RKB_Odisha_Odia
RKB_Odisha_Odia
IRRI Banner

ଖାଦ୍ୟ ଭାବରେ ଚାଉଳ

ଖାଦ୍ୟ ନିରାପତ୍ତା ଏବଂ ଖାଦ୍ୟାଭାବ ଦୂର କରିବା  ହେଉଛି ମିଳିତ ଜାତିସଂଘର ଧାରଣୀୟ ବିକାଶର ଦ୍ଵିତୀୟ ଲକ୍ଷ୍ୟ ଯାହାକୁ ହାସଲ କରିବାରେ ଉନ୍ନତ ପୁଷ୍ଟିକର ଖାଦ୍ୟ ଏବଂ ନିରନ୍ତର କୃଷିକୁ ପ୍ରୋତ୍ସାହିତ କରିବା ଅତ୍ୟନ୍ତ ଜରୁରୀ ଏବଂ ଏଥିରେ ଧାନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।  ଓଡିଶାର ଉର୍ବର ମୃତ୍ତିକା ଏବଂ ଜଳବାୟୁ ସର୍ବଦା ଧାନ ପାଇଁ ଏକ ଅନୁକୂଳ ପରିସ୍ଥିତି ସୃଷ୍ଟି କରିଥାଏ । ତାହା ବ୍ୟତିତ ଚାଉଳର ପ୍ରତ୍ୟେକ ଓଡିଶାବାସୀଙ୍କ ସହିତ ଏକ ସାଂସ୍କୃତିକ ସମ୍ବନ୍ଧ ମଧ୍ୟ ରହିଛି  ତେଣୁ  ଦେଶ ତୁଳନାରେ ରାଜ୍ୟର ମୁଣ୍ଡପିଛା ଚାଉଳର ବ୍ୟବହାରରେ ବୃଦ୍ଧି ହୋଇଥାଏ । ଓଡିଶାର ସହରାଞ୍ଚଳରେ ବର୍ଷକୁ  ମୁଣ୍ଡପିଛା ୧୨୫ କିଲୋଗ୍ରାମରୁ ଅଧିକ ଚାଉଳ ବ୍ୟବହାର କରୁଥିବା ବେଳେ ଗ୍ରାମାଞ୍ଚଳରେ ୧୫୦ କିଲୋଗ୍ରାମ ତୁଳନାରେ ଯାହା ଦେଶର ମୁଣ୍ଡପିଛା ବ୍ୟବହାର ୧୦୫ କିଲୋଗ୍ରାମ ତୁଳନାରେ ବହୁତ ଅଧିକ । 

ଚାଉଳକୁ ଓଡିଶାରେ ବିଭିନ୍ନ ରୂପରେ ଖିଆଯାଏ ଯେମିତିକି ଗରମ ଏବଂ ପଖାଳ ଭାତ ଠାରୁ ଆରମ୍ଭ କରି ଅନେକ ବିଶେଷ ବ୍ୟଞ୍ଜନ ଯେପରିକି ମନ୍ଦିରରେ ପିଠା ଓ ଭୋଗ ତିଆରି କରିବାରେ ମଧ୍ୟ ବ୍ୟବହୃତ ହୋଇଥାଏ । ବିଭିନ୍ନ ଆଞ୍ଚଳିକ ପସନ୍ଦ ଅନୁସାରେ (ମୟୂରଭଞ୍ଜରେ ମୁଢି, ଦକ୍ଷିଣ ଓଡ଼ିଶାରେ ତୋରାଣୀ କାଞ୍ଜି, ପଶ୍ଚିମ ଓଡ଼ିଶାରେ ନୂଆଖାଇ ଏବଂ ଅନ୍ୟ ପର୍ବପର୍ବାଣୀରେ ପ୍ରସ୍ତୁତ ବ୍ୟଞ୍ଜନ, ଉପକୂଳ ଓଡ଼ିଶାରେ ଚାଉଳ ଚୂନାରୁ ପ୍ରସ୍ତୁତ ବିଭିନ୍ନ ପ୍ରକାରର ପିଠା) ଏବଂ ତାହା ସହିତ ଚୂଡା, ଲିଆ ଓ  ଖଇ ଇତ୍ୟାଦି ଓଡିଶା ଲୋକଙ୍କ ଦୈନିକ ଆବଶ୍ୟକତାର ୫୦ ପ୍ରତିଶତରୁ ଅଧିକ କ୍ୟାଲୋରି ଯୋଗାଇଥାଏ। ଧାନର ବିବିଧତା ଏବଂ ରାଜ୍ୟରେ ଏକାଧିକ ରୂପରେ ନିର୍ଦ୍ଦିଷ୍ଟ କିସମର ବ୍ୟବହାର ଏହି ପରିମାଣକୁ ଆହୁରି ବଢ଼ାଇଥାଏ ଯେ ଦକ୍ଷିଣ ଓଡ଼ିଶାର ଜୟପୁର ଅଞ୍ଚଳ ଚାଷ କରାଯାଉଥିବା ଧାନ ଉତ୍ପତ୍ତିର ଏକ ଦ୍ଵୀତୀୟ କେନ୍ଦ୍ର ।  ବିଗତ କିଛି ବର୍ଷ ମଧ୍ୟରେ ବିବିଧତା ହ୍ରାସ ପାଇଥିଲେ ମଧ୍ୟ ରାଜ୍ୟର ଲୋକମାନେ ବର୍ଷ ସାରା ବିଶେଷ ଅବସରରେ ଦୈନିକ ଚାଉଳ ଓ ବିଭିନ୍ନ ଚାଉଳ ଉତ୍ପାଦ ପ୍ରସ୍ତୁତ କରି ଖାଉଥିବାରୁ ରୋଷେଇ ବିବିଧତା ଅନେକାଂଶରେ ଅକ୍ଷୁର୍ଣ୍ଣ ରହିଛି ।

