ଧାନଚାଷ ବିଶ୍ୱର ୧ ଶହ କୋଟି ଲୋକଙ୍କ ପାଇଁ ଜୀବିକାର ଉତ୍ସ ଏବଂ ସେଇ ଜୀବିକା ଯେଉଁଥିରେ ସ୍ଥିରତାର ଅଭାବ ରହିଛି । ଓଡ଼ିଶାର ୯୦ ପ୍ରତିଶତ କୃଷକ ହେଉଛନ୍ତି କ୍ଷୁଦ୍ରଚାଷୀ ଯେଉଁମାନେ ସବୁବେଳେ ଅର୍ଥନୈତିକ ହେଉ କି ଜଳବାୟୁ ଜନିତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଆନ୍ତର୍ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ (ଇରୀ) ଓଡ଼ିଶା ସରକାରଙ୍କ କୃଷି ଏବଂ ଜଳ ସମ୍ପଦ ବିଭାଗର ସହଯୋଗରେ ଜଳବାୟୁ ସମ୍ବନ୍ଧୀୟ ସମସ୍ୟାର ମୁକାବିଲା କରିବା ପାଇଁ ଏବଂ କୃଷକମାନଙ୍କ ଦକ୍ଷତାକୁ ସୁଦୃଢ଼ କରିବା ପାଇଁ ପ୍ରଚେଷ୍ଠା ଜାରିରଖିଛି । କୃଷକ ସମୁଦାୟର ସାମଗ୍ରିକ ଉନ୍ନତି କରିବା ପାଇଁ ଆଞ୍ଚଳିକ ସ୍ତରରେ ଉପଯୁକ୍ତ ସାମାଜିକ-ବୈଷୟିକ ଉଦ୍ଭାବନ ଗୁଚ୍ଛର ପରିକଳ୍ପନା କରାଯାଉଛି, ଯାହାକି ଏହି ପ୍ରକଳ୍ପର କେନ୍ଦ୍ରବିନ୍ଦୁ କହିଲେ ଅତ୍ୟୁକ୍ତି ହେବନାହିଁ । ଇରୀର ଲକ୍ଷ୍ୟ ହେଉଛି ଜଳବାୟୁ ସମ୍ବନ୍ଧୀୟ ବୈଷୟିକ ପ୍ରତିବନ୍ଧକ ତଥା ସାମାଜିକ-ଅର୍ଥନୈତିକ ସମସ୍ୟାର ଅଭିନବ ଏବଂ ବ୍ୟବହାରିକ ସମାଧାନ ଦିଗରେ ଯୋଗଦାନ କରିବା ଯାହା ସେମାନଙ୍କୁ ଜୀବିକା ସୁଯୋଗରେ ଉନ୍ନତି ଆଣିବା ସହିତ ପରିବର୍ତ୍ତିତ ଆବଶ୍ୟକତା ସହିତ ଖାପ ଖୁଆଇବାରେ ସାହାଯ୍ୟ କରିବ ।
ଏହି ପ୍ରକଳ୍ପଦ୍ଵାରା ଓଡ଼ିଶାରେ ଭୂମିହୀନ ଏବଂ ଭାଗଚାଷୀଙ୍କ ସମେତ କ୍ଷୁଦ୍ର ଚାଷୀ ପରିବାରଙ୍କ ଆୟ, ପୋଷଣ ନିରାପତ୍ତା ଏବଂ ମହିଳା ଓ ଯୁବଗୋଷ୍ଠୀଙ୍କ ସଶକ୍ତୀକରଣ କରିବାପାଇଁ ଲକ୍ଷ୍ୟ ରଖାଯାଇଛି । ଗ୍ରାମୀଣ ଆୟରେ ଉନ୍ନତି ଆଣିବା ଏବଂ ଉତ୍ତମ, ବିବିଧ ଓ ପୁଷ୍ଟିକର ଖାଦ୍ୟର ଉପଲବ୍ଧତା ପାଇଁ କ୍ଷୁଦ୍ର ଚାଷ ଜମିର ବ୍ୟବସାୟୀକରଣ ଏକ ଅତ୍ୟାବଶ୍ୟକ ମାର୍ଗ । କିନ୍ତୁ ବଜାର, ଋଣ, କଞ୍ଚାମାଲ, କୃଷି ସାମଗ୍ରୀ, ପ୍ରଯୁକ୍ତି ବିଦ୍ୟା ଏବଂ ସମ୍ପ୍ରସାରଣ ସେବାଗୁଡ଼ିକର ଉପଲବ୍ଧତାର ଅଭାବ ବ୍ୟବସାୟୀକରଣରେ ବାଧା ସୃଷ୍ଟି କରିଛି ଏବଂ ଅନେକ କ୍ଷୁଦ୍ର କୃଷି ଉତ୍ପାଦନକାରୀଙ୍କ ପାଇଁ ଆୟ ସୁଯୋଗ ଅପହଞ୍ଚ କରିଦେଇଛି ।
