଲ ଅମଳ ପାଇବା ପାଇଁ ଜମିରେ ସଠିକ ସଂଖ୍ୟକ ଗଛ ରହିବା ଆବଶ୍ୟକ। କିସମର ପ୍ରକାର ଅନୁସାରେ ବିହନ ପରିମାଣ ଭିନ୍ନ ଭିନ୍ନ ହୋଇଥାଏ
- ଧାଡ଼ିକୁ ଧାଡ଼ି ୩୦ ସେ.ମି. ଓ ଗଛକୁ ଗଛ ୧୦ ସେ.ମି.ର ବ୍ୟବଧାନ ରଖନ୍ତୁ
- ଶୁଷ୍କ ଅଞ୍ଚଳରେ ଉନ୍ନତ ଫସଲ ଓ ମାଟିର ବତର ସଂରକ୍ଷଣ ପାଇଁ ସିଆରରେ ବିହନ ବୁଣା ଯନ୍ତ୍ର ସାହାଯ୍ୟରେ ବିହନ ବୁଣିବା ଉଚିତ
- ସିଆର ମଧ୍ୟରେ ୪ – ୫ ସେ.ମି ଗଭୀରତା ରହିବା ଆବଶ୍ୟକ
ଖାଦ୍ୟସାର:
- ଶେଷ ଓଡ଼ ଚାଷ ସମୟରେ ଏକର ପ୍ରତି ୭ – ୧୦ ଟନ୍ ସଢା ଗୋବର ଖତ ବା କମ୍ପୋଷ୍ଟ ଭଲ ଭାବେ ମାଟିରେ ମିଶାଇ ଦିଅନ୍ତୁ
- ଏନ୍.ପି.କେ ସାର ପ୍ରୟୋଗ
ରବି ଫସଲ | ଯବକ୍ଷାର | ଫସ୍ଫରସ୍ | ପଟାସ୍ |
ହେକ୍ଟର ପ୍ରତି | ହେକ୍ଟର ପ୍ରତି | ହେକ୍ଟର ପ୍ରତି | |
ଜଳ ସେଚିତ | ୬୦ କି.ଗ୍ରା. | ୩୦ କି.ଗ୍ରା. | ୩୦ କି.ଗ୍ରା. |
ଅଣ ଜଳସେଚିତ | ୩୦ କି.ଗ୍ରା. | ୧୫ କି.ଗ୍ରା. | ୧୫ କି.ଗ୍ରା. |
- ବୁଣିବା ପୂର୍ବରୁ ଜଳ ସେଚନ କରିବାକୁ ଥିଲେ ଏହା ପୂର୍ବରୁ ୟୁରିଆ ପ୍ରୟୋଗ କରନ୍ତୁ
- ଫସଲରେ ବିଭାଜିତ ଯବକ୍ଷାର ସାର ପ୍ରୟୋଗ କରନ୍ତୁ
ଜଳ ପରିଚାଳନା:
- ବିହନ ବୁଣିବା ପୂର୍ବରୁ ଆବଶ୍ୟକତା ଅନୁସାରେ ଜମିରେ ଜଳ ସେଚନ କରନ୍ତୁ
- ସାଧାରଣତଃ, ସୋରିଷ ଫସଲରେ ୨ ଥର ଜଳସେଚନର ଆବଶ୍ୟକତା ହୋଇଥାଏ। ପ୍ରଥମେ ଶାଖା ପର୍ଯ୍ୟାୟରେ (ବୁଣିବାର ୩୦ ଦିନ ପରେ) ଏବଂ ଦ୍ଵିତୀୟରେ ମଞ୍ଜି ହେବା ସମୟରେ (ବୁଣିବାର ୬୦ – ୬୫ ଦିନ ପରେ)। ଜଳସେଚନର ଏହି ଦୁଇଟି ପର୍ଯ୍ୟାୟ ଅଧିକ ଅମଳ ନିମନ୍ତେ ଗୁରୁତ୍ତ୍ୱପୂର୍ଣ୍ଣ ଅଟେ
- ମାଟିରେ ସଠିକ୍ ପରିମାଣର ଜୈବିକ ଖତ ପ୍ରୟୋଗ କରାଯିବା ଉଚିତ; ଏହା ମାଟିର ଆର୍ଦ୍ରତା ରକ୍ଷା କରିବାରେ ସାହାଯ୍ୟ କରିଥାଏ
ଅନାବନା ଘାସ ପରିଚାଳନା:
- ଗଜା ପୂର୍ବ ତୃଣନାଶକ ହିସାବରେ ବିହନ ବୁଣିବାର ୩ ଦିନ ମଧ୍ୟରେ ହେକ୍ଟର ପ୍ରତି ୧.୬ କି.ଗ୍ରା. ହିସାବରେ ଆଇସୋପ୍ରୋଟରନ୍ ୫୦% ଡବ୍ଲୁ.ପି. ପ୍ରୟୋଗ କରନ୍ତୁ