ଚାଉଳ ଉଭୟ ଖାଦ୍ୟ ଏବଂ ପୁଷ୍ଟିକର ଲାଭ ପ୍ରଦାନ କରେ, ଆମେ ଯଦି ବାଦାମୀ ଏବଂ ନାଲି ଚାଉଳ କଥା କହିବା,  ଏହି କିସମ ଗୁଡିକ ତାହାର ସ୍ୱାସ୍ଥ୍ୟଗତ ଗୁଣ ପାଇଁ ପରିଚିତ । ଚାଉଳରେ ଥାଇମିନ୍, ନିୟାସିନ୍, ଜିଙ୍କ୍ ଓ ଫସଫରସ୍ ସମେତ ପ୍ରୋଟିନ୍, ଭିଟାମିନ୍ ଏବଂ ମିନେରାଲ୍ସ ମିଳିଥାଏ । ଆମେ ମିଲିଂ ଏବଂ ପଲିସିଂ ଦ୍ଵାରା ବାଦାମୀ ଚାଉଳକୁ ଧଳା କିମ୍ବା ପଲିସ୍ ଚାଉଳରେ ପରିଣତ କରିଥାଉ ଯାହାଦ୍ୱାରା ଭିଟାମିନ୍-ଇ, ମ୍ୟାଗ୍ନେସିୟମ୍, ପୋଟାସିୟମ୍, ଏବଂ ମାଙ୍ଗାନିଜ୍ ପରି ଅନେକ ପୋଷକ ତତ୍ତ୍ୱ ନଷ୍ଟ ହୋଇଥାଏ । ଏହି ପୋଷକ ତତ୍ତ୍ୱଗୁଡିକ ବାଦାମୀ ଚାଉଳରେ ରହିଥାଏ । ବ୍ରାଉନ୍ ଏବଂ ଲାଲ୍ ଚାଉଳ କିସମଗୁଡିକ ସେମାନଙ୍କର ସମୃଦ୍ଧ ଫାଇବର ଏବଂ ଭିଟାମିନ୍-ବି, ମ୍ୟାଗ୍ନେସିୟମ୍, କ୍ୟାଲସିୟମ୍, ଜିଙ୍କ, ଆଇରନ୍, ଏବଂ ସେଲେନିୟମ୍ ସହିତ ଆବଶ୍ୟକୀୟ ପୁଷ୍ଟିକର ଖାଦ୍ୟ ପାଇଁ ମୂଲ୍ୟବାନ ।ସାଧାରଣ ଭାତରୁ ଆରମ୍ଭ କରି ବିସ୍ତୃତ ଭୋଜି ପର୍ଯ୍ୟନ୍ତ, ଓଡ଼ିଶାର ଚାଉଳରେ ତିଆରି ବ୍ୟଞ୍ଜନ ଏକ ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ପ୍ରତୀକ ଏବଂ ଏହି ଅଞ୍ଚଳର ରୋଷେଇ ବିବିଧତାକୁ ପ୍ରଦର୍ଶିତ କରେ | କେତେକ ଲୋକପ୍ରିୟ ପାରମ୍ପରିକ ଚାଉଳ ବ୍ୟଞ୍ଜନ ନିମ୍ନରେ ଉଲ୍ଲେଖ କରାଯାଇଛି:

ପଖାଳ ଭାତ 

ଓଡ଼ିଆଙ୍କ ହୃଦୟରେ ପଖାଳର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ଏହି ପାରମ୍ପରିକ ଖାଦ୍ୟପ୍ରସ୍ତୁତି ପାଇଁ ଭାତ ରୋଷେଇ କରିସାରିବା ପରେ ସେଥିରେ ପାଣି ମିଶାଇ ରାତିସାରା ଖଟ। ବା ଆମ୍ବିଳି ହେବା ପାଇଁ ରଖା ଯାଇଯାଏ । ସାଧାରଣତଃ ସେଇ ପଖାଳ ଭାତକୁ ପ୍ରାୟତଃ ସୋରିଷ, ଭୃସଙ୍ଗ ପତ୍ର ଏବଂ ଶୁଖିଲା ଲଙ୍କା ସହିତ ଛୁଙ୍କ ଦେଲାପରେ ପାଣି କିମ୍ବା ଘୋଳ ଦହି ମିଶାଇ  ପରିବେଷଣ କରାଯାଇଥାଏ । ଗ୍ରୀଷ୍ମ ଋତୁରେ ଗରମ ବଢ଼ୁଥିବାରୁ ଓଡ଼ିଆମାନେ ଆରାମ ପାଇଁ ପଖାଳ ଆଡକୁ ମୁହାଁଇଥାନ୍ତି। ଏହାର ଶୀତଳ ଗୁଣ ଏହାକୁ ଏକ ଉପଯୁକ୍ତ ଗ୍ରୀଷ୍ମ ଭୋଜନରେ ପରିଣତ କରିଥାଏ । ଏହାର ସ୍ୱାଦ ବ୍ୟତୀତ ପଖାଳ ଓଡ଼ିଶାର ରୋଷେଇ ଐତିହ୍ୟର ପ୍ରତୀକ- ସରଳତା, ପରମ୍ପରା ଓ ସମ୍ପ୍ରଦାୟର ପ୍ରମାଣ ।

ଏହା ବ୍ୟତୀତ ଖେଚୁଡି, କାନିକା, ଖିରି, ପଲାଓ ଇତ୍ୟାଦି ଭଳି ଅନେକ ଚାଉଳ ଭିତ୍ତିକ ବ୍ୟଞ୍ଜନ ରହିଛି ଯାହା ପିଢ଼ି ପିଢ଼ି ଧରି ଯାନିଯାତ୍ରା, ମହୋତ୍ସବ, ମନ୍ଦିର ପ୍ରସାଦ ଏବଂ ସ୍ୱତନ୍ତ୍ର ପର୍ବ ପର୍ବାଣିରେ ତିଆରି କରାଯାଇଥାଏ । ଏହି ବ୍ୟଞ୍ଜନଗୁଡ଼ିକର ସାଂସ୍କୃତିକ ମହତ୍ତ୍ୱ ରହିଛି କାରଣ ଏହା ଛପନ ଭୋଗ ଅର୍ପଣର ଏକ ଅଂଶ ଭାବରେ ମହାପ୍ରଭୁ ଜଗନ୍ନାଥଙ୍କୁ ଅର୍ପଣ କରାଯାଏ, ଯାହାକୁ ମହା ପ୍ରସାଦ ମଧ୍ୟ କୁହାଯାଏ ।