ଉତ୍ପାଦକ ସଂଗଠନ ହେଉଛି ଗୋଟିଏ ଏକତ୍ରୀକରଣ ମଡେଲ ଯେଉଁଠାରେ କ୍ଷୁଦ୍ର ଚାଷୀମାନେ ମିଳିତ ଭାବରେ ଏହି ସୁବିଧା ସୁଯୋଗ ଗୁଡିକୁ ପାଇବା ସହିତ ସେମାନଙ୍କ ଉତ୍ପାଦର ବିପଣନ ପାଇଁ ନିଜକୁ ଗୋଷ୍ଠୀରେ ସଂଗଠିତ କରିଥାନ୍ତି ଯାହାର ଫଳସ୍ୱରୂପ ସେମାନେ ବ୍ୟବସାୟ କାରବାର ଖର୍ଚ୍ଚ ହ୍ରାସ କରି ସେଥିରୁ ଉପକୃତ ହୋଇଥିବା ଦେଖିବାକୁ ମିଳୁଛି । ଗ୍ରାମୀଣ ମହିଳାମାନେ କିପରି ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍.ଏଚ୍.ଜି.), କୃଷକ ଉତ୍ପାଦକ ସଂଗଠନ (ଏଫ୍.ପି.ଓ.) ଏବଂ କୃଷକ ଉତ୍ପାଦକ କମ୍ପାନି (ଏଫ୍.ପି.ସି.) ଭଳି ଗୋଷ୍ଠୀକୁ ନିଜର ଏବଂ ସେମାନଙ୍କ ପରିବାରର ଜୀବିକା ପରିବର୍ତ୍ତନ କରିବା ପାଇଁ ଉପଯୋଗ କରିଛନ୍ତି ତାହାର ପ୍ରମାଣ ମିଳୁଛି। ଏଥିରେ ଭୂମିହୀନ ଓ ଭାଗଚାଷୀ ପରିବାରପାଇଁ ମଧ୍ୟ ସୁଯୋଗ ରହିଛି । ଭାରତରେ ବିଭିନ୍ନ ଜାତୀୟ ଓ ରାଜ୍ୟ ଗ୍ରାମୀଣ ଜୀବିକା ମିଶନ ଅଧୀନରେ ଅଣୁ ଉଦ୍ୟୋଗ ଏବଂ ସାମୂହିକ ଜୀବିକା କାର୍ଯ୍ୟକଳାପର ବୃଦ୍ଧି ପାଉଥିବା ସଫଳତା ଦର୍ଶାଉଛି ଯେ ମହିଳାମାନେ କିପରି ଅନୁଷ୍ଠାନିକ ଋଣର ଲାଭ ଉଠାଇଛନ୍ତି, ଉତ୍ପାଦକତା ବୃଦ୍ଧି କରିଛନ୍ତି ଏବଂ ଏଫପିଓ ମାଧ୍ୟମରେ ମୁଖ୍ୟ ଫସଲ, ଫଳ ଏବଂ ପନିପରିବାକୁ ସାମୂହିକ ଭାବରେ ବିକ୍ରି କରୁଛନ୍ତି । ସାମୂହିକୀକରଣ ମାଧ୍ୟମରେ ଅର୍ଥନୀତିକୁ ପୁଞ୍ଜିକୃତ କରିବା ବ୍ୟତୀତ, ସେମାନେ ସେମାନଙ୍କର ବ୍ୟବସାୟିକ ଲାଭ ବୃଦ୍ଧି କରିଛନ୍ତି ଏବଂ ଜୀବିକାରେ ବିବିଧତା ଆଣିଛନ୍ତି, ଯାହା ସେମାନଙ୍କୁ ଅର୍ଥନୈତିକ ସଶକ୍ତୀକରଣ ପାଇଁ ଗୁରୁତ୍ୱପୂର୍ଣ୍ଣ ଉପକରଣ ରେ ପରିଣତ କରିଛି ।
କୃଷି କ୍ଷେତ୍ରରେ ପରିବର୍ତ୍ତନ ଆଣିବା ପାଇଁ କୃଷକ ସମୂହର ବହୁତ ବଡ ଅବଦାନ ଥିବା ବେଳେ ଏଫପିଓଗୁଡ଼ିକ ସାଧାରଣତଃ ନିମ୍ନ ପ୍ରଦର୍ଶନ କରିଥାନ୍ତି ବିଶେଷ ଭାବରେ ମହିଳାଙ୍କ ନେତୃତ୍ୱାଧୀନ ଉଦ୍ୟୋଗଗୁଡିକ କାରଣ ଅନେକ ବାଧାବିଘ୍ନ ଯେମିତି ମହିଳାଙ୍କ ସୀମିତ ସମ୍ପତ୍ତି, ଜମି ମାଲିକାନା ଏବଂ ତେଣୁ ଋଣ ପାଇବାପାଇଁ ଅସୁବିଧା ସେଥିମଧ୍ୟରୁ ଅନ୍ୟତମ । ତାସହିତ ସାମାଜିକ ପ୍ରତିବନ୍ଧକ ଓ ଅନେକ ଲିଙ୍ଗଗତ ବ୍ୟବଧାନ ସମସ୍ୟା ଯାହା