- ସଠିକ୍ ଭାବେ ଘାସ ନିୟନ୍ତ୍ରଣ ପାଇଁ ଅଣ ଜଳସେଚିତ ଜମିରେ ବୁଣିବାର ୨୫ ଦିନ ପରେ ହାତ ବଛା କରନ୍ତୁ ଏବଂ ଜଳସେଚିତ ଜମିରେ ବୁଣିବାର ୨୫-୪୦ ଦିନ ପରେ ୨ ଥର ହାତ ବଛା କରାଯାଇପାରେ
ରୋଗ ପୋକ ପରିଚାଳନା:
ସୋରିଷ ଫସଲର ମୁଖ୍ୟ ରୋଗ ପୋକ ଗୁଡ଼ିକ ହେଲା କରନ୍ଦିଆ ମାଛି, ଜଉ ପୋକ, ଠିକିରି ପିଠିଆ ପୋକ, ଲୋମଶ ସଁବାଳୁଆ ଏବଂ ଧଳା କଳଙ୍କି ରୋଗ ଓ ପତ୍ର ପୋଡ଼ା ରୋଗ ।
- ସୋରିଷ ଫସଲରେ ଜଉ ପୋକ ନିୟନ୍ତ୍ରଣ ପାଇଁ ପ୍ରତି ଲିଟର ପାଣିରେ ୦.୨ ଗ୍ରାମ ଥାୟାମେଥୋକ୍ସାମ ୨୫ ଡବ୍ଲୁ.ଜି କିମ୍ବା ୦.୩ ମି.ଲି ହିସାବରେ ଇମିଡାକ୍ଳୋପ୍ରିଡ ୧୭.୮% ଏସ.ଏଲ ମିଶାଇ ସ୍ପ୍ରେ କରନ୍ତୁ
- ଲୋମଶ ସଁବାଳୁଆ ଓ କରନ୍ଦିଆ ମାଛି ନିୟନ୍ତ୍ରଣ ପାଇଁ ପ୍ରତି ଲିଟର ପାଣିରେ ୧ ମି.ଲି. ଇଥୋଫେନୋପ୍ରକ୍ସ ୧୦% ଇ.ସି. ମିଶାଇ ସ୍ପ୍ରେ କରନ୍ତୁ
- ଠିକିରି ପିଠିଆ ପୋକ ନିୟନ୍ତ୍ରଣ ପାଇଁ ପ୍ରତି ଲିଟର ପାଣି ସହ ୧ ମି.ଲି. ଇଥୋଫେନୋପ୍ରକ୍ସ ୧୦% ଇ.ସି. କିମ୍ବା ୨ ମି.ଲି. ଫିପ୍ରୋନୀଲ ୫% ଇ.ସି. ମିଶାଇ ସ୍ପ୍ରେ କରନ୍ତୁ
- ପତ୍ର ପୋଡ଼ା ରୋଗ ନିୟନ୍ତ୍ରଣ କରିବା ପାଇଁ ପ୍ରତି ଲିଟର ପାଣି ସହ ୪-୫ ଗ୍ରାମ ଇପ୍ରୋଡିୟନ ୫୦% ଡବ୍ଲୁ.ପି ମିଶାଇ ସ୍ପ୍ରେ କରନ୍ତୁ
- ଧଳା କଳଙ୍କି ରୋଗ ନିୟନ୍ତ୍ରଣ ପାଇଁ ପ୍ରତି ଲିଟର ପାଣି ସହ ୩ ଗ୍ରାମ କପର ଅକ୍ସି କ୍ଳୋରାଇଡ୍ ୫୦% ଡବ୍ଲୁ.ପି, ୩.୫ ମି.ଲି. ମେଟାଲାକ୍ସାଇଲ-ଏମ୍ ୩୧.୮% ଇ.ଏସ୍ ମିଶାଇ ସ୍ପ୍ରେ କରନ୍ତୁ
ଅମଳ:
- ଫଳ ହଳଦିଆ ପଡିବା ଆରମ୍ଭ କଲେ ଓ ମଞ୍ଜି କଠିନ ଲାଗିଲେ ଫସଲ ଅମଳ କରନ୍ତୁ। ଫଳ ବା ଛୁଇଁ ଗୁଡ଼ିକ ଫାଟି ନଷ୍ଟ ହେବାର ସମ୍ଭାବନା ଥିବାରୁ, ସକାଳ ସମୟରେ ଅମଳ କରନ୍ତୁ
- ଗଛ ଗୁଡ଼ିକୁ ମୂଳରୁ ଦାଆ ସାହାଯ୍ୟରେ କାଟନ୍ତୁ ଏବଂ ଏହାକୁ ଖଳାରେ ୪ – ୫ ଦିନ ଯାଏ ଭଲ ଭାବେ ଶୁଖିବା ପାଇଁ ଗଦା ମାଡ଼ି ରଖନ୍ତୁ