Pakhala

ମୁଢ଼ୀ

ମୁଢ଼ୀ ଓଡ଼ିଶାର ଏକ ପ୍ରିୟ ଖାଦ୍ୟ । ମୁଢ଼ୀର ଗଠନ, ସ୍ଵାଦ ଏବଂ ସନ୍ତୋଷଜନକ ମୁଶୁମୁଶିଆ ଗୁଣ ଯୋଗୁଁ ଓଡିଆମାନେ ଏହାକୁ ଜଳଖିଆ ସାଧାରଣତଃ ସନ୍ଧ୍ୟା ଜଳଖିଆରେ ବ୍ୟବହାର କରିଥାଆନ୍ତି । ଅନେକ ଲୋକ ଏହାର ସ୍ୱାଦ ବଢ଼ାଇବା ପାଇଁ ମୁଢ଼ୀରେ କଟା ପିଆଜ, କଞ୍ଚା ଲଙ୍କା, ଲେମ୍ବୁ ଏବଂ ତାଜା ଧନିଆ ପତ୍ର ମିଶାଇ ଖାଇଥାନ୍ତି । ମୟୂରଭଞ୍ଜ ଜିଲ୍ଲାର ମୁଢ଼ୀ ମାଂସ ସାରା ଜଗତରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ଯାହାକି ମାଂସ ତରକାରୀ ଝୋଳରେ ମୁଢ଼ୀ ମିଶାଇ ଏହି ସ୍ୱାଦିଷ୍ଟ ଖାଦ୍ୟକୁ ପ୍ରସ୍ତୁତ ଯାଇଥାଏ । ବାରିପଦାବାସୀ ଏହି ମୁଢ଼ୀ ମାଂସକୁ ଗର୍ବର ସହ ନିଜ ଅଞ୍ଚଳର ବୋଲି ପରିବେଷଣ କରିଆସୁଅଛି । ମୁଢ଼ୀ କେବଳ କ୍ୟାଲୋରୀରେ ହାଲୁକା ନୁହେଁ ବରଂ ଏଥିରେ ଅତିରିକ୍ତ ଭିଟାମିନ୍ ଏବଂ ଖଣିଜ ପଦାର୍ଥ ମଧ୍ୟ ଭରପୁର ହୋଇ ରହିଛି । ଏହା ଏପରି ଏକ ଖାଦ୍ୟ ଯାହା  ଉଭୟ ସ୍ୱାଦିଷ୍ଟ ଜଳଖିଆ ସହିତ ଏବଂ ସ୍ୱାସ୍ଥ୍ୟ-ସଚେତନ ଭୋଜନକାରୀଙ୍କୁ ସନ୍ତୁଷ୍ଟ କରିଥାଏ ।

Mudhi (Puffed Rice)

ଚୁଡ଼ା

ଚେପଟା ଦେଖାଯାଉଥିବା ଏହି ଶୁଖିଲା ଖାଦ୍ୟ ଓଡ଼ିଶାର ପ୍ରିୟ ଜଳଖିଆ ମଧ୍ୟରୁ ଅନ୍ୟତମ । ଚୁଡ଼ାକୁ ସାଧାରଣତଃ ପାଣି କିମ୍ବା କ୍ଷୀରରେ ଭିଜାଇ, ସ୍ୱାଦ ଅନୁସାରେ ଲୁଣ ଓ ଚିନି କିମ୍ବା ଗୁଡ଼ ମିଶାଇ କଞ୍ଚା ଖାଇଥାନ୍ତି । ଅନେକ ଏଥିରେ ସୋରିଷ, ହଳଦୀ, କଞ୍ଚା ଲଙ୍କା, କଟା ପିଆଜ ଏବଂ ଚିନାବାଦାମ ସହିତ ତେଲରେ ଭାଜି ସନ୍ଧ୍ୟା ଜଳଖିଆ ଭାବରେ ମଧ୍ୟ ସେବନ କରିଥାଆନ୍ତି । ପାରମ୍ପରିକ ଭାବରେ ଧାନକୁ ଭିଜାଇ ଏବଂ ଭାଜିକରି, ତା’ପରେ ଚୂଡାକଳ କିମ୍ବା ଢିଙ୍କି ସାହଯ୍ୟରେ ଧାନର ଉପର ଆବରଣ ବାହାର କରିବା ସହିତ ଚେପଟା କରି ଏହାକୁ ପ୍ରସ୍ତୁତ କରାଯାଇଥାଏ । ଓଡ଼ିଶାରେ ଚୁଡ଼ାଘଷାର ବିଶେଷ ମହତ୍ତ୍ୱ ରହିଛି। ଏହା ପ୍ରାୟତଃ ଗଣେଶ ପୂଜା ଏବଂ ସରସ୍ୱତୀ ପୂଜା ପରି ପର୍ବପର୍ବାଣୀ ସମୟରେ ଏହାକୁ ପ୍ରସ୍ତୁତ କରାଯାଇଥାଏ, ଯାହା ଭଗବାନଙ୍କ ପ୍ରସାଦ ଭାବରେ ପରିବେଷଣ କରାଯାଏ ।

Chuda (Flaked Rice)