ସେମାନଙ୍କୁ ଅନ୍ୟ ସ୍ଥାନକୁ ଯାତ୍ରାକରିବାରେ ବାଧା ସୃଷ୍ଟିକରିଥାଏ, ତେଣୁ ବଜାର ସହିତ ସଂଯୋଗ, ପରାମର୍ଶଜନିତ ସେବା ଏବଂ ପ୍ରଯୁକ୍ତିବିଦ୍ୟା ପାଇବା ଭଳି ଅନେକ ସୁବିଧାଠାରୁ ସେମାନେ ଦୂରେଇ ରହିଥିବା ସ୍ପଷ୍ଟ ଭାବରେ ଦେଖାଯାଏ । ସରକାରଙ୍କ ପ୍ରାଥମିକତା ଅନୁଯାୟୀ ଓଡ଼ିଶାରେ ମହିଳା ଉଦ୍ୟୋଗକୁ ପ୍ରୋତ୍ସାହିତ କରି କୃଷି ଭିତ୍ତିକ ଜୀବିକା ନିର୍ମାଣ ଏବଂ ମହିଳାଙ୍କ ଅର୍ଥନୈତିକ ସଶକ୍ତୀକରଣର ଜରୁରୀ ଆବଶ୍ୟକତା ରହିଛି ଏବଂ ଧାନ ଭିତ୍ତିକ ବ୍ୟବସ୍ଥାରେ ଉତ୍ପାଦ ଏବଂ ଉତ୍ପାଦ ରେଖାର ବିବିଧତାର ସମ୍ଭାବନାକୁ ପୁଞ୍ଜିକୃତ କରିବା ଏବଂ ଏଫପିସିର ସ୍ଥାୟୀତା ଏବଂ କାର୍ଯ୍ୟକ୍ଷମତାକୁ ନକାରାତ୍ମକ ଭାବରେ ପ୍ରଭାବିତ କରୁଥିବା ସ୍ଥାପିତ ତ୍ରୁଟି ଏବଂ ବ୍ୟବଧାନକୁ ଦୂର କରିବା ଉପରେ ଦୃଢ଼ ଧ୍ୟାନ ଦେବା ଆବଶ୍ୟକ ।
ବଲାଙ୍ଗୀର ଅଗଳାପାଲିର ଏମଆଇପିରେ ଆନ୍ତର୍ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ଏକ ଭିନ୍ନ ଭିନ୍ନ ଉତ୍ପାଦକ ଏବଂ ବିଭିନ୍ନ ସେବା ଯୋଗାଇ ଦେବାପାଇଁ ମହିଳାଙ୍କ ନେତୃତ୍ୱାଧୀନ ଗୋଟିଏ ଏଫପିସି ଗଠନ କରାଯାଇଛି। ସେମାନେ ବିହନ ଉତ୍ପାଦନ ପାଇଁ ଏଫପିସି ସହିତ ଯୋଡି ହୋଇଥିବା ସଦସ୍ୟମାନଙ୍କର ଦକ୍ଷତା ସୃଷ୍ଟି କରିଛନ୍ତି ଏବଂ ସେମାନଙ୍କୁ ବିହନ (ବ୍ରିଡର ଏବଂ ଫାଉଣ୍ଡେସନ ବିହନ) ଯୋଗାଇଦେବା ସହିତ ଆବଶ୍ୟକ ସୀକୃତି ଏବଂ ସରକାରୀ ଅନୁମୋଦନ ଓ ବିହନ ବ୍ୟବସାୟରେ ନିରନ୍ତର ବ୍ୟବସାୟ ପାଇଁ ଉତ୍ପାଦନ ବଜାର ସହିତ ଯୋଡ଼ିଛନ୍ତି । ୧୩୦୦ ସଦସ୍ୟ ବିଶିଷ୍ଟ ମହିଳା ଏଫପିସି (ଲୋଇସିଂହା ମହିଳା କୃଷକ ସେବା ଓ ଉତ୍ପାଦକ କମ୍ପାନୀ ଲିମିଟେଡ୍) ଏବେ ଜଳବାୟୁ ସହନଶୀଳ ଏବଂ ବଜାରରେ ଚାହିଦା ଥିବା ଧାନ, ଡାଲି ଓ ତୈଳବୀଜ ଜାତୀୟ ଫସଲ କିସମର ବିହନ ଉତ୍ପାଦନ, ପ୍ରକ୍ରିୟାକରଣ ଓ ବିପଣନ କରୁଛି। ଏହା ବ୍ୟତୀତ ବିହନ ପ୍ରଣାଳୀରେ ବ୍ୟବସାୟ ଯୋଜନା, ଉଦ୍ୟୋଗ ବିକାଶ ଏବଂ ମାର୍କେଟିଂ ଦକ୍ଷତା ବ୍ୟତୀତ ୩ଟି ଜିଲ୍ଲାରେ ବିହନ ଉତ୍ପାଦନ ପାଇଁ ୩୦ଟି ବିଦ୍ୟମାନ ଏଫପିସିର କ୍ଷମତା ବୃଦ୍ଧି ପାଇଁ ଅନୁଷ୍ଠାନ କାର୍ଯ୍ୟ କରୁଛି ।