ତୋରାଣୀ କାଞ୍ଜି

ତୋରାଣୀ କାଞ୍ଜି ଏକ ପାରମ୍ପାରିକ ଓଡିଆ ଖାଦ୍ୟ ଯାହାକି ଏକ ସ୍ୱତନ୍ତ୍ର ଖଟା ସ୍ୱାଦ ସହିତ ସୁପ୍ ର ଆନନ୍ଦ ଦେଇଥାଏ । ଏହା ଅନ୍ୟ ଖାଦ୍ୟ ଠାରୁ ଭିନ୍ନ ଏବଂ ରାଜ୍ୟର ଅନେକ ସ୍ଥାନରେ କାଞ୍ଜି ନାମରେ ମଧ୍ୟ ଲୋକପ୍ରିୟ ଅଟେ । ଏହାର ମୁଖ୍ୟ ଉପାଦାନ ହେଉଛି ତୋରାଣୀ, ଯାହାକି ଭାତ ରାନ୍ଧିବା ପରେ ବାହାର କରାଯାଉଥିବା ପାଣି । ଭାତରୁ ବାହାରୁଥିବା ଏହି ପାଣି ଆମ୍ବିଳି ନ ହେବା ପର୍ଯ୍ୟନ୍ତ କିଛି ଦିନ ପାଇଁ ବାସି କରିବା ପାଇଁ ଛାଡି ଦିଆଯାଏ । ତୋରାଣୀ ବାସି ହେବା ମାତ୍ରେ ଏଥିରୁ ଏକ ଖଟାର ବାସ୍ନା ବାହାରିଥାଏ । ଏଥିରୁ ଖଟା ବାସ୍ନା ବାହାରିଲେ ଏହା କାଞ୍ଜି ରାନ୍ଧିବା ପାଇଁ ପ୍ରସ୍ତୁତ ହୋଇଯାଇଛି ବୋଲି ଜାଣିବା ଉଚିତ । ତୋରାଣୀ କାଞ୍ଜିରେ ଋତୁକାଳୀନ ପନିପରିବା ମିଶାଇ ରୋଷେଇ କରାଯାଇଥାଏ ଯାହାକି ଏକ ଭିନ୍ନ ସ୍ଵାଦ ଆଣିଦେଇଥାଏ । ପାରମ୍ପରିକ ଭାବରେ ଏହା ଏକ ଶୀତ ଦିନର ଖାଦ୍ୟ, କିନ୍ତୁ ଆଜିକାଲି ଏହା ବର୍ଷ ସାରା ଖାଇବା ଟେବୁଲରେ ପରଷା ଯାଇଥାଏ ।

Torani Kanji

ପିଠା

ପିଠା, ଏହି ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରତିଟି ଓଡ଼ିଆ ଘରେ ପ୍ରିୟ ସ୍ଥାନ ଅଧିକାର କରିଛି ଯାହା ପ୍ରାୟତଃ ଚାଉଳରେ ତିଆରି କରାଯାଇଥାଏ । ଚାଉଳ ଚୁନାରେ ଅନ୍ୟାନ୍ୟ ଉପାଦାନକୁ ନିର୍ଦ୍ଦିଷ୍ଟ ପ୍ରଣାଳୀରେ ମିଶାଇ ଏବଂ ଭିନ୍ନ ଭିନ୍ନ ରନ୍ଧନ କୌଶଳରେ ବିଭିନ୍ନ ପ୍ରକାରର ସମ୍ପୂର୍ଣ୍ଣ ଅନନ୍ୟ ପିଠା ତିଆରି କରାଯାଇଥାଏ ଯାହା ଅନ୍ୟ ସ୍ୱାଦିଷ୍ଟ ଓଡ଼ିଆ ବ୍ୟଞ୍ଜନ ପରି ଖାଦ୍ୟପ୍ରେମୀ ମାନଙ୍କୁ ଆକର୍ଷିତ କରିଥାଏ । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଓଡ଼ିଶା ୧୨ ମାସରେ ୧୩ଟି ପର୍ବ ପାଳନ କରାଯାଇଥାଏ। ତେଣୁ ପ୍ରତ୍ୟେକ ପର୍ବରେ ଦେବଦେବୀଙ୍କୁ ଅର୍ପଣ କରାଯାଉଥିବା ଅନନ୍ୟ ପିଠା ରଖାଯାଇଥାଏ । ଓଡିଶାରେ ଅନେକ ପ୍ରକାରର ପିଠା ବିଭିନ୍ନ ସମୟରେ ତିଆରି କରାଯାଇଥାଏ । ସେଥିମଧ୍ୟରୁ ଏଠାରେ କିଛି ପିଠା ବିଷୟରେ ବର୍ଣ୍ଣନା କରାଯାଇଛି:

Manda Pitha
ମଣ୍ଡା ପିଠା

ମଣ୍ଡା ପିଠା ହେଉଛି ଏକ ପୁରଦିଆ ପିଠା, ଯାହା ଚାଉଳ ଚୁନାକୁ ଦଳିକରି ମଝିରେ ପୁରରଖି ବାଷ୍ପଦେଇ ପ୍ରସ୍ତୁତ କରାଯାଏ ଏବଂ ନଡ଼ିଆ, ଗୁଡ଼ ଓ ଗୋଲମରିଚକୁ ମିଶାଇ ସେଇ ପୁର ତିଆରି କରାଯାଇଥାଏ ।

Kakara Pitha
କାକରା ପିଠା

କାକରା ପିଠାର ବାହାରଟା ମୁସ୍ ମୁଶିଆ ଏବଂ ଭିତରେ ମିଠା ପୁର ରହିଥାଏ । ଏହା ଚାଉଳ ଚୁନା, ନଡ଼ିଆ, ଗୁଡ଼ ଓ ଅଳେଇଚରେ ପ୍ରସ୍ତୁତ କରାଯାଇଥାଏ ।

Arisa Pitha
ଆରିଷା ପିଠା

ଏହି ପିଠାଟିର ବାହ୍ୟ ସ୍ତର କୁରକୁରା ଏବଂ ମୁସ୍ ମୁଶିଆ ସହ ଆଭ୍ୟନ୍ତରୀଣ ଅଂଶ ନରମ ହୋଇଥାଏ ଯାହା ଚାଉଳ ଚୁନା, ଗୁଡ଼ ଏବଂ ରାଶି ପରି ମୁଖ୍ୟ ଉପାଦାନରେ ତିଆରି କରାଯାଇଥାଏ ।

Chakuli Pitha
ଚକୁଲି ପିଠା

ଚକୁଲି ପିଠାକୁ ସାଧାରଣତଃ ଜଳଖିଆ ଭାବରେ ବ୍ୟବହାର କରାଯାଇଥାଏ । ଚାଉଳ ଓ ବିରିକୁ ଭିଜାଇ ପିଠା ପାଇଁ ଏକ ବହଳିଆ ମଣ୍ଡ ପ୍ରସ୍ତୁତ କରିବା ପରେ ତାକୁ କିଛିଘଣ୍ଟା ପାଇଁ ରଖାଯାଏ ।  ତାପରେ ଏହି ମଣ୍ଡକୁ ଗରମ ତାୱା ଉପରେ ପତଳାରେ ପକାଇ ଏହି ପିଠା ପ୍ରସ୍ତୁତ କରାଯାଏ ।

Enduri Pitha
ଏଣ୍ଡୁରି ପିଠା

ଚାଉଳ ଏବଂ ବିରିରେ ପ୍ରସ୍ତୁତ ଏକ ବହଳିଆ ମଣ୍ଡ ବ୍ୟବହାର କରି ଏଣ୍ଡୁରି ପିଠା ପ୍ରସ୍ତୁତ କରାଯାଏ । ତାଜା ହଳଦୀ ପତ୍ରରେ ଆଚ୍ଛାଦିତ ଏଥିରେ କଟା ନଡ଼ିଆ ଏବଂ ଗୁଡ଼ରେ ତିଆରି ପୁର ଦିଆଯାଇଥାଏ ।

Poda Pitha
ପୋଡ଼ ପିଠା

ଏହି ପୋଡାଯାଇଥିବା ପିଠାକୁ ବିରି ଓ ଗୁଡ଼ ପୋଡ଼ ପିଠା କୁହାଯାଏ। ମୁଖ୍ୟତଃ ଏଥିରେ ଗୁଡ଼, ନଡ଼ିଆ, ତେଜପତ୍ର, ଚାଉଳ ଚୁନା, କାଜୁ, କିସମିସ ଓ କ୍ଷୀର ପଡିଥାଏ ।

ଚାଉଳ ମୂଲ୍ୟବୋଧ ଭିତ୍ତକ ବୃଦ୍ଧିର ସୁଯୋଗ:

ଚାଉଳରେ ମୂଲ୍ୟବୋଧ ଭିତ୍ତକ ବୃଦ୍ଧିପାଇଁ ପ୍ରଚୁର ସମ୍ଭାବନା ରହିଛି, ପାରମ୍ପରିକ ବ୍ୟଞ୍ଜନ ବ୍ୟତୀତ ଏଥିରୁ ବିଭିନ୍ନ ପ୍ରକାରର ଉତ୍ପାଦ ତିଆରି କରାଯାଇଥାଏ ଏହି ଉତ୍ପାଦଗୁଡିକ ଚାଉଳର ବହୁମୁଖୀତା, ପୁଷ୍ଟିକର ଗୁଣବତ୍ତା, ଗ୍ରାହକଙ୍କ ପସନ୍ଦ ଏବଂ ବଜାର ଚାହିଦାକୁ ଦୃଷ୍ଟିରେ ରଖି ବ୍ୟାପକ ଲୋକପ୍ରିୟତା ହାସଲ କରିଛି । ଅପରପକ୍ଷରେ ମୂଲ୍ୟବୋଧ ଭିତ୍ତକ ବୃଦ୍ଧି ମଧ୍ୟ ଧାନ ଉତ୍ପାଦନର ଲାଭ ବଢ଼ାଇଥାଏ । ବିସ୍କୁଟ୍, କୁକିଜ୍, କେକ୍, ବ୍ରେଡ୍, ନୁଡୁଲସ, ପାସ୍ତା, ସେମିୟା ଆଦି ଚାଉଳରୁ ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ ଆଜିକାଲି ଲୋକପ୍ରିୟ ହେବାରେ ଲାଗିଛି । ଏହାବ୍ୟତୀତ ସ୍ୱାସ୍ଥ୍ୟକର ବିକଳ୍ପ ଭାବରେ ଖାଦ୍ୟ ଓ ପାନୀୟ ପ୍ରୟୋଗରେ ଚାଉଳ ଉପର ଆବରଣର (ରାଇସ ବ୍ରାନ୍) ଚାହିଦା ବୃଦ୍ଧି ପାଉଛି । ଓଡ଼ିଶାରେ ଚାଉଳ ଚୋପା ମୁଖ୍ୟତଃ ଗୋଖାଦ୍ୟ ଓ ଇନ୍ଧନ ଭାବେ ବ୍ୟବହୃତ ହୋଇଥାଏ । ଶେଫିଲ୍ଡ ହାଲ୍ଲାମ ବିଶ୍ୱବିଦ୍ୟାଳୟ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନ ଅନୁଯାୟୀ ଚାଉଳ ଉପର ଆବରଣରୁ ୭.୭ ନିୟୁତ ଟନ୍ ପୁଷ୍ଟିକର ଖାଦ୍ୟ ଉତ୍ପାଦନ କରାଯାଇପାରିବ । ଭଙ୍ଗା ଚାଉଳ ଏବଂ ଉପର ଆବରଣରୁ ଉତ୍ପାଦିତ ମୂଲ୍ୟ ଯୁକ୍ତ ଦ୍ରବ୍ୟର ଏହି ଅଜ୍ଞାତ ସୁଯୋଗ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗମାନଙ୍କ ପାଇଁ ଯଥେଷ୍ଟ ଅର୍ଥନୈତିକ ସମ୍ଭାବନା ରଖିଛି ।

ଏହାବ୍ୟତୀତ ପ୍ରିମିୟମ୍ ଏବଂ ଅତ୍ୟନ୍ତ ନିମ୍ନ ଗ୍ଲାଇସେମିକ୍ ଇଣ୍ଡେକ୍ସ (ଜି.ଆଇ.) ବା Glycemic Index (GI) ଚାଉଳ କିସମ ଦ୍ରବ୍ୟର ମଧ୍ୟ ଘରୋଇ ଓ ରପ୍ତାନି ବଜାରରେ ଭଲ ଚାହିଦା ରହିଛି । ପୁଷ୍ଟିକର ଉପକାରିତା ଏବଂ ଅନନ୍ୟ ସ୍ୱାଦକୁ ଦୃଷ୍ଟିରେ ରଖି, ଚାଉଳ ଚୁନା, ରାଇସ ବ୍ରାନ୍ ତେଲ ଏବଂ ପ୍ରସ୍ତୁତ ଚାଉଳ-ଭିତ୍ତିକ ସାମଗ୍ରୀ ସମେତ ବିଭିନ୍ନ ଉତ୍ପାଦଗୁଡ଼ିକର ଏକ ବଢୁଥିବା ବଜାର ଅଛି ଯାହା କେବଳ ପାରମ୍ପରିକ ଚାଉଳ ବଜାରରେ ମୂଲ୍ୟ ବୃଦ୍ଧି କରେ ନାହିଁ ବରଂ ସୁବିଧାଜନକ ଏବଂ ସୁସ୍ଥ ଖାଦ୍ୟ ବିକଳ୍ପ ଖୋଜୁଥିବା ଉପଭୋକ୍ତାଙ୍କ ପରିବର୍ତ୍ତିତ ଖାଦ୍ୟ ପସନ୍ଦକୁ ମଧ୍ୟ ପୂରଣ କରେ ।

ଆନ୍ତର୍ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ(ଇରୀ)ର ଚାଉଳ ମୂଲ୍ୟବୋଧ ଭିତ୍ତକ ବୃଦ୍ଧି ଉତ୍କର୍ଷତା କେନ୍ଦ୍ର (ସି.ଇ.ଆର.ଭି.ଏ.) ବା Centre for Excellence in Rice Value Addition (CERVA) ଏକ ଅତ୍ୟାଧୁନିକ ଗବେଷଣା ଏବଂ ବିକାଶ ଅନୁଷ୍ଠାନ, ଯେଉଁଠାରେ ଚାଉଳର ପୁଷ୍ଟିକର ଲାଭ ଏବଂ ଏଥିରେ ପ୍ରସ୍ତୁତ ଖାଦ୍ୟ ଉତ୍ପାଦର ମୂଲ୍ୟବୋଧ ଭିତ୍ତକ ବୃଦ୍ଧି ସୃଷ୍ଟି କରିବା ସହିତ ପ୍ରିମିୟମ୍ ଗୁଣବତ୍ତା ଚାଉଳକୁ ପ୍ରୋତ୍ସାହିତ କରିବାରେ ସକ୍ରିୟ ଭାବରେ ଯୋଗଦାନ କରିଆସୁଛି । ଏହାର ପ୍ରମାଣିତ ଦକ୍ଷତାକୁ ଆଧାରକରି ଆନ୍ତର୍ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ ଓଡିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଏବଂ ମିଶନ ଶକ୍ତି ବିଭାଗ ସହ ମିଶି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସଶକ୍ତ କରିବା ପାଇଁ ମୂଲ୍ୟବୋଧ ଭିତ୍ତକ ବୃଦ୍ଧି ଉତ୍ପାଦ ଉପରେ ମହିଳା ମାନଙ୍କୁ ଅବଗତ କରାଇବା ସହିତ କ୍ଷୁଦ୍ର ଉଦ୍ୟୋଗ ପରିଚାଳନା କରିବାରେ ସେମାନଙ୍କୁ ସାହାଯ୍ୟ କରିବ । ଶେଷରେ, ଓଡ଼ିଶାର ରୋଷେଇ ପରମ୍ପରାରେ ଚାଉଳ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ, ଯେଉଁଥିରେ ବିଭିନ୍ନ ପ୍ରକାରର ବ୍ୟଞ୍ଜନ କରାଯାଇଥାଏ ଯାହା ଏହି ଅଞ୍ଚଳର ବହୁମୁଖୀତା ଏବଂ ସାଂସ୍କୃତିକ ସମୃଦ୍ଧିକୁ ପ୍ରଦର୍ଶିତ କରିଥାଏ । ପଖାଳ ଭାତ ଭଳି ସରଳ ଆରାମଦାୟକ ଖାଦ୍ୟଠାରୁ ଆରମ୍ଭ କରି ଅତ୍ୟନ୍ତ ନିମ୍ନ ଜିଆଇ ଚାଉଳର ବିସ୍ତୃତ କୁକିଜ୍ ପର୍ଯ୍ୟନ୍ତ, ଓଡ଼ିଶାର ଚାଉଳ ଭିତ୍ତିକ ଖାଦ୍ୟ ପରମ୍ପରା ଓ ସ୍ୱାଦରେ ଭରପୂର ଏକ ଆନନ୍ଦଦାୟକ ରୋଷେଇ ଅନୁଭୂତି ପ୍ରଦାନ କରିଥାଏ।